ପୁରୁଣା ଭୁବନେଶ୍ୱର : ୧୦ ମିନିଟ୍‌ ଆସୁଛି ପିଏଚ୍‌ଡି ପାଣି, ଟ୍ୟାଙ୍କରରୁ କିଣି ବଞ୍ଚିଛନ୍ତି ଲୋକେ

ପୁରୁଣା ଭୁବନେଶ୍ୱର : ଜନସ୍ବାସ୍ଥ୍ୟ ବିଭାଗ ଜଳ ଯୋଗାଣରେ ଅନିୟମିତା କରୁଥିବାରୁ ପୁରୁଣା ଭୁବନେଶ୍ବରର କିଛି ଅଞ୍ଚଳରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ତେଣୁ ବାଧ୍ୟ ହୋଇ ଲୋକେ ଟ୍ୟାଙ୍କରରୁ ପାଣି କିଣି କାମ ଚଳାଉଥିବା ଅଭିଯୋଗ କରିଛନ୍ତି। ଦୈନିକ ମାତ୍ର ୧୦ ମିନିଟ୍‌ରୁ ୧୫ ମିନିଟ୍‌ ପାଇପ୍ ଜଳ ଯୋଗାଣ ହେଉଥିବାରୁ ଜଳ ଅଭାବ ସମସ୍ୟା ଦେଖା ଦେଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନି ଫେଜ୍-୧ରେ ଏପରି ସମସ୍ୟା ଦେଖିବାକୁ ମିଳିଛି। ଏଠା‌ରେ ୫୦ରୁ ଉର୍ଦ୍ଧ୍ବ ପରିବାର ପାଣି ପାଇଁ ସମସ୍ୟାରେ ପଡ଼ିଛନ୍ତି। ପୂର୍ବରୁ ଜନସ୍ବାସ୍ଥ୍ୟ ବିଭାଗ (ୱାଟ୍‌କୋ) ଘଣ୍ଟାଏ ଜଳ ଯୋଗାଣ କରୁଥିଲା। ଏବେ ମାତ୍ର ୧୦ରୁ ୧୫ ମିନିଟ୍ ଜଳ ଯୋଗାଣ ହେଉଛି। ଫଳରେ ସେମାନେ ଆବଶ୍ୟକ ପରିମାଣର ପାଣି ପାଉନାହାନ୍ତି। ସେହିଭଳି ଭୀମଟାଙ୍ଗି ଖଣ୍ଡୁଆଳ ବସ୍ତିରେ ରହୁଥିବା ଲୋକେ ବି ଜଳାଭାବର ଶିକାର ହୋଇଛନ୍ତି। ପୂର୍ବରୁ ମୂଳା ପଡ଼ିଆ ପାଣି ଟାଙ୍କିରୁ ପାଣି ଯୋଗାଣ ହେଉଥିଲା। ସବୁ ଠିକ୍‌ ଥିଲା। କିନ୍ତୁ ଭୀମଟାଙ୍ଗି ପାଣିଟାଙ୍କିରୁ ପାଣି ଯୋଗାଣ ହେବା ଦିନରୁ ଏଭଳି ବିଭ୍ରାଟ ଦେଖା ଦେଇଛି। କେତେବେଳେ ପାଣି ଆସୁଛି, କିଛି ଠିକଣା ନାହିଁ। ଘଣ୍ଟା ଘଣ୍ଟା ଜଗିବାକୁ ପଡ଼ୁଛି। ମାତ୍ର ୧୦ ମିନିଟ୍‌ ପରେ ପା‌ଣି ବନ୍ଦ ହୋଇଯାଉଛି। ସମାନ ଅବସ୍ଥା ଦେଖା ଦେଇଛି ଲିଙ୍ଗରାଜ ମନ୍ଦିର ନିକଟ ଜଗନ୍ନାଥ ମଠ ଅଞ୍ଚଳରେ। ସେଠାରେ ବି ଜଳ ଯୋଗାଣ ମାତ୍ର ୧୦ ମିନିଟ୍‌ ପରେ ବନ୍ଦ ହୋଇଯାଉଛି। ଏହି ଅଞ୍ଚଳକୁ ସାମନ୍ତରାପୁର ପିଏଚ୍‌ଡି ଟାଙ୍କିରୁ ପାଣି ଯୋଗାଣ ହେଉଛି। ତେବେ ମୂଳା ପଡ଼ିଆ ପିଏଚ୍‌ଡିର କର୍ମଚାରୀ ଚାବି ଖୋଲିଲେ ଜଳ ଯୋଗାଣ ହୁଏ। ସେହି କର୍ମଚାରୀଙ୍କ ବିଳମ୍ବ ପାଇଁ ଜଳ ଯେଗାଣ ମାତ୍ର ୧୦ ମିନିଟ୍ ପାଇଁ ହେଉଛି ବୋଲି ଅଭିଯୋଗ ହେଉଛି। ଦିନେ ଦିନେ ଉକ୍ତ କର୍ମଚାରୀ ନ ଆସିଲେ, ଜଳ ଯୋଗାଣ ବନ୍ଦ ହୋଇଯାଏ। ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଲୋକ ପାଣି ପାଉ ନାହିଁନ୍ତି ବୋଲି ଉଭୟ ସାମନ୍ତରାପୁର ଓ ମୂଳାପଡ଼ିଆ ପିଏଚ୍‌ଡି କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର