ସୁର ବାବା: ଶୂନ୍ୟରୁ ଆରମ୍ଭ ଶୂନ୍ୟରୁ ଶେଷ

ଏକଦା ଶୂନ୍ୟପୋଥି ତାଙ୍କୁ ମଣିଷରୁ ସ୍ବଘୋଷିତ ଭଗବାନ ବନେଇ ଦେଇଥିଲା। ପୋଥିରୁ ସେ ଲୋକଙ୍କ ଆଗତ ଭବିଷ୍ୟତ ସଂପର୍କରେ କହିପାରୁଥିବା ଦାବି କରୁଥିଲେ। ଏଇ ବିଶ୍ବାସରେ ତାଙ୍କ ଆଶ୍ରମରେ ପ୍ରତ୍ୟହ ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା, ପୁଲିସ, ପ୍ରଶାସକ, ଖଣି ବ୍ୟବସାୟୀ, ବିଲ୍ଡରଙ୍କ ଭିଡ଼ ଜମୁଥିଲା। ପାରିବାରିକ ଅଶାନ୍ତିର ସମାଧାନଠୁ ନେଇ ପଦୋନ୍ନତି, ମନ୍ତ୍ରୀପଦ ଯାଏ ଚୁଟ୍‌କିରେ କରିଦେଇ ପାରିବେ ବୋଲି ବିଶ୍ବାସ ଜନ୍ମାଇ ରାଜ୍ୟ ଓ ରାଜ୍ୟ ବାହାରେ ନିଜର ଅଗଣିତ ଭକ୍ତ ସୃଷ୍ଟି କରିଥିଲେ। ଶୂନ୍ୟପୋଥିରୁ ଆରମ୍ଭ ହୋଇଥିବା ବାଲିପାଟଣା ଝିଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ସୁରେନ୍ଦ୍ର ମିଶ୍ର ଓରଫ ସୁରବାବାଙ୍କ ସାମ୍ରାଜ୍ୟ କିନ୍ତୁ ଦିନେ ଶୂନ୍ୟରେ ଭୁଶୁଡ଼ି ଯାଇଥିଲା। ସୁରବାବାଙ୍କୁ ଗିରଫ ଦାବିରେ ଏମିତି ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା ଯେ ଉତ୍ତ୍ୟକ୍ତ ଲୋକଙ୍କ ସାମ୍ନା କରିବା ପୁଲିସ୍‌ ପାଇଁ ବି କଷ୍ଟକର ହୋଇପଡ଼ିଥିଲା। ଆଶ୍ରମରେ ବ୍ୟାପକ ପୋଡ଼ାଜଳା, ଗଣ୍ଡଗୋଳ, ଢେଲାମାଡ଼, ଲାଠିଚାର୍ଜ ପରେ ଶେଷରେ କମିସନରେଟ୍‌ ପୁଲିସ୍‌ ସୁର ବାବା ଓ ତାଙ୍କ ଦୁଇ ପୁଅଙ୍କୁ ଗିରଫ କରିଥିଲା। ସୁରବାବାଙ୍କ ବିରୋଧରେ ୫ଟି ସଂଗିନ୍‌ ମାମଲା ଏବେ ବି କୋର୍ଟରେ ବିଚାରାଧୀନ ଥିବା ବେଳେ ୩ ବର୍ଷ ତଳେ ସୁପ୍ରିମକୋର୍ଟରୁ ଜାମିନ ପାଇ ଆଶ୍ରମକୁ ଫେରିଥିଲେ। ମଙ୍ଗଳବାର ସୁରବାବାଙ୍କର ଦେହାନ୍ତ ପରେ ସୁର ସାମ୍ରାଜ୍ୟର ସେହି ସବୁ ବିବାଦୀୟ ପ୍ରସଙ୍ଗକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା…

