କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଲ୍‌ ହୋଇଥିବା ସୂର୍ଯ୍ୟନଗର ୧୫ରେ ଖୋଲିବ, ବମିଖାଲ ଏବେ ନୁହେଁ

ନୂଆ ସଂକ୍ରମଣ ନ ବାହାରିଲେ ୨୧ରେ ସତ୍ୟନଗର ସିଲ୍‌ ଖୋଲିବ
କେଶୁରା, ୟୁନିଟ-୫ ଓ ୟୁନିଟ-୪ ସିଲ୍‌ ନହେବା ନେଇ ପ୍ରଶ୍ନ ଉଠିଲାଣି

ଭୁବନେଶ୍ବର : ବିଏମ୍‌ସି ଆଜି ଯଦୁପୁର ଓ ସୁନ୍ଦରପଦା ଅଞ୍ଚଳରୁ ସିଲ୍‌ ଖୋଲିବା ପରେ ଏବେ ବମିଖାଲ, ସୂର୍ଯ୍ୟନଗର ଓ ସତ୍ୟନଗର ଅଞ୍ଚଳ କେବେ ଅଣସଂକ୍ରମିତ ଜୋନ୍‌ ଘୋଷଣା ହେବ, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। କରୋନା ସନ୍ଦିଗ୍ଧ ଆଶଙ୍କାରେ ବିଏମ୍‌ସି ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳକୁ ସିଲ୍‌ କରିଥିଲା। ହେଲେ ସେଠାରେ ସମସ୍ତଙ୍କର ରକ୍ତ ନମୁନା ନେଗେଟିଭ୍ ଆସିବା ପରେ ଆଜି ଏହି ଅଞ୍ଚଳକୁ ଅଣସଂକ୍ରମିତ ଅଞ୍ଚଳ ଘୋଷଣା କରି ସିଲ୍‌ ଖୋଲି ଦିଆଯାଇଛି। କିନ୍ତୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଲ୍‌ ହୋଇଥିବା ସୂର୍ଯ୍ୟନଗର, ବମିଖାଲ ଓ ସତ୍ୟନଗର ଅଞ୍ଚଳ କେବେ ଅଣସଂକ୍ରମିତ ଜୋନ୍ ଘୋଷଣା ହେବ ଓ ସିଲ୍‌ ଖୋଲିବ ସେନେଇ ପ୍ରଶ୍ନ ଉଠିଲାଣି।

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେ ଯେଉଁ ଅଞ୍ଚଳ ସିଲ୍‌ କରିଛୁ, ସେଗୁଡ଼ିକୁ ଅତି କମ୍‌ରେ ୧୪ ଦିନ ପାଇଁ ସିଲ୍‌ ହୋଇଛି। ଯଦୁପୁର ଓ ଆଜାଦନଗର ଅଞ୍ଚଳରେ କେହି ଆକ୍ରାନ୍ତ ନ ବାହାରିବାରୁ ୯ ଦିନରେ ଏହି ଅଞ୍ଚଳର ସିଲ୍‌ ଖୋଲି ଦିଆଗଲା। ସୂର୍ଯ୍ୟନଗର ଅଞ୍ଚଳ ଏପ୍ରିଲ ୨ରେ ସିଲ୍‌ ହୋଇଥିବା ବେଳେ ଏହାକୁ ଏପ୍ରିଲ ୧୫ରେ ଖୋଲାଯିବ। ଏହି ଅଞ୍ଚଳରେ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସୁଦ୍ଧା ୫ଜଣ ସୁସ୍ଥ ହୋଇସାରିଲେଣି। ତେଣୁ ଏହି ଅଞ୍ଚଳକୁ ଅଣସଂକ୍ରମିତ ଅଞ୍ଚଳ ଘୋଷଣା କରାଯାଇପାରିବ। କିନ୍ତୁ ଏହାପରେ ୭ ଦିନ ଯାଏ ଏହି ଅଞ୍ଚଳ ଆକ୍ଟିଭ୍ ସର୍ଭେଲାନ୍ସରେ ରଖାଯିବ। ଏଠାରେ ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ ସହ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହି ଅଞ୍ଚଳରେ ଗୋପବନ୍ଧୁ ଛକରୁ ଏଲ୍‌ଆଇସି ଛକ, ଏଲ୍‌ଆଇସି ଛକରୁ ଗଙ୍ଗନଗର ଛକ, ଗଙ୍ଗନଗର ଛକରୁ ଶିରିପୁର ଛକ, ଶିରିପୁର ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଅଞ୍ଚଳ ଏବେ ସିଲ୍‌ ହୋଇଛି। ସେହିପରି ସତ୍ୟନଗର ଅଞ୍ଚଳ ଏପ୍ରିଲ ୮ରେ ସିଲ୍‌ ହୋଇଥିବା ବେଳେ ଏହି ଅଞ୍ଚଳ ଏପ୍ରିଲ ୨୧ରେ ସିଲ୍‌ମୁକ୍ତ ହେବ। ଏଠାରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଏବେ ଚିକିତ୍ସାଧୀନ ଅଛନ୍ତି। ଯଦି ଏହି ଅଞ୍ଚଳରୁ ଏବେ ନୂଆ ସଂକ୍ରମିତ ନ ବାହାରନ୍ତି ତେବେ ଏଠାରୁ ସିଲ୍‌ ହଟାଯିବ। ଏବେ ସତ୍ୟନଗର ଅଞ୍ଚଳରେ ବିଗ୍‌ ବଜାରର ଉତ୍ତର ପାର୍ଶ୍ବ ରାସ୍ତା, ସତ୍ୟନଗର ଛକରୁ କାଳୀ ମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋର୍‌ରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ କ୍ବାର୍ଟର୍ସ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ କ୍ବାର୍ଟର୍ସରୁ ସତ୍ୟନଗର ଛକ ଭାୟା ଆକ୍ସିସ ବ୍ୟାଙ୍କ ଓ ସତ୍ୟନଗର ଚର୍ଚ୍ଚ। ସେହିପରି ସତ୍ୟନଗର ଅଞ୍ଚଳରୁ ବିଗ୍‌ବଜାରର ଦକ୍ଷିଣ ପାର୍ଶ୍ବରେ ଥିବା ରାସ୍ତା ଯଥା ପୂର୍ତ୍ତ ବିଭାଗର ଡିଭିଜନ୍‌-୩ କାର୍ଯ୍ୟାଳୟ ଏବଂ କ୍ବାର୍ଟର୍ସ ପରିସର ପର୍ଯ୍ୟନ୍ତ ଅଞ୍ଚଳ ସିଲ୍‌ ହୋଇଛି।

