ଭୁବନେଶ୍ୱର: ବିଏମ୍ସିକୁ ଲାଗି ଭୁବନେଶ୍ବର ଭଳି ଅବିକଳ ନୂଆ ସହର(ନ୍ୟୁ ସିଟି) ଗଢ଼ାହେବ। ପ୍ରାୟ ୧ଲକ୍ଷ ଜନବସତି ବିଶିଷ୍ଟ ଏହି ନୂଆ ସହରରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ। ରାସ୍ତାଘାଟ, ପାଣି, ବିଜୁଳି ଭଳି ମୌଳିକ ସୁବିଧା ସହ ଏହା ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିବ। ଆଇଟି ହବ୍ ହେବ। ସିଙ୍ଗାପୁର କମ୍ପାନି ସୁର୍ବନ୍ ଜୁରୋଙ୍ଗ(ଏସ୍ଜେ) ପ୍ରାଇଭେଟ୍ ଲିମିଟେଡ୍ ସହ ମିଶି ବିଡିଏ ଏହି ପ୍ରକଳ୍ପ କାମ କରିବ। ରାଜ୍ୟ ସରକାର ବି ଏହି ‘ନ୍ୟୁ ସିଟି’ ପ୍ରକଳ୍ପକୁ ପୂର୍ଣ୍ଣ ରୂପ ଦେବାକୁ ଜୋର୍ ଦେଇଛନ୍ତି। ସୁର୍ବନ୍ ଜୁରୋଙ୍ଗ ପ୍ରାଇଭେଟ୍ ଲିମିଟେଡ୍ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି।
ଆଜି ଖାରବେଳନଗରସ୍ଥିତ କାର୍ଯ୍ୟାଳୟରେ ଗୃହନିର୍ମାଣ ଓ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ସୁର୍ବନ୍ ଜୁରୋଙ୍ଗ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଓ ଆଞ୍ଚଳିକ ନିର୍ଦ୍ଦେଶକ ଅଭିଷେକ ମାଲହୋତ୍ରା ଭେଟିଛନ୍ତି। ବୈଠକରେ ସହରାଞ୍ଚଳ ଭିତ୍ତିଭୂମି ଏବଂ ପରିଚାଳିତ ସେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ଭୁବନେଶ୍ୱର ନୂତନ ସହର ପ୍ରକଳ୍ପ ଉପରେ ଗୁରୁତ୍ବାରୋପ ସହ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାର ପ୍ରସ୍ତାବିତ ନୂଆ ସହର ପାଇଁ ୩୩୮.୪୩୬ ହେକ୍ଟର ଜମି ଚିହ୍ନଟ କରିଛନ୍ତି। ଭୁବନେଶ୍ବର ବାହାରେ ତମାଣ୍ଡୋକୁ ଲାଗି ତିନି ରାଜସ୍ବ ଗ୍ରାମ ଗୋଠପାଟଣା, ମଳିପଡ଼ା ଓ ଦାସପୁରକୁ ନେଇ ଏହି ନୂଆ ସହର ଗଢ଼ା ହେବ। ବିଡିଏ ଜେଏଲ୍ଏଲ୍ କମ୍ପାନିକୁ ଏହାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ଦାୟିତ୍ବ ଦେଇଛି। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତ ସମୟରେ ଏନେଇ ବିଡିଏ ଓ ଜେଏଲ୍ଏଲ୍ କମ୍ପାନି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ଓଡ଼ିଶାକୁ ବିଶ୍ବସ୍ତରୀୟ ସହରାଞ୍ଚଳର ରୂପ ଦେବାରେ ଭୁବନେଶ୍ୱର ନୂତନ ସହର ପ୍ରକଳ୍ପ ଏକ ଐତିହାସିକ ପଦକ୍ଷେପ। ସୂଚନାଯୋଗ୍ୟ ଯେ ନ୍ୟୁ ସିଟି ପ୍ରକଳ୍ପ କାମ ପାଇଁ କେନ୍ଦ୍ର ସରକାର ୨୫ ପ୍ରତିଶତ, ରାଜ୍ୟ ସରକାର ୨୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବେ। ବାକି ୫୦ ପ୍ରତିଶତ ଅର୍ଥ ଋଣ ଆକାରରେ ଅଣାଯିବ।