ରସୁଲଗଡ଼ରେ ଅଟକିଲା ସୁରତ ବସ୍, ୫ ଜିଲ୍ଲାର ୫୬ ଜଣଙ୍କର କରାଗଲା ସ୍କ୍ରିନିଂ, ନିଜ ଅଞ୍ଚଳକୁ ପଠାଗଲା

ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଭୁବନେଶ୍ବର : ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ୍‌ ସୁରତରୁ ଆସୁଥିବା ଖବର ପାଇବା ପରେ ରସୁଲଗଡ଼ ଛକରେ ଅଟକାଇଥିଲା ମଞ୍ଚେଶ୍ବର ଥାନା ପୁଲିସ। ଖବର ପାଇ ବିଏମସି ଓ ସ୍ବାସ୍ଥ୍ୟ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବସ୍‌ରେ ୫୬ଜଣ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ରସୁଲଗଡ଼ ଛକରେ ଥିବା ଆଶ୍ରମ ସ୍କୁଲରେ ଜଣ ଜଣ କରି ସମସ୍ତଙ୍କର ସ୍କ୍ରିନିଂ କରାଯାଇଥିଲା। ଏହାକୁ ନେଇ ସେଠାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ସ୍କ୍ରିନିଂ ପରେ ସମସ୍ତଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇ ଦିଆଯାଇଛି। ସେଠାରେ ସେମାନେ ପ୍ରଶାସନ ପକ୍ଷରୁ କରାଯାଇଥିବା ସଂଗରୋଧରେ ରହିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସୁରତର ଏକ ସୂତାକଳରେ କାମ କରୁଥିବା ୫୬ ଶ୍ରମିକଙ୍କୁ ନେଇ ଏକ ବସ୍ ଓଡ଼ିଶା ଆସିଥିଲା। ସେହି ବସ୍‌ରେ ପୁରୀ ଜିଲ୍ଲାର ୩୩, ଖୋର୍ଦ୍ଧାର ୭, ବାଲେଶ୍ବରର ୯, ନୟାଗଡ଼ର ୪ ଓ ଢେଙ୍କାନାଳର ୩ ଜଣ ଆସିଥିଲେ। ବସ୍ ଢେଙ୍କାନାଳ ଦେଇ ଆସୁଥିବା ବେଳେ ସେଠାରେ ସେହି ଜିଲ୍ଲାର ଲୋକ ଓହ୍ଲାଇବାକୁ ଚାହିଥିଲେ। କିନ୍ତୁ ପ୍ରଶାସନ ଅନୁମତି ଦେଇ ନ ଥିଲା। କଟକରେ କିଛି ସୁରଟ ଫେରନ୍ତା ଓହ୍ଲାଇବାକୁ ଚାହିଥିଲେ ବି ଅନୁମତି ମିଳି ନ ଥିଲା। ସୁରତ ଫେରନ୍ତାଙ୍କ ବସ୍ ସିଧା ଭୁବନେଶ୍ବର ଆସିବା ପରେ ପୁଲିସ ଖବର ପାଇଥିଲା। ବିଏମସି ଟିମ୍ ପହଞ୍ଚି କୋଚିଲେଇ ହାଟଠାରୁ ରସୁଲଗଡ଼ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍ କରି ଦେଇଥିଲା। ସେହି ବାଟ ଦେଇ କୌଣସି ଗାଡ଼ିକୁ ଛଡ଼ା ଯାଇ ନ ଥିଲା। ପାଖରେ ଥିବା ସ୍କୁଲରେ ସମସ୍ତଙ୍କର ସ୍କ୍ରିନିଂ କରାଯିବା ସହ ସମ୍ପୂର୍ଣ୍ଣ ଠିକଣା ରେଜିଷ୍ଟରରେ ଉଲ୍ଲେଖ କରାଯାଇଥିଲା। ପ୍ରାୟ ୫ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା। ଏହା ପରେ ପ୍ରବାସୀ ଫେରନ୍ତାଙ୍କୁ ସେମାନଙ୍କ ନିଜ ନିଜ ଅଞ୍ଚଳକୁ ପଠାଇ ଦିଆ ଯାଇଥିଲା। ନିମାପଡ଼ାର ବିକାଶଙ୍କ କହିବା ଅନୁସାରେ, ସେଠାରେ ଖାଇବା ପିଇବା ଅସୁବିଧା ହେବାରୁ ସେମାନେ ନିଜ ଗାଁକୁ ଫେରିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର