ରୋଜଗାର କମିଲେ ବି ବନ୍ଦକୁ ସମର୍ଥନ

ଭୁବନେଶ୍ବର : ସୋମବାର ଦୋକାନ ବଜାର ବନ୍ଦ ପାଇଁ ଲୋକେ ପୂର୍ବରୁ ମାନସିକ ଭାବେ ପ୍ରସ୍ତୁତ ଥିଲେ। ସେଥିପାଇଁ ଲୋକେ ବିଶେଷ ପ୍ରଭାବିତ ହୋଇନଥିଲେ ମଧ୍ୟ ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ସମସ୍ୟାରେ ପଡ଼ିଥିଲେ। ବିଶେଷକରି ଅଟୋ ଚଳାଚଳ ବନ୍ଦ ହୋଇଯିବାରୁ ଉଭୟ ଯାତ୍ରୀ ଓ ଚାଳକ ସମସ୍ୟାରେ ପଡ଼ିଥିଲେ। କିନ୍ତୁ ଅନେକ ଅଟୋଚାଳକ ଆଜି କମ୍ ରୋଜଗାର କରିଥିଲେ ବି ଏହି ବନ୍ଦ ପାଳନକୁ ସେମାନଙ୍କ ନୈତିକ ସମର୍ଥନ ଥିବା କହିଥିଲେ।

ଅଟୋ ଭଡ଼ାରୁ ସେମାନଙ୍କ ଚୁଲି ଜଳେ। ହେଲେ ବନ୍ଦ ଯୋଗୁଁ ଆଜି ସେମାନେ ଅଧା ଦିନର ରୋଜଗାର ହରାଇଥିଲେ। ମାତ୍ର ଅପରାହ୍ଣରୁ ରାତି ପର୍ଯ୍ୟନ୍ତ କିଛି ରୋଜଗାର ହୋଇଥିବାରୁ ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇନଥିବା କହିଥିଲେ। ଅଟୋଚାଳକ ସୁକାନ୍ତ ସାମନ୍ତରାୟଙ୍କ କହିବା କଥା; ଏହି ବନ୍ଦ ପାଳନ ବେଳେ ମଧ୍ୟ ଯାତ୍ରୀମାନେ ଯା’ଆସ କରୁଛନ୍ତି। କିଛି ପରିଚିତ ଲୋକ ଜରୁରୀ କାମ ପାଇଁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି। କିନ୍ତୁ ଆଜି ସେମାନଙ୍କୁ ସେବା ଯୋଗାଇବା ସମ୍ଭବ ହୋଇନାହିଁ। ହସ୍ପିଟାଲ ମାମଲାରେ କିନ୍ତୁ ସେବା ଯୋଗାଇ ଦିଆଯାଇଛି। ଦିନକୁ ପ୍ରାୟ ୬୦୦ ଟଙ୍କା ରୋଜଗାର ହୁଏ। କିନ୍ତୁ ଆଜି ସେତେ ରୋଜଗାର ହୋଇନାହିଁ। ତଥାପି ଏହି ବନ୍ଦ ପାଳନ ପଛରେ ଆମର ନୈତିକ ସମର୍ଥନ ରହିଛି।

‌ସେହିଭଳି ସ୍ମାର୍ଟ୍ ସିଟି ଅନ୍‌ଲାଇନ୍ ଅଟୋ ଗ୍ରୁପ୍‌ର ଚେୟାରମ୍ୟାନ୍ ଦୀନବନ୍ଧୁ ନାୟକଙ୍କ କହିଛନ୍ତି; ତେଲ ଦର ବୃଦ୍ଧି ପାଇଁ ରୋଜଗାରର ଅଧା ଖର୍ଚ୍ଚ ତେଲ ଖର୍ଚ୍ଚରେ ଯାଉଛି। ଏବେ ଭଡ଼ାରୁ ବିଶେଷ ଲାଭ ହେଉନାହିଁ। ତେଣୁ ଏହି ବନ୍ଦକୁ ଆମେ ସମର୍ଥନ କରୁଛି।

ଫସିଗଲେ ବର-କନିଆ
ରବିବାର ଥିଲା ଚଳିତମାସର ଶେଷ ବାହାଘର ତିଥି। ତେଣୁ ରାଜଧାନୀରେ ବହୁ ସଂଖ୍ୟାରେ ବାହାଘର ଅନୁଷ୍ଠିତ ହୋଇଥିଲା। ହେଲେ ବର-କନିଆକୁ ନେଇ ଫେରୁଥିବା ଏକ କାର୍‌ ଆଜି ବନ୍ଦରେ ଫସି ଯାଇଥିଲା। ସତସଙ୍ଗବିହାରଠାରେ କାର୍‌ଟି ପହଞ୍ଚିବା ପରେ ଆଉ ଆଗକୁ ଯାଇ ନ ପାରି ପ୍ରାୟ ଘଣ୍ଟାଏ କାଳ ଅଟକି ରହିଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ ଆମ୍ବୁଲାନସ ଓ ଅନ୍ୟ ଜରୁରୀ ଗାଡ଼ି ପାଇଁ ଏକ ବାଟ ବାହାର କରିଥିଲେ। ଏହାପରେ ଯାଇ ବର-କନିଆ ଗାଡ଼ିଟି ଆଗକୁ ଯାଇଥିଲା।

