ମୁଁ ସୁରତ ଫେରନ୍ତା, କିନ୍ତୁ କରୋନା ଆକ୍ରାନ୍ତ ନୁହେଁ…ଜାଣନ୍ତୁ କାହିଁକି ଏମିତି କହିଲେ ଯୁବକ

ଭୁବନେଶ୍ବର : ମୁଁ ସୁରତ ଫେରନ୍ତା, କିନ୍ତୁ କରୋନା ଆକ୍ରାନ୍ତ ନୁହେଁ…। ସଦ୍ୟ ସୁରତରୁ ଫେରିଥିବା ପପୁ ପାଲ୍‌ଙ୍କ ମୁହଁରେ ଏହି ଭୟାତୁର ବାକ୍ୟ ଶୁଣି ମନେ ପଡ଼ୁଥିଲା ଶାହରୁଖ୍‌ ଖାନ୍‌ଙ୍କ ଚର୍ଚ୍ଚିତ ସଂଳାପ, ‘ମାଇଁ ନେମ୍‌ ଇଜ୍‌ ଖାନ୍‌, ଆଣ୍ଡ୍‌ ଆଇ ଆମ ନଟ୍‌ ଏ ଟେରୋରିଷ୍ଟ୍‌’। ପପୁ ବି ସେଇ ଏକା କଥା ପ୍ରମାଣିତ କରିବାକୁ ଚାହୁଁଥିଲେ। ସେ ହୁଏତ ସୁରତ ଫେରନ୍ତା, କିନ୍ତୁ ସେ କରୋନା ରୋଗୀ ନୁହଁନ୍ତି। ସୁରତରୁ ଫେରିଥିବା ବ୍ୟକ୍ତିଙ୍କୁ ବାଲେଶ୍ବରର ବାଲିଆପାଳରେ ବ୍ଲକ୍‌ ଉନ୍ନୟନ ଅଧିକାରୀ (ବିଡିଓ) ଯେପରି ବ୍ୟବହାର ପ୍ରଦର୍ଶନ କଲେ ଏବଂ ରାଜଧାନୀର ସିଆର୍‌ପି ଛକରେ ଭେଟିଥିବା ପପୁଙ୍କ ଭୟାତୁର ଅଭିବ୍ୟକ୍ତି ହିଁ ସୂଚେଇ ଦେଉଥିଲା ସୁରତ ଫେରନ୍ତାଙ୍କ ପ୍ରତି ଲୋକଙ୍କ ମନୋଭାବ କିପରି ବଦଳି ଯାଇଛି। ସରକାର ଦେଉଥିବା କରୋନା ପଜିଟିଭ୍‌ ତାଲିକାରେ ଅଧିକାଂଶ ସୁରତ ଫେରନ୍ତା ହୋଇଥିବାରୁ ସାଧାରଣ ଲୋକଙ୍କ ଭିତରେ ସୁରତ ଫେରନ୍ତାଙ୍କୁ ନେଇ କୋକୁଆ ଭୟ ଖେଳିଯାଇଛି। କେହି ତାଙ୍କ ପାଖ ମାଡ଼ିବା ତ ଦୂରର କଥା, ତାଙ୍କୁ କଳରୁ ପାଣି ମୁନ୍ଦେ ବି ବୋତଲରେ ଭର୍ତି କରିବା ପାଇଁ ଦେଉନାହାନ୍ତି। ଏହା ଆମେ ନୁହେଁ, ସୁରତରୁ ଫେରିଥିବା ପପୁ ଏଇ କଥା ବଖାଣିଛନ୍ତି।

