ଜଟଣୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜଟଣୀ କଂଗ୍ରେସ ତା’ର ରଣନୀତି ପ୍ରସ୍ତୁତି ଜୋର୍ଦାର କରିଛି। ପୁଅ ମନ୍ମଥ ରାଉତରାୟଙ୍କୁ କୌଣସିମତେ ଜିତାଇବାକୁ ନିଜ କର୍ମୀମାନଙ୍କୁ ବିଧାୟକ ସୁରେଶ କୁମାର ରାଉତରାୟ ଆହ୍ବାନ ଦେଇଛନ୍ତି। ଆଜି ଯାଁଳା ଚଣ୍ଡୀମନ୍ଦିରରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ବିଧାୟକ ଶ୍ରୀ ରାଉତରାୟ କଂଗ୍ରେସ କର୍ମୀମାନଙ୍କ ସମର୍ଥନ ଲୋଡ଼ିଥିବା ବେଳେ କର୍ମୀ ଓ ଆଗଧାଡ଼ିର ନେତାମାନେ ମନ୍ମଥଙ୍କ ସମର୍ଥନରେ ଅଣ୍ଟା ଭିଡ଼ିଛନ୍ତି। କିନ୍ତୁ ମନ୍ମଥ କଂଗ୍ରେସରୁ ଲଢ଼ିବେ କି ଅନ୍ୟ ଦଳରୁ ପ୍ରାର୍ଥୀ ହେବେ, ତାହା ସ୍ପଷ୍ଟ ହୋଇପାରିନାହିଁ। ଖୋଦ୍ ବିଧାୟକ ଶ୍ରୀ ରାଉତରାୟ ମଧ୍ୟ ମନ୍ମଥ କେଉଁ ଦଳରୁ ପ୍ରାର୍ଥୀ ହେବେ, ଆଜି ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। ସେହିଭଳି ପୂର୍ବରୁ କଂଗ୍ରେସ ଟିକଟରେ ଜଟଣୀ ବିଧାନସଭା ଆସନରୁ ଲଢ଼ିବେ ନାହିଁ ବୋଲି କହିଥିବା ମନ୍ମଥ ଆଜି କିଛି ସ୍ପଷ୍ଟ କରିନାହାନ୍ତି। ତେଣୁ ଆଜିର କଂଗ୍ରେସ ବୈଠକକୁ ନେଇ ଜଟଣୀରେ ବେଶ୍ ଚର୍ଚ୍ଚା ଚାଲିଛି।
ଆଜି ଜଟଣୀ ନାଗରିକ କମିଟି ସଭାପତି କ୍ୟାପଟେନ୍ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ‘ଆମ ଜଟଣୀ, ଆମ ପରିବାର’ ପକ୍ଷରୁ ଯାଁଳାସ୍ଥିତ ଚଣ୍ଡୀମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ଶ୍ରୀ ରାଉତରାୟ ଯୋଗଦେଇଥିଲେ। ଆଗାମୀ ବିଧାନସଭା ନିର୍ବାଚନରେ ମନ୍ମଥ କିପରି ଜିତିବେ, ସେବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଟଣୀ, ଭୁବନେଶ୍ୱର, ଖୋର୍ଦ୍ଧା ବ୍ଲକ୍ ସମେତ ଜଟଣୀ ପୌରପାଳିକାର ବହୁ ଛାମୁଆ କର୍ମୀମାନେ ମନ୍ମଥଙ୍କୁ ଜିତାଇବାକୁ ଲାଗିପଡ଼ିବେ ବୋଲି ଘୋଷଣା କରିଥିଲେ। ମନ୍ମଥ କଂଗ୍ରେସରୁ ହିଁ ପ୍ରାର୍ଥୀ ହେବ ବୋଲି ବିଧାୟକ ଶ୍ରୀ ରାଉତରାୟ କହିଥିଲେ। ପୁଣି ସେ ଯେଉଁ ଦଳରୁ ପ୍ରାର୍ଥୀ ହେଲେ ବି ତାଙ୍କୁ ଜିତାଇବାକୁ ସେ କର୍ମୀମାନଙ୍କୁ କହିଥିଲେ। ତେଣୁ ମନ୍ମଥ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ବିଧାୟକ ଶ୍ରୀ ରାଉତରାୟ ସ୍ପଷ୍ଟ କରିପାରିନଥିଲେ। ଏମିତିକି ନିଜେ ମନ୍ମଥ ମଧ୍ୟ କଂଗ୍ରେସରୁ ଲଢ଼ିବେ ବୋଲି କୌଣସି ପ୍ରକାର ଘୋଷଣା କରିନଥିଲେ। ପୂର୍ବରୁ ସେ କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି କହିଥିବା ବେଳେ ଆଜି କିଛି ସ୍ପଷ୍ଟ କରିବେ ବୋଲି ଆଶା କରାଯାଉଥିଲା। ମାତ୍ର ସେଭଳି କିଛି ହୋଇନଥିଲା। କିନ୍ତୁ କିଛି ଛାମୁଆ କର୍ମୀମାନଙ୍କ କହିବା କଥା ମନ୍ମଥ କଂଗ୍ରେସରୁ ହିଁ ଲଢ଼ିବେ। ଆଜିର ବୈଠକରେ ଚନ୍ଦ୍ରଶେଖର ଗୁମାନସିଂ, ବୃନ୍ଦାବନ ସାହୁ, କଳିଙ୍ଗ କୁମାର ସାହୁ, ପୁପୁ ପଟ୍ଟନାୟକ, ପିଣ୍ଟୁ ମହାରଥୀ, ସୁନୀଲ କୁମାର ରାଉତରାୟ, ହଟକିଶୋର ପ୍ରଧାନ, ବିରଞ୍ଚି ଭଟ୍ଟ, ତ୍ରିଲୋଚନ ପ୍ରଧାନ, ସୁଧାଂଶୁ ମୋହନ ପଟ୍ଟନାୟକ, ଲୁସେନ୍ ରାୟ, ନୌସିର୍ ଅଲ୍ଲୀ, ଅଶୋକ ମଙ୍ଗରାଜ, କୋଇଲି ସୁବୁଦ୍ଧି, ପ୍ରଶାନ୍ତ ବଳିୟାରସିଂ, ବୁଲୁ ମହାପାତ୍ର, ଉଲ୍ଲାସ ମଣି ମଲ୍ଲିକ, ସଂଗ୍ରାମ ସାମଲ ପ୍ରମୁଖ ଯୋଗଦେଇଥିଲେ।