ଚନ୍ଦ୍ରଶେଖରପୁର : ରାଜଧାନୀର ବସ୍ତି ଅଞ୍ଚଳରେ ଜଳ ଯନ୍ତ୍ରଣା ଉତ୍କଟ ରୂପ ଧାରଣ କରିଛି। ବିଚିତ୍ର ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ବସ୍ତିବାସିନ୍ଦାମାନଙ୍କୁ ହରବର କରୁଛି। ଦିନକୁ ମାତ୍ର ଥରୁଟିଏ ଜଳ ଯୋଗାଣ ହେଉଥିବା ବେଳେ ରାତିଅଧିଆ ଯୋଗାଣ ପାଇଁ କିଏ ପାଉଛି ତ କିଏ ପାଉ ନାହିଁ। ପାଣି ପାଇଁ ଜଗି ଜଗି ରାତି ଅନିଦ୍ରା ରହିବାକୁ ପଡ଼ୁଛି। ଏଭଳି ବ୍ୟବସ୍ଥା ପାଇଁ ଏବେ ବସ୍ତିବାସିନ୍ଦାମାନେ ପାଣି ନପାଇ ଡହଳବିକଳ ହୋଇପଡ଼ିଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ଚନ୍ଦ୍ରଶେଖରପୁର ଅଞ୍ଚଳର ଓମଫେଡ୍ ବସ୍ତି, ରିକ୍ସା କଲୋନି ବସ୍ତି, ସାଇନ୍ସ ବସ୍ତିରେ ଜଳ ଯନ୍ତ୍ରଣା ଅସହ୍ୟ ହୋଇପଡ଼ିଛି। ବିଏମ୍ସି ପକ୍ଷରୁ ବସ୍ତିବାସିନ୍ଦାଙ୍କ ପାଇଁ ଅମୃତ ଯୋଜନାରେ ଘରକୁ ପାଣି ପାଇପ୍ ସଂଯୋଗ କରାଯାଇଛି। ମାତ୍ର ବସ୍ତିଲୋକଙ୍କ ଅଭିଯୋଗ ଅନୁସାରେ ଦିନକୁ ଥରେ ମାତ୍ର ଜଳ ଯୋଗାଣ ହେଉଛି। ପୁଣି ବଡ଼ ବିଚିତ୍ର ସ୍ଥିତିରେ ଜଳ ଯୋଗାଣ ଚାଲିଛି। ରାତି ୩ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପାଇପ୍ ପାଣି ଆସୁଛି। ବେଳେବେଳେ ଭୋର୍ ୫ଟା ବେଳକୁ ପାଇପ୍ରେ ପାଣି ରହୁନାହିଁ। ଯିଏ ରାତି ୩ଟାରୁ ଉଠି ପାଣି ସଂଗ୍ରହ କରିନପାରିଲା, ତା’ ଅବସ୍ଥା ସଂଗିନ୍ ହୋଇପଡ଼ୁଛି। କାରଣ ମାତ୍ର ୨ଘଣ୍ଟା ପାଇଁ ପାଣି ଆସୁଛି। ତେଣୁ ସକାଳ ୬ଟା ହେଲା ବେଳକୁ ଆଉ ପାଇପ୍ରୁ ପାଣି ବାହାରିବାର ନାହିଁ। ଦିନଯାକ କଷ୍ଟ କରୁଥିବା ଶ୍ରମିକ ପରିବାରଗୁଡ଼ିକ ରାତିରୁ ଉଠି ପାଣି ରଖି ପାରୁନାହାନ୍ତି। ବହୁ ଲୋକ ରାତିଅଧରୁ ଉଠି ପାଣି ରଖି ନପାରିଲେ, ଦିନଯାକ ବଡ଼ ହୀନସ୍ତା ହେଉଛନ୍ତି। ସେହିଭଳି ଯେଉଁମାନେ ବି ଜଗି ଜଗି ରାତିରେ ପାଣି ସଂଗ୍ରହ କରୁଛନ୍ତି, ତାହା ଦିନକୁ ପାଇଁ ଯଥେଷ୍ଟ ହେଉନାହିଁ। ଖରାବେଳ ସୁଦ୍ଧା ସାଇତିଥିବା ପାଣି ସରି ଯାଉଛି। ଫଳରେ ରାତି ପାଇଁ ଜଳଯୋଗାଡ଼ କରିବାକୁ ବାରଦୁଆର ହେବାକୁ ପଡ଼ୁଛି। ଏମିତିକି ରାତିରେ ନିତ୍ୟକର୍ମ ପାଇଁ ସେମାନଙ୍କୁ ବଡ଼ ଯନ୍ତ୍ରଣା ସହିବାକୁ ପଡ଼ୁଛି ବୋଲି ସେମାନେ କହିଛନ୍ତି।
ବସ୍ତିବାସିନ୍ଦାଙ୍କ କହିବା କଥା, ଘର ସାମ୍ନାରେ ଅମୃତ ଯୋଜନା ପାଣି ମିଟର ଲଗାଯାଇଛି। ମିଟର ଅନୁସାରେ ସେମାନେ ଟଙ୍କା ପଇଠ କରୁଛନ୍ତି। ପାଣି ପାଇଁ ସେମାନେ ଆବଶ୍ୟକ ବିଲ୍ ଦେବାକୁ କୁଣ୍ଠା କରିବା କେବେ ଦେଖାଯାଇନାହିଁ। ଏବେ ବି ସେମାନେ ମିଟର ଅନୁସାରେ ପାଣି ପାଇଁ ପଇସା ଗଣିବାକୁ ପ୍ରସ୍ତୁତ। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଯଥେଷ୍ଟ ପାଣି ଯୋଗାଇ ଦେବାରେ ସମସ୍ୟା କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସକାଳେ ଓ ସନ୍ଧ୍ୟାରେ ଦିନକୁ ଦୁଇ ଥର ପାଣି ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।