ଭୁବନେଶ୍ବର: ‘ସୁରଭି’ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅନନ୍ୟ ସଂଯୋଗ। କଠିନ ପରିଶ୍ରମ ବଳରେ ଛାତ୍ରଛାତ୍ରୀମାନେ ‘ସୁରଭି’ ମଞ୍ଚରେ ପହଞ୍ଚିପାରିଛନ୍ତି। ବିକଶିତ ଓଡ଼ିଶା ଗଠନରେ ଦିଗରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ‘ସୁରଭି’ର ଦ୍ବିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମତବ୍ୟକ୍ତ କରିଛନ୍ତି। ଏଥିସହ ପିଏମ୍ ଶ୍ରୀ ଭଳି ଯୋଜନାକୁ ସବୁ ବିଦ୍ୟାଳୟରେ ପହଞ୍ଚାଇବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ବିତୀୟ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀମତୀ ପରିଡ଼ା ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି। ଅନ୍ୟମ‌ାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିସନର ଶାଲିନୀ ପଣ୍ଡିତ, ଅତିରିକ୍ତ ସଚିବ ମନୋଜ କୁମାର ପାଢ଼ୀ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ବିତୀୟ ଦିବସ

Advertisment

ମହୋତ୍ସବର ଦ୍ବିତୀୟ ଦିବସରେ ମଧ୍ୟ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ଦ୍ବିତୀୟ ଦିବସ ପୂର୍ବାହ୍ନରେ ଛାତ୍ରଛାତ୍ରୀମାନେ ଖଣ୍ଡଗିରି, ଉଦୟଗିରି, ଧଉଳିଗିରି, ନନ୍ଦନକାନନ, କଳାଭୂମି, ଆଞ୍ଚଳିକ ବିଜ୍ଞାନକେନ୍ଦ୍ର, ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରହାଳୟ, ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଓ ନ୍ୟାଚୁରାଲ ହିଷ୍ଟ୍ରି ଅଫ୍ ମ୍ୟୁଜିୟମ୍ ପରିଭ୍ରମଣ କରିଥିଲେ। ଅପରାହ୍ଣରେ ଛାତ୍ରଛାତ୍ରୀଙ୍କ ପାଇଁ ‘ମିଟ୍‌ ଦ ପର୍ସନାଲିଟି’ କାର୍ଯ୍ୟକ୍ରମରେ ମୁମ୍ବାଇ ଟାଟା ମେମୋରିଆଲ ହସ୍ପିଟାଲର ଡାକ୍ତର ଲିଙ୍ଗରାଜ ନାୟକ, ଲୋପ ପାଇଯାଉଥିବା ବିହନକୁ ସଂଗୃହୀତ କରି ପ୍ରଂଶସା ସାଉଁଟିଥିବା କୋରାପୁଟର ଝିଅ ହର୍ଷିତା ପ୍ରିୟଦର୍ଶିନୀ, ଚଳିତ ବର୍ଷ ଦଶମ ପରୀକ୍ଷାର ଟପ୍ପର ରତିକାନ୍ତ ପ୍ରଧାନ ଓ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ରଘୁରାମ ଆୟର୍‌ ପରିଚାଳନା କରିଥିଲେ।