ଭୁବନେଶ୍ୱର: ସୁର ଭାଇ ଏବେ ବିଧାୟକ ନାହାନ୍ତି। ବୟସ ଅଶୀ ଟପିଲାଣି। କିନ୍ତୁ ତାଙ୍କର କ୍ରେଜ୍ ଜମା କମିନି। ତାଙ୍କ କଥା ଓ ଷ୍ଟାଇଲ୍‌ ସବୁବେଳେ ନିଆରା। ବିଧାୟକ ଥିଲା ବେଳେ ଯାହା, ନଥିଲା ବେଳେ ବି ତାହା। ଦୁଇଟା ତ ତାଙ୍କର ପ୍ରସିଦ୍ଧ ଡାଏଲଗ୍‌, ରେଡି ରେଡି... ମାଡ଼ି ଚାଲ। ଜୟଦେବ ଭବନ ପାଖରେ ଗାଡ଼ିରୁ ଓହ୍ଲାଉ ଓହ୍ଲାଉ ରେଡି.. ରେଡି କହି ସେ ଓମ୍‌ଫେଡ୍‌ ଷ୍ଟଲ୍‌ ପାଖକୁ ପଳାଇ ଆସୁଛନ୍ତି। ସଙ୍ଗେ ସଙ୍ଗେ ୧୦/୧୨ ବୁମ୍‌ ଲାଗିଯାଉଛି। ଆଉ କିଛି ଲୋକ ଘେରି ରହୁଛନ୍ତି।

Advertisment

ଭୁବନେଶ୍ବରର ରାସ୍ତାଘାଟଠାରୁ ମୋଦୀ-ପୁଟିନ୍ ଭେଟ ପର୍ଯ୍ୟନ୍ତ, ଯେଉଁ ପ୍ରସଙ୍ଗରେ ବି ପଚାରିଲେ ସୁର ଭାଇଙ୍କ ପାଖରୁ ତତ୍‌କ୍ଷଣାତ୍‌ ପ୍ରତିକ୍ରିୟା ମିଳିଯାଉଛି। ଆଉ ଯଦି କିଛି ପଚରା ନଯିବ, ‌ସୁର ଭାଇ ନିଜ ଆଡ଼ୁ ଯାହା ଇଚ୍ଛା ଗପିଦେବେ। କେତେବେଳେ ନବୀନ ପଟ୍ଟନାୟକଙ୍କୁ ଭେଟିବା କଥା ହେଉ କି କେତେବେଳେ ମୋହନ ମାଝୀଙ୍କ କାମ କରିବା ପ୍ରସଙ୍ଗ। ତାଙ୍କର କଥାଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ଥୟ। ତାଙ୍କୁ କଥାକୁ କିଏ ସିରିୟସ୍‌ ନିଅନ୍ତୁ ବା ନ ନିଅନ୍ତୁ, କିନ୍ତୁ ଏଡ଼ାଇ ପାରିବେନି। ସୁର ଭାଇଙ୍କ ପରି ଭାଇରାଲ୍‌ ହେବାକୁ ତାଙ୍କର ଦୁଇ ପୁଅ କିଛି ଉଦ୍ୟମ କରିଛନ୍ତି। କିଛି ମାସ ତଳେ ସିଦ୍ଧାର୍ଥ ରାଉତରାୟ ଜୟଦେବ ଭବନ ପାଖକୁ ଆସି ବିଭିନ୍ନ ପ୍ରସଙ୍ଗରେ କହୁଥିଲେ। କିନ୍ତୁ ତାହା ‌ସେତେଟା ଧରିଲାନି। ମନ୍ମଥ ରାଉତରାୟ ବି ମଝିରେ ମଝିରେ ଭିନ୍ନ ଢଙ୍ଗରେ କହିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ତାହା ମାର୍କେଟ୍‌ ନେଉନି। ଯାହା ହେଲେ ସୁର ଭାଇ... ସୁର ଭାଇ। ତାଙ୍କ ଷ୍ଟାଇଲ୍‌ ଅନୁକରଣ କରିବା ଏତେ ସହଜ ନୁହେଁ।