ଓଡ଼ିଆ ସାହିତ୍ୟର ସର୍ବୋତ୍ତମ ଶବ୍ଦଶିଳ୍ପୀ ସୁରେନ୍ଦ୍ର ମହାନ୍ତି

ଜନ୍ମଶତବାର୍ଷିକୀ ଆଲୋଚନାଚକ୍ର: କଳ୍ପନା ଅପେକ୍ଷା ଅନୁଭୂତିକୁ ସ୍ଥାନ ଦେଉଥିଲେ: ହରପ୍ରସାଦ

ଭୁବନେଶ୍ବର: ସୁରେନ୍ଦ୍ର ମହାନ୍ତିଙ୍କ ସାହିତ୍ୟ ସର୍ଜନା ତାଙ୍କ ଜୀବନକୁ ପୂର୍ଣ୍ଣ କରିପାରିଛି। ତାଙ୍କ ଭଳି ସ୍ରଷ୍ଟାଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାର ସମୟ ଆସିଛି। ତାଙ୍କର ‘କୃଷ୍ଣଚୂଡ଼ା’ ଗଳ୍ପ ମୋ ପାଇଁ ଅବିସ୍ମରଣୀୟ। ସେ କଳ୍ପନା ଅପେକ୍ଷା ପ୍ରକୃତି ଆଉ ଜୀବନରେ ଘଟିଥିବା ଏକକ ଅନୁଭବକୁ ନିଜ ଲେଖାରେ ସ୍ଥାନ ଦେଉଥିଲେ। ହିନ୍ଦୀ ସାହିତ୍ୟରେ ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ ବିଂଶ ଶତାବ୍ଦୀରେ ଓଡ଼ିଶାରେ ତାଙ୍କ ଭଳି କେହି ସାହିତ୍ୟିକ ଜନ୍ମ ନେଇ ନଥିଲେ। ସେ ଦୃଷ୍ଟିରୁ ବିଚାର କଲେ, ତାଙ୍କୁ ଆମେ ସେ କାଳର ଶ୍ରେଷ୍ଠ ସାହିତ୍ୟିକ କହିପାରିବା। ସ୍ଥାନୀୟ ଗୀତ‌ଗୋବିନ୍ଦ ସଦନରେ କେନ୍ଦ୍ର ସାହିତ୍ୟ ଅକା‌ଦେମି ପକ୍ଷରୁ ଆୟୋଜିତ ସୁରେନ୍ଦ୍ର ମହାନ୍ତି ଜନ୍ମ ଶତବାର୍ଷିକ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ବିଶିଷ୍ଟ କବି ତଥା ସମାଲୋଚକ ହରପ୍ରସାଦ ଦାସ ଆଜି ଏହା କହିଛନ୍ତି।

