ଭୁବନେଶ୍ବର: ଧଉଳି ଶାନ୍ତିସ୍ତୂପ ନିର୍ମାଣର ୫୦ ବର୍ଷ ପୂର୍ତି ପାଳନ ହେବାକୁ ଯାଉଛି। ଏହି ଉପଲକ୍ଷେ ଦେଶ ତଥା ଦେଶ ବାହାରୁ ବହୁ ସଂଖ୍ୟାରେ ଅତିଥି ଆସିବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଏହି କାର୍ଯ୍ୟକ୍ରମ ପାଇଁ ଧଉଳିରେ ଶହଶହ ସଂଖ୍ୟାରେ ପୁରୁଣା ଗଛ କଟାଯିବାକୁ ତୀବ୍ର ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଗଛକଟା ଜାରି ରହିଲେ ସେଠାରେ ଜନ ଆନ୍ଦୋଳନ କରାଯିବ ବୋଲି ସେ ସତର୍କ କରାଇଛନ୍ତି।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ ୧୯୬୨ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଓ ସମାଜର ପୂର୍ବତନ ସଂପାଦକ ରାଧାନାଥ ରଥ ସ୍ଥାନୀୟ ବିଜେବି କଲେଜର ଛାତ୍ରମାନଙ୍କୁ ନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶହ ଶହ ଛାତ୍ର ଯୋଗ ଦେଇଥିଲେ। ନିଜେ ମହତାବ ଓ ରଥ ବହୁତ ଚାରାରୋପଣ କରିଥିଲେ। ସେହିଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ମହତାବଙ୍କ ସହଯୋଗରେ ଧଉଳି ପାହାଡ଼ରେ ଏକ ଧବଳେଶ୍ବର ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ତତ୍କାଳୀନ ଗ୍ରାମ ଉନ୍ନୟନ ବିଭାଗର ସଚିବ ଡି.ପି ତ୍ରିପାଠୀ ଓ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ନେତୃତ୍ବରେ ଧଉଳି ପାହାଡ଼ରେ ବହୁ ଉନ୍ନତି କରାଯାଇଛି। ୧୯୭୭ ମସିହାରେ ଜଟଣୀର ବିଧାୟକ ହେବା ପରେ ପାହାଡ଼ ଚାରିପଟରେ ପାଚେରି, ପାହାଡ଼କୁ ରାସ୍ତା, ପାଣି ଓ ଲାଇଟ୍ ବ୍ୟବସ୍ଥା କରିଥିଲି। ଏବେ କିନ୍ତୁ ୫୦ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ପାଇଁ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ଏହି ଗଛକଟା କାର୍ଯ୍ୟର ନେତୃତ୍ବ ନେଇଥିବା ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଧଉଳିଠାରେ ଯେଉଁ ଗ୍ରାନାଇଟ ପଥର ଖଞ୍ଜାଯାଇଛି ତାହା ଉପରେ ଚାଲି କି ଯିବା ସମ୍ଭବ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ୫୫ଲକ୍ଷ ଟଙ୍କାର ଏକ ଲିଫ୍ଟ ଲଗାଯାଇଛି। ଯେହେତୁ ମୁଖ୍ୟମନ୍ତ୍ରୀ ପାହାଡ଼ ଚଢ଼ିପାରିବେ ନାହିଁ, ତାଙ୍କ ପାଇଁ ଏହି ୫୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପୂର୍ବରୁ ଦାବି ସତ୍ତ୍ବେ ବରିଷ୍ଠ ଓ ଭିନ୍ନକ୍ଷମମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇ ନଥିଲା। ମାତ୍ର କାର୍ଯ୍ୟକ୍ରମ ପରେ ଏହି ଲିଫ୍ଟକୁ ସେଠାରୁ ଉଠାଇ ନ ନିଆଯାଉ। ସେଠାରେ ଅବସ୍ଥିତ ଧବଳେଶ୍ବର ମନ୍ଦିରର ବିକାଶ ପାଇଁ ସରକାର ଟଙ୍କାଟିଏ ଖର୍ଚ୍ଚ କରୁନାହାନ୍ତି। ଛୋଟ ଦୋକାନୀମାନଙ୍କ ଥଇଥାନ ପାଇଁ ସରକାରଙ୍କ କୌଣସି ବ୍ୟବସ୍ଥା ନାହିଁ। ତେଣୁ ଧଉଳିରେ ଯେଉଁ ଗଛ କଟାଯାଇଛି ସେଥିପାଇଁ ଶିଳ୍ପୀ ସୁଦର୍ଶନ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଶ୍ରୀ ରାଉତରାୟ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ବୁନା ମହାନ୍ତି, ଆଲୋକ ମହାନ୍ତି, ନଳିନୀକାନ୍ତ ନାୟକ, ସିଲୁ ରଥ, ବାବୁ ପତି ଓ ମିହିର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।