କେମିତି ପଦାକୁ ଆସିଲା ସୁରଙ୍କ କାରନାମା
ବିହାରରେ ହତ୍ୟା ଭଳି ସଙ୍ଗିନ୍ ମାମଲାରେ ଜଡ଼ିତ ଥିବା ଦୁଇ ଅପରାଧୀ ଆତ୍ମଗୋପନ ପାଇଁ ଓଡ଼ିଶା ଚାଲି ଆସିଥିଲେ। ତ୍ରାହି ଅଚ୍ୟୁତ ଆଶ୍ରମ ଭିତରେ ଆଶ୍ରୟ ନେଇଥିଲେ ସେମାନେ। ଆଶ୍ରମରେ ରହି କାମଦାମ କରୁଥିଲେ। ଲୁଚିଥିବା ଦୁଇ ଅପରାଧୀଙ୍କୁ ବିହାର ପୁଲିସ ଏଠାକୁ ଆସି ଗିରଫ କରିନେବା ପରେ ତ୍ରାହି ଅଚ୍ୟୁତ ଆଶ୍ରମର କଳା କାରନାମା ପଦାକୁ ଆସିବାରେ ଲାଗିଲା। ବର୍ଷ ବର୍ଷ ଧରି ସୁରବାବାଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧରେ ସ୍ଥାନୀୟ ଲୋକେ ଏକଜୁଟ ହୋଇଥିଲେ। ସେପଟେ ଜଣେ ଆଶ୍ରିତ ଭକ୍ତ ବାବାଙ୍କ ବିଲ୍ଡର ପୁତ୍ରଙ୍କଠାରୁ ତ୍ରାହି ଅଚ୍ୟୁତ ନଗରରେ ଜମି ଓ ଘର କିଣି ସେଠାରୁ ତଡ଼ା ଖାଇଥିବା ଅଭିଯୋଗ କରି ହାଇକୋର୍ଟରେ ମାମଲା ଦାୟର କଲେ। ଧୀରେଧୀରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଥିଲା। ୨୦୧୫ ମସିହା ଅଗଷ୍ଟ ୩୦ ତାରିଖ ସନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକ ଆଶ୍ରମ ପରିସରରେ ଏକାଠି ହୋଇ ବ୍ୟାପକ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଫଳରେ ଆଶ୍ରମ ପରିସରରେ ୨୦ ଗାଡ଼ି, ଘର ପୋଡ଼ି ଛାରଖାର ହୋଇଯାଇଥିଲା। ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବାରୁ ତତ୍କାଳୀନ ପୁଲିସ କମିସନର୍‌ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ବହୁ ବରିଷ୍ଠ ପୁଲିସ ଅଧିକାରୀ ଫୋର୍ସ ସହ ପହଞ୍ଚି ଲୋକଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲୋକ ଢେଲାପଥର ମାଡ଼ କରିବାରୁ ପୁଲିସ ଲାଠିଚାର୍ଜ କରିଥିଲା। ବିଳମ୍ବିତ ରାତିରେ ପୁଲିସ୍‌ ସୁର ବାବା ଓ ତାଙ୍କର ଦୁଇ ପୁଅଙ୍କୁ ଗିରଫ କରିଥିଲା।

ସୁରଙ୍କ ବିରୋଧରେ ଥିଲା ସଙ୍ଗିନ ମାମଲା
ଜମି ଜବରଦଖଲଠାରୁ ଆରମ୍ଭ କରି ସମ୍ପତ୍ତି ହଡ଼ପ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ମହିଳାଙ୍କୁ ବ୍ଲାକମେଲିଂ କରି ଯୌନ ନିର୍ଯାତନା ଦେବା ଆଦି ବିଭିନ୍ନ ସଙ୍ଗିନ ଅଭିଯୋଗ ଥିଲା ସୁର ବାବାଙ୍କ ବିରୋଧରେ। ଖାନତଲାସି ସମୟରେ ତ୍ରାହି ଅଚ୍ୟୁତ ଆଶ୍ରମରୁ ୨ଟି ପିସ୍ତଲ, ୩ଟି ୯ଏମ୍ଏମ୍ ଗୁଳି ମଧ୍ୟ ମିଳିଥିଲା। ସୁର ବାବାଙ୍କ ବିରୋଧରେ ମୋଟ ୫ଟି ମାମଲା ରୁଜୁ ହୋଇଥିଲା। ସୁରଙ୍କ ସମେତ ତାଙ୍କର ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିକୁ ପୁଲିସ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ଛାନଭିନ୍ ସମୟରେ କ୍ରାଇମବ୍ରାଞ୍ଚ ରାଜ୍ୟ ତଥା ରାଜ୍ୟ ବାହାରେ ସୁର ବାବାଙ୍କ ନାଁରେ ୮୪ ଏକର ଜମି ଠାବ କରିଥିଲା। ସେଥି ମଧ୍ୟରୁ ଆଶ୍ରମ ନାଁରେ ୩୭ ଏକର, ସୁର ବାବା ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ୪୫ଏକର ଜମି ଠାବ ହୋଇଥିଲା। କେବଳ ୨୮ଏକର ଜମି ବଡ଼ ପୁଅ ତ୍ରିଲୋଚନ ମିଶ୍ରଙ୍କ ନାଁରେ ଥିଲା। ଉତ୍ତରପ୍ରଦେଶର ବାରାଣାସୀରେ ୧ ଏକର ଜମି, ଛତ୍ରପୁରରେ ଜମି ଜବରଦଖଲ, କାକଟପୁରରେ ଜବରଦଖଲ କରାଯାଇ ୮ ଏକର ଜମିରେ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା। କୋଲକାତା ଓ ବିହାରରେ ମଧ୍ୟ ସୁରବାବାଙ୍କ ଜମିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା। ଚନ୍ଦକା ଅଞ୍ଚଳରେ ଜଙ୍ଗଲ ଜମିରେ ମଧ୍ୟ ଏକ ଆଶ୍ରମ ଠାବ କରାଯାଇଥିଲା। ଏହା ବାଦ୍ ସରକାରୀ ଜମିରେ ବେଆଇନ ନିର୍ମାଣ କରି ଭଡ଼ା ଦେବା ଅଭିଯୋଗରେ ବାଲିଅନ୍ତା ତହସିଲଦାର ସୁରବାବାଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଥିଲେ। ପରେ ମାପଚୁପ କରାଯାଇ ଜବରଦଖଲମୁକ୍ତ କରିଥିଲା ପ୍ରଶାସନ। ୨୦୧୭ ଡିସେମ୍ବରରେ ସୁରବାବାଙ୍କୁ ଜାମିନ ମିଳିଥିଲା।