କେବଳ ସୁରତ ନୁହେଁ, ବିଶାଖାପାଟଣାରୁ ଫେରି ନିଜ ଘର ଅଭିମୁଖେ ଯାଉଥିବା ଡାକ୍ତର ଖଣ୍ଡେଇ କହିଛନ୍ତି, ମୁଁ ସେଠାରେ ଏକ ପ୍ଲାଏ ଦୋକାନରେ କାମ କରେ। ସେଠୁ ୩ ଦିନ ତଳେ ଆମେ ଓଡ଼ିଶାର ୭ ଜଣ ବାହାରି ଏକ ଟ୍ରକ୍‌ରେ ଅଧାବାଟ ଯାଏ ଆସିଲୁ। ପୁଣି ଅଧାରୁ ଆଉ ଏକ ଟ୍ରକ୍‌ ଚଢ଼ିଲୁ। ସେଠୁ ବାହାରିବା ଦିନରୁ ଗାଧେଇନୁ। ବରଂ ଯୋଉଠି ମାଗଣା ଖାଦ୍ୟ ମିଳୁଥିଲା, ସେଇଠି ଅଟକୁଥିଲୁ। ଡାକ୍ତର ପିନ୍ଧିଥିବା ପୋଷାକ ଏକଦମ ମସିଆ ହୋଇଯାଇଥିଲା। ଦେହ ଝାଳରେ ଜୁଡ଼ୁବୁଡ଼ୁ ହୋଇଯାଇଥିଲା। ଶରୀର ସାରା ଧୂଳି ବସି ଯାଇଥିଲା। ତାଙ୍କ ମାସ୍କଟି ଏତେ ମଇଳା ଥିଲା, ଯେମିତି ଘରେ ପହଞ୍ଚିବା ବେଳକୁ ତାଙ୍କୁ ସେଇ ମାସ୍କରୁ ସଂକ୍ରମଣ ହେଇଯିବା ଭଳି ଲାଗୁଥିଲା। ଖାଦ୍ୟ କି ପାନୀୟର ଠିକଣା ନଥିଲା। ଭାତ ପ୍ରିୟ ହୋଇଥିଲେ ହେଁ, ‌ସେମାନେ ବିସ୍କୁଟ୍‌ ଖାଇଖାଇ ଆସିଛନ୍ତି ବୋଲି କହିଥିଲେ। ଏଇ ୩ ଦିନ ହେଲା ତାଙ୍କ ପାଇଁ ଭାତ ଯେମିତି ସ୍ବପ୍ନ ହେଇଯାଇଛି ‌ବୋଲି ସେ କହିଛନ୍ତି।

ହାଇଦ୍ରାବାଦରୁ କଣାସ ଅଭିମୁଖେ ଯାଉଥିବା ଧବଳେଶ୍ବର ନିଶଙ୍କ ଖାଲି ଦେହରେ ଏକ ଗଞ୍ଜିଟିଏ ଗଳାଇ ଚାଲୁଥିବା ବେଳେ ରସୁଲଗଡ଼ ନିକଟରେ ଭେଟ ହୋଇଥିଲେ। ଗାଡ଼ି ଅଟକାଇବା କ୍ଷଣି ପାଖକୁ ଦୌଡ଼ି ଆସି କହିଥିଲେ, ଭାଇ କୋଉଠୁ ଟିକେ ଅଟୋଟେ ବୁଝିଦିଅ, ଆମେ କଣାସ ଯିବୁ। ଟ୍ରକ୍‌ରେ ଗୁଡ଼ାଏ ବାଟ ଆସିଲୁ। ମଝିରେ ବହୁ ବାଟ ଚାଲିଲୁଣି। ଆଉ ଗୋଡ଼ ଚଳୁନି। ଟିକେ ସାହାଯ୍ୟ କର…। ‌ସେମାନଙ୍କର ଏପରି ଅବସ୍ଥା ଦେଖି ତାଙ୍କୁ ପୁଲିସ୍‌ର ସହାୟତା ନେବାକୁ କହିବାରୁ ସେମାନେ ତରତର ହୋଇ ପଳାଉଥିଲେ। କହିଥିଲେ, ଥାଉ ଭାଇ ପୁଲିସ୍‌କୁ ଡାକିଲେ ସେମାନେ ଆମକୁ କ୍ବାରାଣ୍ଟିନ୍‌ ଘରେ ଭର୍ତି କରିଦେବେ। ଏତେ କଷ୍ଟରେ ହାଇଦ୍ରାବାଦରୁ ଆସିଲୁ। ୩ ଦିନ ହେଲା ଗାଧୋଇନୁ କି ଭଲରେ ଖାଦ୍ୟ ଗଣ୍ଡେ ଖାଇନୁ। ଘରକୁ ଆସିବୁ ବୋଲି ୨ହଜାର ଟଙ୍କା ଦେଇ ଟ୍ରକ୍‌ରେ ଛିଡ଼ା ହେଇ ଆସିଛୁ। ଆହୁରି ପୁଣି ୨୮ଦିନ କ୍ବାରାଣ୍ଟିନ୍‌ ଗୃହରେ କେମିତି ରହିବୁ? ଏହା କହି ତୁରନ୍ତ ସେ ଜାଗା ଛାଡ଼ି ସେ ଓ ତାଙ୍କର ୨ ସାଙ୍ଗ ପଳାଇଥିଲେ।

ସମ୍ବନ୍ଧିତ ଖବର