ବିଏମ୍‌ସିର ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ବମିଖାଲ ଅଞ୍ଚଳ ସବୁଠୁ ଅଧିକ ସଂକ୍ରମିତ ଅଞ୍ଚଳ ହୋଇଯାଇଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିଛି ଦିନ ବ୍ୟବଧାନରେ ଆଜି ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହି ଅଞ୍ଚଳରୁ ନିକଟ ଭବିଷ୍ୟତରେ କଟକଣା ଉଠାଇବାର ସମ୍ଭାବନା ନାହିଁ। ଆଜିଠାରୁ ୧୫ଦିନ ମଧ୍ୟରେ ଯଦି କୌଣସି ଆକ୍ରାନ୍ତ ନବାହାରିବେ ତେବେ ଏହି ଅଞ୍ଚଳରୁ ସିଲ୍‌ ଉଠାଇବା ନେଇ ନିଷ୍ପତ୍ତି ନିଆଯାଇପାରେ। ହେଲେ ତାହା ପରେ ବି ୭ଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳ ଆକ୍ଟିଭ୍ ସର୍ଭେଲାନ୍ସରେ ରହିବ। ଅପରପକ୍ଷେ ଝାରପଡ଼ା ଓ କେଶୁରା ଅଞ୍ଚଳରୁ ଏବେ ସୁଦ୍ଧା ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟମାନେ ହସ୍ପିଟାଲରେ ଅଛନ୍ତି। ତେଣୁ ଝାରପଡ଼ା ଅଞ୍ଚଳରୁ ଏବେ ସିଲ୍‌ ହଟିବନି। କପିଳପ୍ରସାଦ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଉକ୍ତ ଅଞ୍ଚଳରୁ ସିଲ୍‌ ହଟାଇ ଦିଆଯାଇଛି।

ଅନ୍ୟ ଅଞ୍ଚଳ କାହିଁକି ସିଲ୍‌ ହେଉନି?
ୟୁନିଟ-୫ରୁ ୨ଜଣ, ଭରତପୁରର ଜିମ୍‌ଖାନା ପାମ୍‌ ହାଇଟ୍‌ସରୁ ଜଣେ, ବିଜେବିନଗରସ୍ଥିତ ମହିଷାଖାଲରୁ ଜଣେ, ବଡ଼ଗଡ଼ ଗାଁରୁ ଜଣେ, ୟୁନିଟ୍‌-୪ରୁ ୩ଜଣ, ସହିଦନଗରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଏହି ସବୁ ଅଞ୍ଚଳକୁ ବିଏମ୍‌ସି କାହିଁକି ସିଲ୍‌ କରିନି ବୋଲି ଲୋକ ପ୍ରଶ୍ନ ଉଠାଇଲେଣି। ୟୁନିଟ୍‌-୫ରେ ଦୁଇଜଣ, ୟୁନିଟ୍‌-୪ରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହି ଅଞ୍ଚଳ ସିଲ୍‌ ହେବା କଥା। କିନ୍ତୁ କାହିଁକି କରାଗଲାନି। ଏନେଇ ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିସନର୍‌ ଅଂଶୁମାନ ରଥ କହିଛନ୍ତି ଯେ ଆମକୁ ଯେଉଁ ଅଞ୍ଚଳ ସିଲ୍‌ କରିବାକୁ ସ୍ବାସ୍ଥ୍ୟ ବିଭାଗ କହୁଛି ଆମେ କରୁଛୁ। ଯେଉଁ ଅଞ୍ଚଳ ସିଲ୍‌ ହୋଇନି କିନ୍ତୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଆମେ ସେହି ଅଞ୍ଚଳକୁ ଆକ୍ଟିଭ୍ ସର୍ଭେଲାନ୍ସରେ ରଖୁଛୁ। ଲୋକଙ୍କର ନମୁନା ପରୀକ୍ଷା ହେଉଛି। ତେଣୁ ସବୁ ଅଞ୍ଚଳ ସିଲ୍‌ କରିବା ଆବଶ୍ୟକ ନାହିଁ। ୩ ଏପ୍ରିଲ୍‌ରେ ସିସିଡି ଗଳିରୁ ଝାରପଡ଼ା କେନାଲ ରୋଡ୍‌, ଝାରପଡ଼ା କେନାଲ ରୋଡ୍‌ରୁ ଝାରପଡ଼ା ଦୁର୍ଗା ମଣ୍ଡପ, ଝାରପଡ଼ା ଦୁର୍ଗା ମଣ୍ଡପରୁ କଟକ-ପୁରୀ ରୋଡ୍ (ଡିସିବି ବ୍ୟାଙ୍କ ଛକ), ଡିସିବି ବ୍ୟାଙ୍କ ଛକରୁ ସିସିଡି ଗଳି ସିଲ୍‌ କେବେ ଖୋଲିବ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର