ଭୁବନେଶ୍ୱର : ‌ଯୋଗାଣ ପାଣି‌ରେ ମଇଳା, ଦୁର୍ଗନ୍ଧ

ଭୁବନେଶ୍ୱର : ବିଏମ୍‌ସି ୩୪ ନମ୍ବର ୱାର୍ଡର ୟୁନିଟ୍‌-୩ସ୍ଥିତ କୋଣାର୍କ ଟେଲର୍‌ ଲେନ୍‌କୁ ଦୂଷିତ ଜଳଯୋଗାଣ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ପାଣି ପିଇବା ତ ଦୂରର କଥା, ହାତ କିମ୍ବା ବାସନକୁସନ ଧୋଇବା ଯୋଗ୍ୟ ନୁହେଁ। ଗାଢ଼ ମାଟିଆ ରଙ୍ଗର ଏହି ଗୋଳିଆ ପାଣିରୁ ମଧ୍ୟ ଦୁର୍ଗନ୍ଧ ବାହାରୁଛି। ଏନେଇ ଅଭିଯୋଗ କଲେ ବି ପାଣି ଯୋଗାଣ କରୁଥିବା ‘ୱାଟ୍‌କୋ’ର ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ପାଣି ଯୋଗାଣ ପାଇପ୍‌ଗୁଡ଼ିକ ଦୀର୍ଘ ଦିନ ଧରି ବଦଳା ଯାଉନାହିଁ। ସ୍ଥାନେ ସ୍ଥାନେ ପାଇପ୍‌ ଫାଟି ଯାଇଥିବାରୁ ବାହାର ମଇଳା ପାଣି ମିଶୁଛି। ସ୍ଥାନୀୟ ବାସିନ୍ଦା ଅଶୋକ ପଣ୍ଡା ଓ ଏଠାରେ ରହୁଥିବା ସମାଜ‌ସେବୀ ଅନୁରାଧା ଦାଶ କହନ୍ତି, ରାତି ୮ଟା ପରେ ଆସୁଥିବା ପାଣିରୁ ଦୁର୍ଗନ୍ଧ ବାହାରୁଛି। ତାକୁ ବ୍ୟବହାର କରିବା ପାଇଁ ଭୟ ଲାଗୁଛି। ସେହିପରି ପ୍ରଭାତ କୁମାର ସାମଲ କହିଛନ୍ତି, ଜଳଯୋଗାଣ ହେଉଥିବା ପାଇପ୍‌ଗୁଡ଼ିକ ୬୦ ବର୍ଷ ହେଲାଣି ବଦଳା ଯାଇନି। ତେଣୁ ଅଧିକାଂଶ ସ୍ଥାନରେ ଫାଟି ଗଲାଣି। ସେହିବାଟେ ବାହାରର ଦୂଷିତ ଜଳ ଚାଲି ଆସୁଛି। ତେଣୁ ନୂଆ‌ ପାଇପ୍‌ ଲଗାଇବାକୁ ସେ ଦାବି କରିଛନ୍ତି। ଏ ସଂପର୍କରେ ୱାଟ୍‌କୋର ଅଧିକାରୀ ପ୍ରଦୀପ କୁମାର ପାତ୍ର କହିଛନ୍ତି, ଆମେ ଅଭିଯୋଗ ପାଇଛୁ। ଦିନେ ଦୁଇ ଦିନ ଭିତରେ ଏହାର ସମାଧାନ କରିଦେବୁ।

ସମ୍ବନ୍ଧିତ ଖବର