ସରକାରୀ ସୁବିଧାରୁ ବଞ୍ଚିତ ସମର୍ଥା ସେବାୟତ, ବିନା ବୀମାରେ କରୁଛନ୍ତି ବିପଦପୂର୍ଣ୍ଣ କାମ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କ ବିପଦପୂର୍ଣ୍ଣ ସେବାରେ ନିୟୋଜିତ ଥାଆନ୍ତି ସମର୍ଥା ସେବାୟତ। ଏହି ସେବାୟତମାନେ ବର୍ଷର ୨୪ଟି ଚତୁର୍ଦଶୀରେ ମନ୍ଦିର ଚୂଡ଼ାକୁ ମହାଦୀପ ନେଇ ଯାଆନ୍ତି। ଏଥିସହିତ ପ୍ରାୟ ଦିନରେ ମନ୍ଦିର ଚୂଡ଼ାରେ ପତାକା ଲଗାଇବାକୁ ଉପରକୁ ଚଢ଼ିଥାନ୍ତି। ମାତ୍ର ଏଭଳି ବିପଦପୂର୍ଣ୍ଣ ସେବା କରୁଥିଲେ ବି ସେମାନଙ୍କ ପାଇଁ କୌଣସି ସରକାରୀ ସୁବିଧା ଉପଲବ୍ଧ ହେବା ବ୍ୟବସ୍ଥା ନାହିଁ। ଏପରିକି ସେମାନଙ୍କୁ ବୀମାଭୁକ୍ତ କରାଯାଇନାହିଁ। ଏଥିପାଇଁ ସେମାନେ ବହୁଥର ଅନୁରୋଧ କରିଥିଲେ ବି କିଛି ସୁଫଳ ମିଳିନଥିବାରୁ ସେମାନଙ୍କ ଭିତରେ ଅସନ୍ତୋଷ ଭରି ରହିଛି।

ସମର୍ଥା ସେବାୟତମାନଙ୍କ କହିବା କଥା ସକାଳ ୬ଟାରୁ ରାତିରେ ମନ୍ଦିର ପହଡ଼ ପଡ଼ିବା ପର୍ଯ୍ୟନ୍ତ ସେମାନେ ଠାକୁରଙ୍କ ସେବାରେ ନିୟୋଜିତ ଅଛନ୍ତି। ମହାଦୀପ ଉଠାଇବା ଓ ପତାକା ବାନ୍ଧିବା ବ୍ୟତିତ କୋଠ ରୋଷେଇ ପାଇଁ ପ୍ରତିଦିନ ଚୂନା କୁଟିବା, ବିରି ବାଟିବା, ପ୍ରସାଦ ତିଆରି ପାଇଁ ପାଣି ଯୋଗାଇବା, ଠାକୁରଙ୍କ ପ୍ରତି ଧୂପରେ ଓ ବିଭିନ୍ନ ଯାତ୍ରାରେ ଘଣ୍ଟ ବଜାଇବା ଆଦି କଷ୍ଟକର ସେବା କରିଥାନ୍ତି। କିନ୍ତୁ ସେମାନଙ୍କ ପାଇଁ କୌଣସି ସରକାରୀ ସୁବିଧା ନାହିଁ। ଏମିତିକି ତାଙ୍କ ନିଯୋଗ ପାଇଁ ସ୍ବତନ୍ତ୍ର ଘର ନାହିଁ। ଉକ୍ତ ନିଯୋଗର କୌଣସି ପ୍ରତିନିଧିଙ୍କୁ ଟ୍ରଷ୍ଟ ବୋର୍ଡରେ ସାମିଲ କରାଯାଉ ନାହିଁ ବୋଲି ସମର୍ଥା ସେବାୟତ ମିତେନ୍ଦ୍ର ସମର୍ଥା ଓ ଲିଙ୍ଗରାଜ ସମର୍ଥା କହିଛନ୍ତି। ୨୦୧୦ ମସିହାରୁ ଏନେଇ ବିଭାଗୀୟ ମନ୍ତ୍ରୀ, ସଚିବ, ଜିଳ୍ଲାପାଳ ଓ ବିଧାୟକଙ୍କୁ ଦାବି କରାଯାଇଥିଲେ ମଧ୍ୟ କେହି କିଛି ପଦକ୍ଷେପ ନେଉନାହାନ୍ତି ନାହିଁ ବୋଲି କହନ୍ତି ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥା।

ସମ୍ବନ୍ଧିତ ଖବର