ଝିଣ୍ଟି ଶାସନର ଅଚ୍ୟୁତ ନଗରକୁ ଦୀର୍ଘ ୨୭ମାସ ପରେ ଫେରିଛନ୍ତି ସୁର ବାବା ଓରଫ୍‌ ସୁରେନ୍ଦ୍ର ମିଶ୍ର। ଶୂନ୍ୟ ପୋଥି ଖୋଲି ଅନ୍ୟର ଭବିଷ୍ୟତ ଗଣନା କରୁଥିବା ସୁର ବାବା କିନ୍ତୁ ନିଜ ପାଇଁ ପୋଥି ଖୋଲିବା ପୂର୍ବରୁ ଝାରପଡ଼ା ଜେଲ୍‌ର ଚାରି କାନ୍ଥ ଭିତରେ ପହଞ୍ଚି ଯାଇଥିଲେ। ବହୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଗହଣରେ ପ୍ରାୟ ୨ବର୍ଷରୁ ଅଧିକ ସମୟ ବିତାଇବା ପରେ ନିଜ ଶ୍ରଦ୍ଧାଳୁଙ୍କ ପାଖକୁ ଏବେ ଫେରିଛନ୍ତି। ବହୁ ସଙ୍ଗିନ ଅପରାଧିକ ମାମଲାରେ ସୁର ବାବାଙ୍କ ନାମରେ ମାମଲା ଥିବାବେଳେ ସମସ୍ତ ମାମଲା ଏବେ ରାଜ୍ୟର ବିଭିନ୍ନ କୋର୍ଟରେ ବିଚରାଧୀନ ଅଛି। ହେଲେ ସୁର ବାବାଙ୍କୁ ସମସ୍ତ ମାମଲାରେ ଜାମିନ୍‌ ମିଳିଛି। ଜାମିନ୍‌ ମିଳିବା ପରେ ଶୁକ୍ରବାର ରାତି ୮ଟା ୨୦ରେ ଅଚ୍ୟୁତ ନଗର ତଥା ତ୍ରାହି ଅଚ୍ୟୁତ ଆଶ୍ରମରେ ବାବା ପହଞ୍ଚିଛନ୍ତି। ସୁର ବାବା ଏବେ ପୁଣି ପୂର୍ବ ପରି ପୋଥି ଖୋଲି ଅନ୍ୟର ଭାଗ୍ୟ ଗଣନା କରିବେ, ଗୁରୁ ଭାଇମାନେ ବାବାଙ୍କ ଚମତ୍କାର ପୂର୍ବ ଭଳି ଦେଖିବେ ବୋଲି ବୋଲି ତାଙ୍କ ଶ୍ରଦ୍ଧାଳୁମାନେ ପ୍ରଚାର ଆରମ୍ଭ କରିଛନ୍ତି। ଆଶ୍ରମରେ ଆଜି ବାବାଙ୍କ ଦରବାର ବସିଥିବାବେଳେ ଶହ ଶହ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି।

