ସୁରେଖା ପଲେଇ ହତ୍ୟା ଘଟଣା: ବିବାହ ପାଇଁ ରାଜି ନ ହେବାରୁ ମାରିଦେଲା!

ବୟସରେ ସାନ ପାଇଁ ରାଜି ହେଉ ନଥିଲେ ସୁରେଖା, ୨ ଅଟକ, ଛୋଟୁକୁ ଧରିବା ପାଇଁ ନୟାଗଡ଼ରେ ପୁଲିସ

ଭୁବନେଶ୍ବର: ତାରିଣୀ ବସ୍ତି ସୁରେଖା ପଲେଇ (୨୧) ହତ୍ୟା ଘଟଣାରେ ଭରତପୁର ପୁଲିସ୍‌କୁ ଆଜି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ, ପ୍ରମାଣ ମିଳିଛି। ସୁରେଖା ଓ ଅଭିଯୁକ୍ତ ଛୋଟୁ ମଧ୍ୟରେ ପ୍ରେମ ସଂପର୍କ ଥିଲା ଓ ଛୋଟୁ ତାଙ୍କୁ ବିବାହ କରିବାକୁ ଚାହୁଥିଲା ବୋଲି ସୁରେଖାର ମା’ ପୁଲିସ୍‌କୁ ବୟାନ ଦେଇଛନ୍ତି। କିନ୍ତୁ ଛୋଟୁ ତାଙ୍କଠାରୁ ୪ରୁ ୫ବର୍ଷ ସାନ ଥିବାରୁ ସୁରେଖା ବିବାହ ପାଇଁ ପ୍ରସ୍ତୁତ ନଥିଲେ। ଏହାକୁ ନେଇ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଉଥିଲା। ଏହା ସୁରେଖାଙ୍କ ହତ୍ୟାର କାରଣ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ନା କ୍ଷଣିକ ଉତ୍ତେଜନାରେ ସୁରେଖା ହତ୍ୟାର ଶିକାର ହୋଇଛନ୍ତି, ଛୋଟୁ ଧରାପଡ଼ିବା ପରେ ତାହା ଅଧିକ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ଅପରପକ୍ଷେ ଏହି ଘଟଣାରେ ପୁଲିସ୍‌ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ଉକ୍ତ ରାତିରେ ଛୋଟୁ ସହ ଏହି ହତ୍ୟାକାଣ୍ଡରେ ସାମିଲ ଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ସୁରେଖାଙ୍କ ମୃତ୍ୟୁ ହେବା ପରେ ସେମାନେ ତାଙ୍କ ମୃତଦେହକୁ ଧରି ସୁରେଖାଙ୍କ ରୁମ୍‌ରେ ମୁହଁ ମାଡ଼ି ତଳେ ଶୁଆଇ ଦେଇଥିଲେ। ସୁରେଖାଙ୍କ ଗୋଡ଼ରେ ମାଟି, କାଦୁଅ ଲାଗିଥିବାରୁ, ସେମାନେ ଶବକୁ କିଛି ବାଟ ଘୋଷାରି ଘୋଷାରି ନେଇଥିବା ସନ୍ଦେହ କରାଯାଉଛି। ସେହିପରି ଘର ନିକଟରେ ଥିବା ଏକ ପାଣି ଟ୍ୟାପ୍‌ ନିକଟରେ ଦୁଇଟି ହେଲମେଟ୍‌ ଧୁଆ ହୋଇଥିବାରୁ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିବା କୁହାଯାଉଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଏମ୍‌ସରେ ଶବ ବ୍ୟବଚ୍ଛେଦରୁ ସୁରେଖାଙ୍କ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆସନ୍ତାକାଲି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ୍‌ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଇ ଆଉଥରେ ଛାନ୍‌ଭିନ୍‌ କରିବ। ହାତରେ ଗଳା ଚିପା ଯାଇଛି, ନା ଓଢ଼ଣୀ କିମ୍ବା ରଶିରେ, ତାହା ଯାଞ୍ଚ କରାଯିବ। ଅଟକ ଦୁଇଜଣଙ୍କୁ ପଚରାଉଚରା ଚାଲିଛି। ମୁଖ୍ୟ ଅଭିଯୁକ୍ତ ଛୋଟୁ ଧରାପଡ଼ିବା ଓ ସୁରେଖାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ ହେବ ବୋଲି ପୁଲିସ୍‌ ଆଶାବାଦୀ ରହିଛି। ଛୋଟୁ ଏକ ପ୍ରିଣ୍ଟିଂ ପ୍ରେସ୍‌ରେ କାମ କରୁଥିବାରୁ ପୁଲିସ ସେଠାରୁ ତା’ର ଘର ଠିକଣା ସଂଗ୍ରହ କରିଛି। ତା’ ଘର ନୟାଗଡ଼ରେ ହୋଇଥିବାର ପୁଲିସର ୩ଟି ଟିମ୍‌ ତାକୁ ଧରିବା ପାଇଁ ନୟାଗଡ଼ରେ ଡେରା ପକାଇଥିବା ସୂଚନା ମିଳିଛି।