କାର୍‌ କାଚ ଭାଙ୍ଗିଲେ, ଅଟୋ ଚାଳକଙ୍କୁ ପିଟିଲେ
ବନ୍ଦ ବେଳେ କିଛି କଂଗ୍ରେସ କର୍ମୀଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା। ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ଏକ କାର ପହଞ୍ଚିଥିବା ବେଳେ ଏହାକୁ କର୍ମୀମାନେ ଅଟକାଇଥିଲେ। କାହିଁକି ଗାଡ଼ି ଚଳାଉଛ ବୋଲି ପଚାରିବା ସହିତ କାର୍‌ର ଆଗ କାଚକୁ ବାଡ଼େଇ ଭାଙ୍ଗି ଦେଇଥିଲେ। କାର ଭିତରେ ଥିବା ଲୋକ ଭୟରେ କିଛି ପ୍ରତିବାଦ କରି ନ ଥିଲେ। ସେହିପରି କିଛି ଯାତ୍ରୀଙ୍କୁ ନେଇ ଯାଉଥିବା ଜଣେ ଅଟୋ ଚାଳକକୁ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଅଟକାଇବା ସହିତ ମାରପିଟ୍‌ କରିଥିଲେ ବିକ୍ଷୋଭକାରୀ। ପରିସ୍ଥିତି ଏପରି ହୋଇଥିଲା ଯେ, ଅଟୋରେ ବସିଥିବା ଯାତ୍ରୀମାନେ ଭୟରେ ଅଟୋରୁ ବାହାରି ପଳାଇଥିଲେ। ଏହାଛଡ଼ା ମାଷ୍ଟର କ୍ୟାଣ୍ଟିନ୍ ଛକରେ ଖୋଲିଥିବା ଏକ ଝୁମ୍ପୁଡ଼ି ଦୋକାନକୁ କଂଗ୍ରେସ କର୍ମୀମାନେ ଜୋର ଜବରଦସ୍ତ ବନ୍ଦ କରିଥିଲେ। ଏହାସହ ଏକ ଛୋଟିଆ ଠେଲାରେ ବ୍ୟବସାୟ କରୁଥିବା ଜଣେ ବୃଦ୍ଧାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ବୃଦ୍ଧା ଯେତେ‌ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ, କର୍ମୀମାନେ ଶୁଣି ନ ଥିଲେ। ଶେଷରେ ବୃଦ୍ଧା ଜଣକ ‌ଠେଲାଟିକୁ ଜରି ପାଲ ଘୋଡ଼ାଇ ବନ୍ଦ କରିଥିଲେ।

ଶୌଚ ପାଇଁ ବସ୍ ଯାତ୍ରୀ ହଟହଟା
ବନ୍ଦ ଯୋଗୁଁ ରାସ୍ତାରେ ଅଟକିଥିବା ବସ୍‌ ଯାତ୍ରୀମାନେ ହଟହଟା‌ ଯାଇଥିଲେ। ବିଶେଷକରି ନାଇଟ୍‌ କୋଚ୍‌ରେ ରହିଥିବା ଯାତ୍ରୀମାନଙ୍କୁ ଆଜି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିବା ବେଳେ ଶୌଚ ପାଇଁ ଡହଳବିକଳ ହୋଇଥିଲେ। ଶୌଚ ପାଇଁ କିଛି ଲୋକ ବସ୍‌ରୁ ଓହ୍ଲାଇ ପାଖରେ ଶୌଚାଳୟ ଖୋଜିଥିଲେ। ହେଲେ ପାଖରେ କୌଣସି ଶୌଚାଳୟ ନ ଥିବାରୁ ‌ଯାତ୍ରୀମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା।

 

ଭୋଗିଲେ ବସ୍‌ଯାତ୍ରୀ, ଶ୍ରମଜୀବୀ
ତୈଳ ଦର ବୃଦ୍ଧି ସହିତ ଦରଦାମ ବୃଦ୍ଧିର ମାଡ଼ ସହୁଥିବା ସାଧାରଣ ଲୋକ ଆଜି ବନ୍ଦ ଯୋଗୁଁ ମଧ୍ୟ ହଇରାଣ ହୋଇଥିଲେ। ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିଥିବା ଅନେକ ଯାତ୍ରୀ ବସ୍‌ ନପାଇ ନିରାଶ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଅନେକ ବନ୍ଦ ସମ୍ପର୍କରେ ପୂର୍ବରୁ ଜାଣିନଥିବା କହିଥିଲେ। ଅନ୍ୟପକ୍ଷରେ ଅନେକ ମଜୁରିଆ ଗୋଟିଏ ଦିନର କାମ ହରାଇଥିଲେ। ତୈଳଦର ବୃଦ୍ଧିକୁ ସେମାନେ ବିରୋଧ କରୁଥିଲେ ହେଁ ବନ୍ଦକୁ ସମର୍ଥନ କରି ପାରି ନ ଥିଲେ।

ସମ୍ବନ୍ଧିତ ଖବର