Advertisment

ପ୍ରସ୍ତୁତି: ବିଶ୍ୱଜିତ ଦାଶ, ତାପସ ଦାସ, ନିରଞ୍ଜନ ସେନାପତି

ଗୋଶାଳା, ଧାନ ଖଳାରେ ବସିଲା ଦରବାର

publive-image

ତ୍ରାହି ଅଚ୍ୟୁତ ଆଶ୍ରମର ଆନନ୍ଦ ବଜାର (ଭୋଜନାଳୟ) ପଛ ପାର୍ଶ୍ୱରେ ଥିବା ଗୋ ଶାଳା ଏବଂ ଧାନ ଖଳାରେ ଆଜି ବାବାଙ୍କ ଦରବାର ବସିଥିଲା। ଆଗରେ ଥିବା ଅଗଣାରେ ଧାନ ଓ କୋଳଥ ଶୁଖୁଥିଲା। ଗୋଶାଳା ବାହାରେ ଗୋଟିଏ କଳା ଓ ଧଳା ବାଛୁରି ବନ୍ଧା ହୋଇଥିଲେ। ବାଛୁରି ଦୁଇଟିକୁ କଦଳୀ ଖାଇବାକୁ ଦିଆଯାଉଥିଲା। ଗୋ ଶାଳାକୁ ଲାଗିକି ଥିବା ବାରଣ୍ଡାରେ ବାବା ଏକ ଚଉକିରେ ବସିଥିଲେ। ଗୋଟିଏ ପରେ ଗୋଟିଏ ପାନ ଖାଇ ପାଟି ଲାଲ୍‌ କରିଥିଲେ। ତାଙ୍କ ସମ୍ମୁଖରେ ଏକ ଟେବୁଲ୍‌ରେ ବାବାଙ୍କ ଚର୍ଚ୍ଚିତ ପୋଥି ରଖା ଯାଇଥିଲା। ପୋଥିକୁ ଫୁଲ ମାଳ ଦ୍ୱାରା ଘୋଡ଼ାଇ ରଖାଯାଇଥିଲା। ଏହା ସେହି ଶୂନ୍ୟ ପୋଥି କି ଆଉ କେଉଁ ପୋଥି କେହି କହି ନଥିଲେ। ଆଉ ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ତାଙ୍କ ଦର୍ଶନ କରିଥିଲେ। କେତେକ ବିଶେଷ ଗୁରୁ ଭାଇଙ୍କୁ (ବାବାଙ୍କ ଶ୍ରଦ୍ଧାଳୁଙ୍କୁ କୁହାଯାଏ) ଛାଡ଼ି ଦେଲେ କାହା ସହ ବାବା କଥା ହେଉ ନଥିଲେ। ଗୁରୁ ଭାଇ ଓ ଭଉଣୀମାନେ ଯାଇ ଅଗଣାରେ ବାବାଙ୍କୁ ଦର୍ଶନ କରି ମୁଣ୍ଡିଆ ମାରି ଫେରୁଥିବା ଦେଖିବାକୁ ମିଳୁଥିଲା।

କ୍ରିୟା ତ ନାହିଁ ପ୍ରତିକ୍ରିୟା ଆସିବ କୁଆଡୁ: ସୁର ବାବା

ଦୀର୍ଘ ୨୭ମାସ ପରେ ସୁର ବାବା ସୁପ୍ରିମକୋର୍ଟରୁ ଜାମିନ୍‌ ପାଇବା ପରେ ଆଜି ତାଙ୍କ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଆଶ୍ରମ ସମ୍ମୁଖରେ ଭିଡ଼ ଜମାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଆଶ୍ରମ ଭିତରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଛାଡି ନ ଥିଲେ ଆଶ୍ରମ କର୍ତ୍ତୃପକ୍ଷ। ବାରମ୍ବାର ଅନୁରୋଧ କରାଯିବା ପରେ ଆଶ୍ରମ କର୍ତ୍ତୃପକ୍ଷ ସର୍ତ ମୂଳକ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ସର୍ତ୍ତ ଥିଲା, ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କ କ୍ୟାମେରା, ସମସ୍ତ ପ୍ରକାରରର ମୋବାଇଲ୍‌ ଫୋନ୍‌ ଆଶ୍ରମ କର୍ତୃପକ୍ଷଙ୍କ ନିଟରେ ଜମା କରିବେ। ଏହା ପରେ ବାବାଙ୍କ ପାଖକୁ ଯିବେ। କିନ୍ତୁ କିଛି ପଚାରି ପାରିବେନି, କେବଳ ଦର୍ଶନ କରିବେ। ଗଣମାଧ୍ୟମ ପ୍ରତିନିଧିମାନେ ଏହି ସର୍ତ୍ତରେ ରାଜି ହେବା ପରେ ସମସ୍ତଙ୍କୁ ଭିତରକୁ ନିଆଯାଇଥିଲା। ବାବାଙ୍କ ପାଖରେ ପହଞ୍ଚି ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପ୍ରତିକ୍ରିୟା ନେବାକୁ ବାରମ୍ବାର ଜଣାଇବାରୁ କିଛି ସମୟରେ ବାବା କହିଥିଲେ, କ୍ରିୟା ତ ନାହିଁ ପ୍ରତିକ୍ରିୟା ଆସିବ କୁଆଡ଼ୁ। ଲିଭି ଗଲା ଦୀପରେ ତେଲ ଢାଳିଲେ କିଛି ମୂଲ୍ୟ ଥାଏ କି ? ଚୋର ଗଲା ପରେ କି ସାବଧାନ ? ଏହା ପରେ ଆଉ ଦୁଇ ପଦ କଥା, ସଂସ୍କୃତ ଶ୍ଳୋକ ବୋଲି କହିଲେ ପ୍ରସାଦ ଖାଇକି ଯିବ ପ୍ରସନ୍ନତା ମିଳିବ। ଆପଣମାନେ ପ୍ରସାଦ ସେବନ କରନ୍ତୁ। ପ୍ରତିକ୍ରିୟା ଆଉ କେବେ ଦେବି, ଆଜି ହେବନି। ଏଠାରେ ଘର ଅଛି, ରାତିରେ ରହି ଯାଆନ୍ତୁ। ବାବାଙ୍କ ମୁହଁରୁ ଏତକ କଥା ନ ସରୁଣୁ ଆଶ୍ରମ କର୍ତ୍ତୃପକ୍ଷ ଗଣମାଧ୍ୟମ ପ୍ରତନିଧିମାନଙ୍କୁ ବାବାଙ୍କ ନିକଟରୁ ଆସିବାକୁ କହିଥିଲେ। ଆଉ ଆନନ୍ଦ ବଜାରରେ ବସାଇ ପ୍ରସାଦ ସେବନ କରାଇଥିଲେ।