ଆଖି ଆଗରେ ଭୁଶୁଡ଼ି ଯାଇଥିଲା ସାମ୍ରାଜ୍ୟ
ସାରଥୀଙ୍କ ଭଳି ଆଖି ଆଗରେ ଭୁଶୁଡ଼ି ଯାଇଥିଲା ସୁରବାବାଙ୍କ ଆଶ୍ରମ। ଜବରଦଖଲ ଜମିରେ ଛିଡା଼ ହୋଇଥିବା ଅଟ୍ଟାଳିକାରେ ବୁଲିଥିଲା ବୁଲଡୋଜର। କେବଳ ଝିଣ୍ଟି ଶାସନ ଆଶ୍ରମରେ ନୁହେଁ ଚନ୍ଦକା ଆଶ୍ରମରେ ମଧ୍ୟ ହଟିଥିଲା ଜବରଦଖଲ। ବାବା ଜେଲ୍ ଯିବା ପରେ ଖାଁ ଖାଁ ହୋଇ ଯାଇଥିଲା ଆଶ୍ରମ। ଭକ୍ତଙ୍କ ଯିବା ଆସିବା ବନ୍ଦ ହୋଇ ଯାଇଥିଲା। କିନ୍ତୁ କେତେକ ହାତଗଣତି ଭକ୍ତ ଆଶ୍ରମକୁ ଯାଉଥିଲେ। ୨୦୧୭ ଡିସେମ୍ବରରେ ସୁରବାବା ଜେଲରୁ ଜାମିନରେ ମୁକୁଳିବା ପରେ ଆଶ୍ରମ ଯାଇଥିଲେ। କିନ୍ତୁ ପୂର୍ବପରି ଆଉ କୋଳାହଳ ନ ଥିଲା।

ବନ୍ଦ ହୋଇଯିବ ମାମଲା!
ସୁର ବାବାଙ୍କ ବିରୋଧରେ ମୋଟ ୫ଟି ମାମଲା ରୁଜୁ ହୋଇଥିଲା। ସବୁ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ସମସ୍ତ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁର ବାବା ଓରଫ୍ ସୁରେନ୍ଦ୍ର ମିଶ୍ର। ଯେହେତୁ ସୁର ବାବାଙ୍କର ଦେହାନ୍ତ ହୋଇ ସାରିଛି ଆଇନ ଅନୁସାରେ ତାଙ୍କ ବିରୋଧରେ ଚାଲୁଥିବା ମାମଲା ବନ୍ଦ ହୋଇଯିବ ବୋଲି ପୂର୍ବରୁ ମାମଲା ଲଢୁଥିବା ଓକିଲ ମନମୋହନ ପଟ୍ଟନାୟକ କହିଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ଥିବା ତାଙ୍କର ଦୁଇ ପୁଅଙ୍କ ବିରୋଧରେ ମାମଲା ଏତେ ଦୃଢ଼ ନ ହୋଇପାରେ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର