ଆଇନଜୀବୀଙ୍କ ସାମ୍ବିଧାନିକ ଅଧିକାର ଉପରେ ତର୍ଜମା କରନ୍ତୁ ସୁପ୍ରିମ୍‌କୋର୍ଟ

ଭୁବନେଶ୍ବର: ଆଜି ଭୁବନେଶ୍ୱର ଓକିଲ ସଂଘର ସାଧାରଣ ପରିଷଦ ବୈଠକ ବାର୍‌ ଆସୋସିଏସନ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରବିନାରାୟଣ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶତାଧିକ ସଦସ୍ୟ ଯୋଗଦେଇଥିଲେ। ଓକିଲମାନଙ୍କର ଆନ୍ଦୋଳନ ତଥା ସାମ୍ବିଧାନିକ ଅଧିକାର ଉପରେ ସୁପ୍ରିମ୍‌କୋର୍ଟ ଦେଇଥିବା ଆଦେଶ ଉପରେ ଆଇନଗତ ତର୍ଜମା କରିବାକୁ ଏହି ବୈଠକରେ ବହୁ ବରିଷ୍ଠ ଓକିଲ ଦାବି କରିଥିଲେ। ଭାରତୀୟ ଆଇନଜୀବୀ ପରିଷଦ ଏବଂ ରାଜ୍ୟ ଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପକୁ ଏହି ବୈଠକରେ ନିନ୍ଦା କରାଯାଇଥିଲା।

ଓକିଲ ସଂଘର ସମ୍ପାଦକ ରାଜକିଶୋର ଦାସ୍ କହିଛନ୍ତି କି ଭୁବନେଶ୍ୱର ଓକିଲ ସଂଘ ତରଫରୁ ସୁପ୍ରିମ୍‌କୋର୍ଟରେ କୌଣସି ଅଣ୍ଡରଟେକିଙ୍ଗ ଦିଆଯାଇନାହିଁ। ସାଧାରଣ ପରିଷଦର ଆଲୋଚନା ଅନୁସାରେ ଆବଶ୍ୟକ ହେଲେ ସୁପ୍ରିମକୋର୍ଟରେ ସଂଘ ପକ୍ଷରୁ ଜବାବ ଉପସ୍ଥାପନା କରାଯିବ। ସେହିଭଳି ହାଇକୋର୍ଟକୁ କଟକରୁ ଭୁବନେଶ୍ବର ସ୍ଥାନାନ୍ତରଣ ଦାବି ନେଇ ମାସର ଶେଷ ଶୁକ୍ରବାର ଦିନ ପ୍ରତିବାଦ କରାଯିବ। ଏଥିସହ ଭୁବନେଶ୍ୱର ଓକିଲ ସଂଘ ଦ୍ବାରା ୧୯୮୬ ମସିହାଠାରୁ ଭୁବନେଶ୍ୱରକୁ ଜିଲ୍ଲା ଦାବି କରି ଆରମ୍ଭ କରାଯାଇଥିବା ଆନ୍ଦୋଳନକୁ ତୀବ୍ରତର କରାଯିବ। ଏଥିରେ ସମସ୍ତ ଜନସାଧାରଣ, ବିଭିନ୍ନ ସଙ୍ଗଠନ, ସ୍ଥାନୀୟ ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବାର୍‌ ଆସୋସିଏସନ୍‌ର ଉପସଭାପତି ଅଭିମନ୍ୟୁ ସ୍ବାଇଁ, ଟ୍ରେଜର୍‌ର ଦିବାକର ମିଶ୍ର, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ, ବରିଷ୍ଠ ଓକିଲ ଶିବାନନ୍ଦ ରାୟ, ସୁଦାମ ଦାସ, ଆତ୍ମାପ୍ରକାଶ ମହାନ୍ତି, ଶିଳଭଦ୍ର ଶାସ୍ତ୍ରୀ, ଚିତ୍ତରଞ୍ଜନ ଦାସ, ଜଗନ୍ନାଥ ଦାସ, ସୂର୍ଯ୍ୟନାରାୟଣ ଦାସ, ଚିତ୍ତରଞ୍ଜନ ବୈରିସଲ ପ୍ରମୁଖ ଉପସ୍ଥିତ ଥି‌ଲେ।

ସମ୍ବନ୍ଧିତ ଖବର