ଏହା ପୂର୍ବରୁ ଆମ ପ୍ରତିନିଧି ଏକୁଟିଆ ଭେଟି ଅଗଣାରେ ମୁଣ୍ଡିଆ ମାରିଥିଲେ। ବାବା ପାଖକୁ ଆସିବାକୁ କହିଥିଲେ। କ’ଣ କୁହ ପଚାରିବାରୁ ଆମ ପ୍ରତିନିଧି କହିଥିଲେ ଦର୍ଶନ ପାଇଁ ଆସିଥିଲି। ବାବା କହିଥିଲେ ଭାବନାରେ ଦର୍ଶନ। ଆସିବା କ’ଣ ଦରକାର। ପ୍ରସାଦ ସେବନ କରିକି ଯିବ। ଦର୍ଶନ ହେଲା ଯାଅ।

ସାନ ମା’ ଏବେ କେଉଁଠି?

ତ୍ରାହି ଅଚ୍ୟୁତ ଆଶ୍ରମର ସବୁଠୁ ରହସ୍ୟମୟୀ ମହିଳା ସାନ ମା’ ଏବେ ବି ନିଖୋଜ। ପୁଲିସ ପାଖରେ ଏନେଇ କିଛି ସୂଚନା ଅଛି ନା ବାବାଙ୍କ ଶ୍ରଦ୍ଧାଳୁମାନେ ଏନେଇ ମୁହଁ ଖୋଲୁଛନ୍ତି। ବାବାଙ୍କ ଜଣେ ବିଶେଷ ଅନୁଗତଙ୍କ ସୂଚନା ଅନୁଯାୟୀ, ଦକ୍ଷିଣ ଓଡ଼ିଶାର ଜଣେ ନିରୀହ ଯୁବତୀ ତାଙ୍କ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବାବାଙ୍କ ନିକଟକୁ ପୋଥି ଖୋଲିବାକୁ ଆସିଥିଲେ। ଭବିଷ୍ୟତରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯିବ ବୋଲି କୁଆଡ଼େ ପୋଥି ଖୋଲି ସୁର ବାବା କହିଥିଲେ। ସମ୍ପୃକ୍ତ ଯୁବତୀ ଜଣଙ୍କ ସେହି ଦିନଠାରୁ ଆଶ୍ରମରେ ରହି ମୁଣ୍ଡରେ ସିନ୍ଦୂର ହାତରେ କାଚ ପିନ୍ଧି ନିଜକୁ ସାନ ମା’ର ପରିଚୟ ପାଇଥିଲେ। ସାନ ମା’ ସମୟଚକ୍ରରେ ବାବାଙ୍କର ଖାସ୍‌ ପାଲଟିବା ସହ ରାହାସଲୀଳା କମିଟିର କାର୍ପଟଦାର ହୋଇଥିଲେ। ଆଉ ଆଶ୍ରମର ଅନ୍ୟତମ ଉତ୍ତରାଧିକାରୀ ବୋଲି ଆତ୍ମଘୋଷଣା କରିଥିଲେ। ସାନ ମା’ଙ୍କ କଥାକୁ ଅନେକ ବିଶ୍ୱାସ କରୁଥିଲେ। ଭୟ ବି କରୁଥିଲେ। ବାବାଙ୍କ ସ୍ୱତନ୍ତ୍ର ସେବାରେ ସେ ନିୟୋଜିତ ଥିବାରୁ ତାଙ୍କ ନିର୍ଦେଶରେ ପତ୍ର ହଲୁ ନଥିଲା। ଏକଦା ପ୍ରକୃତ ମା’ (ସୁର ବାବାଙ୍କ ପତ୍ନୀ) ତାଙ୍କୁ ବିରୋଧ କରି ତୁମ୍ବି ତୋଫାନ କରିଥିଲେ। ବାବା ସୁରଙ୍କ ଦୁଇ ପୁତ୍ର ତ୍ରିଲୋଚନ ଏବଂ ବରିଞ୍ଚି ଗିରଫ ହେବା ପରେ ସେଠାକାର ମହିଳା ଯାତ୍ରୀ ନିବାସରୁ ଅନେକ ଆପତ୍ତିଜନକ ସାମଗ୍ରୀ ସର୍ବୋପରି ତ୍ରିଲୋଚନଙ୍କ ଫଟୋ ପୁଲିସ ଜବତ କରିଥିଲା। ସେବେଠୁ ସାନ ମା’ କେଉଁ ଆଡ଼େ ଉଭାନ୍‌ ହୋଇଯାଇଛନ୍ତି।