ଅପରପକ୍ଷେ ଆଜି ଏମ୍‌ସରେ ବ୍ୟବଚ୍ଛେଦ ପରେ ପୁଲିସ ସୁରେଖାଙ୍କ ଶବକୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା। ଏକ ଶୋକାକୁଳ ପରିବେଶରେ ସତ୍ୟନଗର ମଶାଣିରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଥିଲା। ସୂଚନାଯୋଗ୍ୟ, ଭରତପୁର ଥାନା ଅଧୀନ ତାରିଣୀ ବସ୍ତିରେ ରହୁଥିବା ବ୍ରହ୍ମଗିରି ଚାପମାଣିକ ଅଞ୍ଚଳର ସୁରେଖା ପଲେଇଙ୍କୁ ଗତ ରବିବାର ରାତିରେ ହତ୍ୟା କରାଯାଇଥିଲା। ଅଭିଯୁକ୍ତମାନେ ତାଙ୍କୁ ଭୋଜିକୁ ନିମନ୍ତ୍ରଣ କରି ସେଠାରେ ତାଙ୍କ ଗଳା ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗତକାଲି ଅର୍ଥାତ୍‌ ସୋମବାର ଦିନ ପ୍ରାୟ ୧ଟାରେ ଏହି ହତ୍ୟାକାଣ୍ଡ ସଂପର୍କରେ ଜଣାପଡ଼ିଥିଲା। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ଏମ୍‌ସକୁ ପଠାଇବା ସହ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିଲା।

ଇନ୍‌ଷ୍ଟାଗ୍ରାମ୍‌ରେ ବାର୍ଥ ଡେ’ ପାର୍ଟି ଭିଡିଓ
ପ୍ରାୟ ଦୁଇ ମାସ ତଳେ ସୁରେଖାଙ୍କ ଘରର ସାମ୍ନା ଘରେ ଛୋଟୁ ଆସି ରହିଥିଲା। କଥାବାର୍ତ୍ତାରୁ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିବା ବନ୍ଧୁତା ପରେ ପ୍ରେମ ସଂପର୍କର ରୂପ ନେଇଥିଲା। ପାଖରେ ପରିବାରଲୋକ ରହୁନଥିବାରୁ ଦୁହେଁ ଅନାୟାସରେ ମିଳାମିଶା କରୁଥିଲେ। ଦୁହେଁ ଦୁହିଁଙ୍କ ଘରକୁ ଯା’ ଆସ ମଧ୍ୟ କରୁଥିଲେ। କିଛି ଦିନ ତଳେ ସୁରେଖାଙ୍କ ଜନ୍ମଦିନରେ ବି ସୁରେଖାଙ୍କ ଘରେ ଭୋଜିଭାତର ଆସର ଜମିଥିଲା। କୁକୁଡ଼ା ମାଂସ ସାଙ୍ଗକୁ ଦୁହେଁ ମଦ୍ୟପାନ କରିଥିଲେ। ଏସବୁର ଭିଡିଓ ସୁରେଖା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର