ଭୁବନେଶ୍ବର: ପାଖାପାଖି ୪ ମାସ ହେଲା କଟକ ଓ ଭୁବନେଶ୍ବରରେ ଛିନ୍‌ତାଇ କରି କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ‘ସୁରଟ ଗ୍ୟାଙ୍ଗ୍‌’ ଧରାପଡ଼ିଛି। ଗୁଜରାଟ ସୁରଟରୁ ଭୁବନେଶ୍ବର ପର୍ଯ୍ୟନ୍ତ ଅପରାଧର ଚେର ଲମ୍ବିଥିବା ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ସହ ଜଣେ ମରାଠୀ ଦୁର୍ଦ୍ଦାନ୍ତ ଓ ଅନ୍ୟ ୨ଜଣ ପୁଲିସ ପଞ୍ଝାରେ ପଡ଼ିଛନ୍ତି। ସେମାନେ ହେଲେ ସହିଦନଗର ଥାନା ପଥରବନ୍ଧବସ୍ତିରେ ଡେରା ପକାଇଥିବା ଏହି ଗ୍ୟାଙ୍ଗ୍‌ର ମୁଖିଆ ପୁରୀ ବାଟମଙ୍ଗଳା ଅଳିକିଆର ସୁବାସ ପ୍ରଧାନ(୩୪), ଗଞ୍ଜାମ ପୋଲସରାର ଜିତୁ ବେହେରା(୩୦) ଓ ମହାରାଷ୍ଟ୍ର ଅକୋଲା ଜିଲ୍ଲା ମଜ୍ଜିର ଖଣ୍ଡାଲାର ଅମିତ୍‌ ସଡ଼ାଙ୍କେ(୩୦)। ଏହି ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କ ସହ ଧରାପଡ଼ିଥିବା ଜଣେ ନାବାଳକକୁ ଜେଜେବିରେ ହାଜର କରାଯାଇଥିଲା। ତାକୁ ବ୍ରହ୍ମପୁର ବାଳ ସୁଧାରଗୃହକୁ ପଠାଇଦିଆଯାଇଛି। ପୁଲିସ ସେମାନଙ୍କଠାରୁ ୮ଟି ସୁନା ଚେନ୍‌, ୫ ନକଲି ଚେନ୍‌, ୨ ପଲ୍‌ସର୍‌ ବାଇକ୍‌ ଓ ଗୋଟିଏ ବଡ଼ ଛୁରି ବା ଖଞ୍ଜର ଜବତ କରିଛି। ଏହି ଗ୍ୟାଙ୍ଗ୍‌ର ପାଖାପାଖି ଆଉ ୫ଜଣ ରାଜଧାନୀ ଛାଡ଼ି ବାହାରକୁ ପଳାଇଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍‌କୁ ଗୁଜରାଟ ପୁଲିସ ଖୋଜୁଥିବା ଜଣାପଡ଼ିଛି। ବଟି ପାଇଁ ହତ୍ୟାକାଣ୍ଡ ଭିଆଇବା ଭଳି ସଂଗିନ୍‌ ମାମଲାରେ ଉଭୟ ସୁବାସ ଓ ଅମିତ୍‌ ସୁରଟ ପୁଲିସର ୱାଣ୍ଟେଡ୍‌ ତାଲିକାରେ ଅଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିପି ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂ ଏହି ଗ୍ୟାଙ୍ଗ୍‌ ବାବଦରେ ବିବରଣୀ ଦେଇଥିଲେ।  

Advertisment

ପୂର୍ବରୁ ଏହି କୁଖ୍ୟାତ ଗ୍ୟାଙ୍ଗ୍‌ ବଟି ପାଇଁ ହତ୍ୟା କରିବା ଭଳି ସଂଗିନ୍ କାଣ୍ଡ ଭିଆଇବା ଉଦାହରଣ ଥିଲେ ବି ଏବେ ରାଜଧାନୀରେ କେବଳ ଛିନ୍‌ତାଇ କରୁଥିଲା। ଗତ ୪ ମାସ ଭିତରେ କଟକ, ପୁରୀ ଓ ଭୁବନେଶ୍ବରରେ ଏମାନେ ୮ଟି ବଡ଼ଧରଣର ଛିନ୍‌ତାଇ କରିଥିଲେ। ସୁଯୋଗ ଉଣ୍ଡି ମହିଳା ଓ ଯୁବତୀଙ୍କୁ ଆକ୍ରମଣ କରି ହାର, ଚେନ୍, ପର୍ସ, ଟଙ୍କା ଛଡ଼ାଇ ନେଉଥିଲେ। କଟକ ଚାଉଳିଆଗଞ୍ଜ, ଭୁବନେଶ୍ବର ବଡ଼ଗଡ଼, ଲକ୍ଷ୍ମୀସାଗର ଓ ନୂଆପଲ୍ଲୀ ଥାନା ଅଞ୍ଚଳରୁ ୮ଟି ବଡ଼ଧରଣ ଲୁଟ୍‌ କରିବା ପରେ ଏମାନଙ୍କୁ ଧରିବା କମିସନେରଟ୍‌ ପୁଲିସ୍‌ ପାଇଁ ଆହ୍ବାନ ପାଲଟିଥିଲା। ୨୦ ତାରିଖ ଦିନ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଜଣେ ମହିଳା ଓ ବଡ଼ଗଡ଼ ଅଞ୍ଚଳର ଜଣେ ମହିଳାଙ୍କଠାରୁ ଏହି ଗ୍ୟାଙ୍ଗ୍‌ ସୁନାଚେନ୍‌ ଝାମ୍ପିନେଇଥିଲେ। ତେଣୁ ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ସ୍ପେସାଲ୍‌ ସ୍କ୍ବାଡ୍‌ ଏସିପି ହିମାଂଶୁ ସ୍ବାଇଁଙ୍କ ନେତୃତ୍ବରେ ପିଓପିଡି ଟିମ୍‌ ଓ ଟିମ୍‌-୬୦ ଏହି ଗ୍ୟାଙ୍ଗ୍‌କୁ ଠାବ କରିବାକୁ ଲାଗି ପଡ଼ିଥିଲେ। ପୁଲିସ ବିଭିନ୍ନ ସ୍ଥାନରୁ ମିଳିଥିବା ସିସିଟିଭି ଫୁଟେଜ୍‌ରୁ ଗୋଟିଏ ବାଇକ୍‌କୁ ଚିହ୍ନଟ କରିବା ପରେ ଅପରେସନ୍‌ ସଫଳହୋଇଥିଲା। ପଥରବନ୍ଧବସ୍ତିରୁ ବାଇକ୍‌କୁ ଠାବ କରାଯିବା ପରେ ଗ୍ୟାଙ୍ଗ୍‌ ଧରାପଡ଼ିଥିଲା।

ସୂତାକଳରୁ ଅପରାଧ ଜଗତ 
୨୦୦୮ ମସିହାରେ ସୁବାସ ସୂତାକଳରେ ଶ୍ରମିକ ଚାକିରି ପାଇଁ ସୁରଟ ଯାଇଥିଲା। ସେଠାରେ ବାଲାଜୀ କମ୍ପାନିର ସୁତାକଳରେ କାମ ପାଇଯାଇଥିଲା। କିନ୍ତୁ ଅଧିକ ଅର୍ଥ ଉପାର୍ଜନ ଆଶାରେ ସେ ସେଠା‌ରେ ସ୍ଥା‌ନୀୟ ଗୁଣ୍ଡାମାନଙ୍କ ଗ୍ୟାଙ୍ଗ୍‌ରେ ମିଶିଯାଇଥିଲା। ଏହା ଭିତରେ ଏକ ହୀରା ଫ୍ୟାକ୍ଟ୍ରିରେ କାମ କରୁଥିବା ମରାଠୀ ଅପରାଧୀ ଅମିତ ସହ ତା’ର ସାକ୍ଷାତ ହୋଇଥିଲା। ସୁବାସ ନେତୃତ୍ବରେ ଓ ଅମିତର ସହଯୋଗରେ ସୁରଟରେ ଏକ ନୂଆ ଗ୍ୟାଙ୍ଗ୍‌ ଗଢ଼ିଉଠିଥିଲା। ବଟି ଆଦାୟ କରିବା ଥିଲା ଏହି ଗ୍ୟାଙ୍ଗ୍‌ ମୁଖ୍ୟ କାମ। ବଟି ପାଇଁ ସେମାନେ ୨୦୧୪ ମସିହାରେ ଏକ ହତ୍ୟାକାଣ୍ଡ ଭିଆଇଥିଲେ। ଜାମିନରେ ମୁକୁଳିବା ପରେ ପୁଣି ବଟି ଆଦାୟ ଚଳାଇଥିଲେ। କିନ୍ତୁ ସୁରଟ ପୁଲିସର ଘନଘନ ମାଡ଼ରୁ ବର୍ତ୍ତିବାକୁ ମଝିରେ ମଝିରେ ସୁବାସ ଓଡ଼ିଶା ପଳାଇଆସୁଥିଲା।

ପୁରୀରେ ବଳିପଡ଼ିଥିଲା ଭାଇ, ଏନ୍‌କାଉଣ୍ଟର୍‌ରୁ ବର୍ତ୍ତିଯାଇଥିଲା ସୁବାସ
ସେମାନେ ସୁରଟରୁ ପୁରୀ ଆସୁଥିବା ବେଳେ ପୁରୀରେ ଲୁଟ୍‌ପାଟ ଚଳାଉଥିଲେ। ସୁରଟ ଗୁଣ୍ଡାଙ୍କୁ ଆଣି ସୁବାସ ପୁରୀରେ ଆତଙ୍କରାଜ୍‌ ଚଳାଉଥିଲା। ୨୦୧୧ ମସିହାରେ ଅନ୍ୟ ଏକ ଗ୍ୟାଙ୍ଗର ସଦସ୍ୟମାନେ ସୁବାସର ବଡ଼ଭାଇକୁ ଗୁଳି କରି ହତ୍ୟା କରିଥିଲେ। ପ୍ରତିଶୋଧ ନେବାକୁ ଯାଇ ୨୦୧୩ ମସିହାରେ ସୁବାସ ପ୍ରତିପକ୍ଷର ସଦସ୍ୟଙ୍କୁ ହତ୍ୟା ପାଇଁ ୫ରାଉଣ୍ଡ ଗୁଳି କରିଥିଲା। ହେଲେ ସେମାନେ ବର୍ତ୍ତିଯାଇଥିଲେ। ବିରୋଧୀ ଗ୍ୟାଙ୍ଗ୍‌କୁ ଦମନ କରିବା ପାଇଁ ସୁବାସ ସୁରଟରୁ ୬ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଡକାଇଥିଲା। ଗ୍ୟାଙ୍ଗ୍‌ ୱାର୍‌ରେ ସୁବାସର ଜଣେ ଗୁଜରାଟୀ ପ୍ରତିପକ୍ଷର ଗୁଳିମାଡ଼ରେ ଟଳିପଡ଼ିଥିଲା। ପୁଲିସକୁ ଚକ୍‌ମା ଦେବା ପାଇଁ ସୁବାସ ମୃତଦେହକୁ ଟ୍ରେନ୍‌ରେ ସୁରଟ ପଠାଇଦେଇଥିଲା। କିନ୍ତୁ ସୁରଟ୍‌ ପୁଲିସ ସେହି ମାମଲାରେ ସୁବାସକୁ ଗିରଫ କରିଥିଲା। ୨୦୧୮ ମସିହାରେ ସୁବାସକୁ ଚନ୍ଦନପୁର ଥାନା ପୁଲିସ ଏନ୍‌କାଉଣ୍ଟର କରିଥିଲା।