ପାଖେପାଖେ ରହିଲେ ସାନ ପୁଅ

ଆଜି ସକାଳୁ ସୁର ବାବାଙ୍କ ପାଖରେ ତାଙ୍କର କେତେକ ଖାସ୍‌ ଅନୁଗତ ଘେରି ରହିଥିଲେ। ଏପରିକି ବାବା ଯେଉଁଆଡ଼େ ଯାଉଥିଲେ ତାଙ୍କ ଅନୁଗତମାନେ ତାଙ୍କ ସହ ଯାଉଥିଲେ। ଏହାର ନେତୃତ୍ୱ ନେଉଥିଲେ ସାନପୁଅ ବିରଞ୍ଚି ମିଶ୍ର। ସେ ଧଳା ପଞ୍ଜାବୀ ପିନ୍ଧି ବାବାଙ୍କ ନିକଟରେ ବୁଲୁଥିଲେ। ବଡ଼ ପୁଅ ଜେଲ୍‌ରୁ ମୁକୁଳି ନଥିବାରୁ ବାବାଙ୍କ ସାମ୍ରାଜ୍ୟର ବୁଝାସୁଝାର ପୂରା ଦାୟିତ୍ୱ ଏବେ ସାନ ପୁଅ ମୁଣ୍ଡାଇଛନ୍ତି।

ଅପରାହ୍ଣରେ ଆଶ୍ରମ ବୁଲିଲେ

ଯେଉଁ ଆଶ୍ରମକୁ ଅତି ସୁନ୍ଦର ଭାବେ ଗଢ଼ି ପର୍ଯ୍ୟଟନସ୍ଥଳୀର ମାନ୍ୟତା ହାସଲ କରିଥିଲେ ତାହା ଖିନଭିନ୍‌ ହୋଇ ପଡ଼ିଛି। ବାବା ତାଙ୍କ ବିଧ୍ୱସ୍ତ ସାମ୍ରାଜ୍ୟକୁ ଆଜି ଅପରାହ୍ଣରେ ବୁଲି ଦେଖିଛନ୍ତି। କିପରି ଖୁବ୍‌ଶୀଘ୍ର ପୁନରୁଦ୍ଧାର ହେବ, ଭକ୍ତଙ୍କୁ ଡକାଯିବ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି। ବାବା ଆସିବା ଖବର ଗତକାଲିଠାରୁ କେତେକ ଆଶ୍ରମକୁ ଦିଆଯାଇଥିଲା। ଆଉ ଶ୍ରଦ୍ଧାଳୁଙ୍କୁ ଆଣି ଆସିବାକୁ କୁହାଯାଇଥିଲା। ପୂର୍ବପରି ବାବାଙ୍କ ଗୁଣ ଓ କୀର୍ତ୍ତିର ଯେପରି ପ୍ରଚାର ପ୍ରସାର ହେବ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଆସନ୍ତା ଦିନେ ଦୁଇ ଦିନ ଭିତରେ ବାହାର ରାଜ୍ୟରେ ଥିବା ବାବାଙ୍କ ଅନୁଗତମାନଙ୍କୁ ଆଣି ଆସିବାକୁ ଆଶ୍ରମ ମୁଖ୍ୟମାନଙ୍କୁ କୁହାଯାଇଛି। ଏହାସହିତ ଆସନ୍ତା ମାସକ ମଧ୍ୟରେ ଏକ ମହାସମ୍ମିଳନୀ ଆୟୋଜନ କରିବାକୁ ଯୋଜନା ହୋଇଛି। ଏନେଇ ଦିନେ ଦୁଇ ଦିନ ମଧ୍ୟରେ ଅଚ୍ୟୁତାନନ୍ଦ ଟ୍ରଷ୍ଟ ପକ୍ଷରୁ ଏକ ଜରୁରୀ ବୈଠକ ବସିବ। ଏକ ବିରାଟ ପଟୁଆରେ ବାବା ଏବଂ ଅନୁଗତମାନେ ବାହାରିବେ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି।