ଅକାଦେମିର ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ବିଜୟାନନ୍ଦ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ ମୂଳଭାଷଣ ଦେଇଥିଲେ। ଶ୍ରୀ ଦାସ କହିଲେ, ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ସର୍ବୋତ୍ତମ ଶବ୍ଦଶିଳ୍ପୀ। ସେ ତାଙ୍କ ୬୮ବର୍ଷର ଜୀବନ ଭିତରେ ଅନେକଗୁଡ଼ିଏ କୃତି ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିପାରିଛନ୍ତି। ଗଳ୍ପ, ଉପନ୍ୟାସ, ରାଜନୀତି, ସାମ୍ବାଦିକତା ଆଦି କ୍ଷେତ୍ରରେ ସେ ଅନେକ ଗ୍ରନ୍ଥ ରଚନା କରିଛନ୍ତି। ପ୍ରତିକୂଳ ପରିସ୍ଥିତି, ବ୍ୟାଧି ଓ ରୁଗ୍‌ଣ ସ୍ବାସ୍ଥ୍ୟକୁ ନେଇ ସଂଗ୍ରାମ କରି ଆସିଥିବା ଏଇ ଶିଳ୍ପୀ ଯେମିତି ଭୟଙ୍କର ଦାରିଦ୍ର୍ୟ ଦେଖିଛନ୍ତି ସେମିତି ଦେଖିଛନ୍ତି ଆଖିଝଲସା ପ୍ରାଚୁର୍ଯ୍ୟ; ମାତ୍ର କୋଉଠି ଅଟକି ରହିନାହାନ୍ତି। ଫକୀର ମୋହନଙ୍କ ଭଳି ତାଙ୍କ ଜୀବନ ସଂର୍ଘଷମୟ ଥିଲେ ହେଁ ତାହା ତାଙ୍କ ସୃଷ୍ଟିରେ କେବେ ବି ବାଧା ସୃଷ୍ଟି କରିପାରିନଥିଲା। ତାଙ୍କର ସାମଗ୍ରିକ ସୃଷ୍ଟି ଏକ ବୃହତ୍ତର କାଳଖଣ୍ଡର ସମସ୍ୟା ବର୍ଣ୍ଣନା କରେ। ତାଙ୍କ ସାହିତ୍ୟ ସର୍ଜନାର କ୍ୟାନ୍‌ଭାସ ଖୁବ୍‌ ବିସ୍ତୃତ। ତାଙ୍କ ପ୍ରତିଟି ରଚନାରେ ସେ ନିଜେ ହିଁ ନାୟକ ଥିଲେ। ତାଙ୍କ କାଳଜୟୀ କୃତିଗୁଡ଼ିକ ପରବର୍ତ୍ତୀ ପିଢ଼ିଙ୍କୁ ପ୍ରଭାବିତ କରିପାରିଛି। ଏହି ଅବସରରେ ଶ୍ରୀ ଦାସ ତାଙ୍କ ସହ ବିତାଇଥିବା ସମୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ସମ୍ମାନିତ ଅତିଥି ଆୟକର ବିଭାଗ ମୁଖ୍ୟ ଆୟୁକ୍ତ ମନୋରଂଜନ ପାଣିଗ୍ରାହୀ କହିଲେ, ସାହିତ୍ୟ, ରାଜନୀତି ଓ ସାମ୍ବାଦିକତାରେ ଜଣେ ବର୍ଣ୍ଣାଢ଼୍ୟ ବ୍ୟକ୍ତି ଥିଲେ ସୁରେନ୍ଦ୍ର ମହାନ୍ତି। ତାଙ୍କ ଗାଁ ଓ ମୋ ଗାଁ ପାଖାପାଖି। ଆମ ଗୁରୁକୁଳ ଗୋଟିଏ, ଆଉ ସେଠିକାର ଶ୍ରେଷ୍ଠ ଛାତ୍ର ସିଏ। ‘ଶତାବ୍ଦୀର ସୂର୍ଯ୍ୟ’ରେ ସେ ମଧୁ ବାବୁଙ୍କୁ ଯେଉଁ ସମ୍ମାନ ଦେଇଛନ୍ତି, ବୋଧ ହୁଏ ଆଉ କେହି ସେମିତି କରିପାରିବେ। ତାଙ୍କ ରଚିତ ‘ସାରୀପୁତ୍ତ’, ‘ପିତାପୁତ୍ର’ ଆଦି ଗଳ୍ପ ଆମେ ଦଶମ ‌ଶ୍ରେଣୀରେ ପଢ଼ିଛୁ। ଛଳନାତ୍ମକ ସାହିତ୍ୟଠାରୁ ସେ ବେଶ୍‌ ଦୂରରେ ଥିଲେ। ତାଙ୍କ ରଚନା ଓ ସ୍ବଭାବ ଭିତରେ ସମାନତା ଥିଲା। କାର୍ଯ୍ୟକ୍ରମରେ ଅକାଦେମି ସଚିବ କେ. ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଅକା‌ଦେମି ସଦସ୍ୟ ସୁଶାନ୍ତ ନାୟକ ଧନ୍ୟବାଦ ଦେଇଥିଲେ।
ପ୍ରଥମ ଅଧିବେଶନରେ ପ୍ରକାଶ ପରିଡ଼ା, ସୁଭାଷ ଶତପଥୀ ପ୍ରବନ୍ଧ ପାଠ କରିଥିବା ବେଳେ ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି ଅଧ୍ୟକ୍ଷତା‌ କରିଥିଲେ। ଅକାଦେମିର ଓଡ଼ିଆ ଉ‌ପଦେଷ୍ଟାମଣ୍ଡଳୀ ସଦସ୍ୟ ବିଷ୍ଣୁପ୍ରିୟା ଓତା ଧନ୍ୟବାଦ ଦେଇଥିଲେ। ଦ୍ବିତୀୟ ଅଧିବେଶନରେ ବାସନ୍ତୀ ମହାନ୍ତି, ଶ୍ବେତା ମହାନ୍ତି ପ୍ରବନ୍ଧ ପାଠ କରିଥିବା ବେଳେ ଗିରୀଶ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ଓଡ଼ିଆ ଉ‌ପଦେଷ୍ଟାମଣ୍ଡଳୀର ସଦସ୍ୟ ପ୍ରଦୀପ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର