ଭୁବନେଶ୍ବର: ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ପକ୍ଷରୁ ବିଶିଷ୍ଟ ଲେଖକ ତଥା ଲୋକସଂସ୍କୃତି ଗବେଷକ ସ୍ବର୍ଗତ ସୁରେଶ ବଳବନ୍ତରାୟଙ୍କ ୬୮ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଯୋଗଦେଇ ସ୍ବର୍ଗତ ବଲବନ୍ତରାୟଙ୍କ ଜୀବନୀ ଓ କୃତିତ୍ବ ଉପରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟର ପ୍ରଫେସର ବ୍ରହ୍ମ ପ୍ରକାଶ ‘ସୁରେଶ ସମାବେଶ’ରେ ସ୍ମାରକ ବକ୍ତୃତା ପ୍ରଦାନ କରି କହିଥିଲେ, ଉପଭୋକ୍ତାବାଦ ଓ ବଜାରୀକରଣ ଲୋକସଂସ୍କୃତି ସୁରକ୍ଷା କ୍ଷେତ୍ରରେ ବିରାଟ ଆହ୍ବାନ ସୃଷ୍ଟି କରିଛି।
ଲୋକସଂସ୍କୃତିରେ ଆମର ଐତିହ୍ୟ, କଳାତ୍ମକ ଗୁଣ, ତୃଣମୂଳ ବୈଚିତ୍ର୍ୟ ରହିଥିବାବେଳେ ଆମେ ଆଧୁନିକତା ଓ ବିକାଶ ଆଳରେ ଲୋକସଂସ୍କୃତିକୁ ଅଣଦେଖା କରିଚାଲିଛୁ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବରେ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ସ୍ବର୍ଗତ ବଳବନ୍ତରାୟଙ୍କ ସ୍ମୃତିଚାରଣ କରିଥିଲେ। ଫାଉଣ୍ଡେସନର ସଭାପତି ହରେକୃଷ୍ଣ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଗବେଷକ ଓ ଅଭିନେତା ପୁରୁଷୋତ୍ତମ ମିଶ୍ରଙ୍କୁ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସ୍ବର୍ଗତ ବଳବନ୍ତରାୟଙ୍କ ଦ୍ବାରା ଅନୁବାଦିତ ନାଟକ ‘ଆଷାଢ଼ରେ ଦିନେ’ ଲୋକାର୍ପିତ ହୋଇଥିଲା। କବି ରକ୍ଷକ ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନ ସମ୍ପାଦିକା ଅନ୍ୟା ଅନୁରୂପା ବିବରଣୀ ପାଠ କରିଥିଲେ। ଦେବାଶିଷ ମହାପାତ୍ର ଧନ୍ୟବାଦ ଦେଇଥିଲେ।