ବଟ ବୃକ୍ଷ ମୂଳରେ ଜପ

ଆଜି ପୂର୍ବାହ୍ନରେ ସମବେତ ଅନୁଗତମାନେ ଆଶ୍ରମରେ ପହଞ୍ଚି ସୁରବାବାଙ୍କୁ ଦର୍ଶନ କରିଥିଲେ। ଏହାପରେ ଆଶ୍ରମ ପରିସରରେ ଥିବା ବଟବୃକ୍ଷ ମୂଳରେ ବସି ଉପରକୁ ହାତଟେକି ‘ଜୟ ତ୍ରାହି ଅଚ୍ୟୁତ ’ ‘ ଜୟ ଜଗନ୍ନାଥ ’ ଉଚ୍ଚାରଣ କରି ଜପ କରୁଥିବା ଦେଖିବାକୁ ମିଳିଲା। ଏଥିସହିତ ଆଉ କିଛି ଅନୁଗତ ଖୋଳ, ଝାଞ୍ଜ ବଜାଇ ବଟବୃକ୍ଷର ଚାରିପାଖରେ ପରିକ୍ରମା କରି ଭଜନ କୀର୍ତ୍ତନ କରିଥିଲେ।

କ’ଣ ହୋଇଥିଲା ଅଗଷ୍ଟ ୩୦, ୨୦୧୫ରେ

୨୦୧୫ ମସିହା ଅଗଷ୍ଟ ୩୦ ତାରିଖ ସଂଧ୍ୟା। ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁରବାବାଙ୍କ ବିରୋଧରେ ଦୀର୍ଘ ଦିନ ଧରି ଚାପି ହୋଇ ରହିଥିବା ପୁଞ୍ଜୀଭୂତ ଅସନ୍ତୋଷ ପ୍ରକାଶ ପାଇଥିଲା। ହଜାର ହଜାର ସଂଖ୍ୟାରେ ଲୋକ ଆଶ୍ରମରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଏଥିରେ କାର, ଅଟୋ, ଟାଟା ମ୍ୟାଜିକ, ବାଇକ, ଆଦି ୨୦ଟି ଗାଡ଼ି ସମେତ ବାବା ବୁଲୁଥିବା କାଠ ରଥ ସଂପୂର୍ଣ ଜଳି ଯାଇଥିଲା। ଆଶ୍ରମରେ ଥିବା ଦୋକାନ ବଜାର, ହୋର୍ଡିଂ, ଦୋଳମଣ୍ଡପ, ଆଶ୍ରମ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ଲୋକ ସୁରବାବାବାଙ୍କ ଗିରଫ ଦାବି କରିଥିଲେ। ଶେଷରେ ଚାପରେ ପଡ଼ି ପୁଲିସ ରାତି ଅଢ଼େଇଟା ବେଳେ ସୁର ବାବା ଓ ତାଙ୍କ ଦୁଇ ପୁଅ ତ୍ରିଲୋଚନ, ବିରଞ୍ଚିଙ୍କୁ ଗିରଫ କରିଥିଲା। ଆଶ୍ରମ ପରିସରରୁ ଅନେକ ମାରଣାସ୍ତ୍ର, ବସ୍ତାବସ୍ତା ଟଙ୍କା ଜବତ କରିଥିଲା।

