ଭୁବନେଶ୍ବର: ସାଢ଼େ ୪ କୋଟି ଟଙ୍କାର ଏକ ଠକେଇ ମାମଲାରେ ଭୁବନେଶ୍ବର କୋର୍ଟକୁ ଆତ୍ମସମର୍ପଣ କରିବାକୁ ଆସିଥିଲେ ଏକ କମ୍ପାନିର ୩ ନିର୍ଦ୍ଦେଶକ। ମାତ୍ର ଜାମିନ ଖାରଜ ହୋଇଯିବା ଆଶଙ୍କା ଦେଖି ୩ଜଣଯାକ କୋର୍ଟରୁ ଛୁ’ ମାରିଛନ୍ତି। ତେଣୁ ତୁରନ୍ତ ସେମାନଙ୍କୁ ଗିରଫ କରିବା ଲାଗି କୋର୍ଟ ବଡ଼ଗଡ଼ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାଟି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁସାରେ ଚିଙ୍ଗୁଡ଼ି ବ୍ୟବସାୟୀ ବିଷ୍ଣୁପ୍ରସାଦ ସାହୁ କୋଲକାତାର ଏକ କମ୍ପାନି ସହ ବେପାର କରୁଥିଲେ। ଉକ୍ତ କମ୍ପାନିର ୩ ଜଣ ନିର୍ଦ୍ଦେଶକ ଥିଲେ। ସେମାନେ ବିଭିନ୍ନ ବାଟରେ ବିଷ୍ଣୁଙ୍କ ଠାରୁ ସାଢ଼େ ୪ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲେ। ଟଙ୍କା ମାଗିବାରୁ ସେମାନେ ବିଷ୍ଣୁଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲେ। ତେଣୁ ଏନେଇ ବିଷ୍ଣୁପ୍ରସାଦ ୨୦୨୩ ମସିହାରେ ଭୁବନେଶ୍ବର କୋର୍ଟରେ ଏକ ୱାନ୍ସିସି ମାମଲା ଦାୟର କରିଥିଲେ।
କୋର୍ଟ ଏହି ମାମଲାର ତଦନ୍ତ କରିବା ପାଇଁ ସହିଦନଗର ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ସହିଦନଗର ଥାନା ପୁଲିସ ତଦନ୍ତ କୋଲକାତା କମ୍ପାନିର ୩ ନିର୍ଦ୍ଦେଶକଙ୍କ ସପକ୍ଷରେ ଯିବାରୁ ବିଷ୍ଣୁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ପୁନଃ ତଦନ୍ତ କରାଇବାକୁ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୩ ନିର୍ଦ୍ଦେଶକ ତଳ କୋର୍ଟର ନିର୍ଦ୍ଦେଶକୁ ଅମାନ୍ୟ କରି ହାଜର ହେଲେ ନାହିଁ। ତେଣୁ କୋର୍ଟ ଅଭିଯୁକ୍ତମାନଙ୍କ ବିରୋଧରେ ଜାମିନବିହୀନ ପର୍ୱାନା ଜାରି କରିଥିଲେ। ଫଳରେ ବାଧ୍ୟ ହୋଇ ଆଜି ଅଭିଯୁକ୍ତମାନେ କୋର୍ଟରେ ଆତ୍ମସମର୍ପଣ କରିବାକୁ ଆସିଥିଲେ। ସେମାନଙ୍କ ପାଇଁ ଓକିଲ ମଧ୍ୟ ସରେଣ୍ଡର ପିଟିସନ୍ ଦାଖଲ କରିଥିଲେ। କିନ୍ତୁ କୌଣସି ସୂତ୍ରରୁ ଅଭିଯୁକ୍ତମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଯିବ। ତେଣୁ ସେମାନେ ତାଙ୍କ ଓକିଲଙ୍କୁ ନ ଜଣାଇ କୋର୍ଟ ପରିସରରୁ ଚମ୍ପଟ ମାରିଥିଲେ। ଜାମିନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ନେବା ପାଇଁ ପୁଲିସ ଖୋଜିଲା ବେଳକୁ ସେମାନେ ଅନ୍ତର୍ଦ୍ଧାନ ହୋଇସାରିଥିଲେ।