ରହସ୍ୟ ଘେରରେ ନାଇଟ୍‌ କଲେଜ୍‌ ଓ ରାହାସଲୀଳା

ସୁରଙ୍କ ଆଶ୍ରୀତ ଥିବା ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଗଣମାଧ୍ୟମ ଆଗରେ ନାଇଟ୍‌ କଲେଜ୍‌ ଓ ରାହାସଲୀଳା କଥା ନେଇ ଅଭିଯୋଗ କରିଥିଲେ। କୁହାଯାଉଥିବା ନାଇଟ୍‌ କଲେଜ୍‌ କୋଠରୀରେ ଏବେ ବି ଗୋପୀଙ୍କ ବସ୍ତ୍ର ହରଣ ଅଙ୍କିତ ଚିତ୍ର ଅକ୍ଷୁର୍ଣ୍ଣ ରହିଥିବା ଦେଖିବାକୁ ମିଳେ। ଜ୍ୟୋତ୍ସ୍ନା ପ୍ରଧାନ ଏନେଇ ଅଗଷ୍ଟ ୩୧ ତାରିଖରେ ବାଲିପାଟଣା ଥାନାରେ ଏତଲା ଦାୟର କରିଥିଲେ। ଜ୍ୟୋତ୍ସ୍ନା ଅଭିଯୋଗ ଆଣିଥିଲେ ଯେ,ବାବା ସୁର ଆଶ୍ରିତ ମହିଳାମାନଙ୍କୁ ରାତିରେ ଲକ୍ଷ୍ମୀ ମନ୍ଦିରକୁ ଡାକି ତାଙ୍କ ସ୍ୱତନ୍ତ୍ର ପଲଙ୍କରେ ବସି କୃଷ୍ଣଙ୍କ ରାହାସଲୀଳା ବର୍ଣ୍ଣନା କରୁଥିଲେ। କୋଠରୀର ବାହାରେ ବାବାଙ୍କ ଦ୍ୱାରା ପୋଷ୍ୟ ଲାଲ୍‌ବାହିନୀର ଯୁବକ ଜଗି ରହୁଥିଲେ। ସୁର ମହିଳାଙ୍କୁ ଉଲଗ୍ନ କରି ପୂଜା ବାହାନାରେ ଯୌନ ପିପାସା ଚରିତାର୍ଥ କରୁଥିଲେ।

ସମସ୍ତଙ୍କ ପାଇଁ ପ୍ରସାଦ

publive-image

ଆଶ୍ରମକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଆଜି ପ୍ରସାଦ ବ୍ୟବସ୍ଥା ହୋଇଥିଲା। ବାବାଙ୍କୁ ଯେଉଁମାନେ ଦର୍ଶନ କରିଥିଲେ ସେମାନଙ୍କୁ ପ୍ରସାଦ ସେବନ ପାଇଁ ଆନନ୍ଦ ବଜାରକୁ ଯିବାକୁ କୁହାଯାଉଥିଲା। ଆଜିର ପ୍ରସାଦରେ ମିଠା ଖେଚୁଡ଼ି, ଡାଲମା ଓ ଓଉ ଖଟା ରନ୍ଧା ହୋଇଥିଲା। ପୂର୍ବରୁ ବାବାଙ୍କ ଶ୍ରଦ୍ଧାଳୁମାନେ ଏହି ପ୍ରସାଦ କିଣି ଖାଉଥିଲେ ହେଁ ଆଜି ବାବା ଦୀର୍ଘ ୨୭ମାସ ପରେ ଦର୍ଶନ ଦେଇଥିବାରୁ ମାଗଣାରେ ପ୍ରସାଦ ସେବନ କରାଯାଇଥିଲା। ବାବା ଗିରଫ ହେବା ପରେ ମାତ୍ର ଆଜି ପର୍ଯ୍ୟନ୍ତ ପ୍ରତିଦିନ ୧୦/୧୫ଜଣଙ୍କ ପାଇଁ ରୋଷେଇ ହେଉଥିବାବେଳେ ଆଜି ପ୍ରାୟ ହଜାରେ ଲୋକଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ହୋଇଥିବା ଆଶ୍ରମର କର୍ମକର୍ତାମାନେ କହିଛନ୍ତି। ଆନନ୍ଦ ବଜାରରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ ଦାୟିତ୍ୱ ମହିଳା ଶ୍ରଦ୍ଧାଳୁଙ୍କୁ ଦିଆଯାଇଥିଲା।