‘ସୂର୍ଯ୍ୟପ୍ରଭା’ର ୧୬ଶ ସ୍ବନକ୍ଷତ୍ର ଉତ୍ସବ: ଖବର ପ୍ରସାରଣରେ ନିରପେକ୍ଷତା ରହୁ

ଭୁବନେଶ୍ବର: ସାମ୍ବାଦିକ ବୃତ୍ତିକୁ ନେଇ ଅନେକ ତର୍କ ବିତର୍କ ସୃଷ୍ଟି ହେଉଛି। ଏହାସତ୍ତ୍ବେ ଖବର ପ୍ରସାରଣ ବେଳେ ନିରପେକ୍ଷତା ଅମଲମ୍ବନ ପ୍ରତି ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ। ଏହା ହୋଇପାରିଲେ ସାଧାରଣ ଲୋକଙ୍କ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତି ବିଶ୍ବସନୀୟତା ବଢ଼ିବ ବୋଲି ଦୈନିକ ଖବରକାଗଜ ‘ସୂର୍ଯ୍ୟପ୍ରଭା’ର ୧୬ଶ ସ୍ବନକ୍ଷତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଯେଉଁ ପିଲା ଭଲ ପଢ଼ିପାରେ, ଲେଖିପାରେ ଓ ଗଣିତକୁ ଦଖଲ କରେ, ସେ ଜୀବନରେ ନିଶ୍ଚିତ ସଫଳ ହୁଏ। ହେଲେ ଆଜିର ପିଲାମାନେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପଡ଼ୁଛନ୍ତି। ଟିଭି ଦେଖିବା, ଖେଳିବା, ଶୋଇବା ଉପରେ ଗୁରୁତ୍ବ ଦେଉଛନ୍ତି। ଥ୍ରି ଆର(ରିଡିଙ୍ଗ, ରାଇଟିଂ ଓ ଏରିଥମେଟିକ୍‌) ଯଥା ପଢ଼ିବା, ଲେଖିବା ଓ ଗଣିତ ଶିକ୍ଷା ଉପରେ ଗୁରୁତ୍ବ ଦେଉନାହାନ୍ତି। ଥ୍ରି ଆର୍‌ ଗୁରୁତ୍ବହୀନ ହୋଇପଡ଼ିଛି। କେବଳ ପିଲାମାନେ ନୁହନ୍ତି, ଖବରକାଗଜ ପଢ଼ିବା ଲୋକଙ୍କ ସଂଖ୍ୟା ମଧ୍ୟ ଧୀରେଧୀରେ କମୁଛି। ବହି ପରି ଖବରକାଗଜ ସ୍ଥିତି ମଧ୍ୟ ଖରାପ ହେଉଛି। ବିଜ୍ଞାନ ଓ ଜ୍ଞାନକୌଶଳର ବିକାଶ ହେଉଥିବାରୁ ପାଠକଙ୍କୁ ଖବରକାଗଜ ସହ ବାନ୍ଧି ରଖିବା ଏବେ ବଡ଼ ଆହ୍ବାନ ସୃଷ୍ଟି କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ‘ସୂର୍ଯ୍ୟପ୍ରଭା’ର ପରିଚାଳନା ନିର୍ଦ୍ଦେଶକ ବିକାଶ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥ‌ା ପଞ୍ଚାୟତିରାଜ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଖବରକାଗଜ ତାହାର ମୌଳିକତା ଓ ଗୁରୁତ୍ବ ଅକ୍ଷୁଣ୍ଣ ରଖୁ। ସାରା ବିଶ୍ବରେ ସାମ୍ବାଦିକଙ୍କ ଉପରେ ଯେଉଁଭଳି ଆକ୍ରମଣ ହେଉଛି, ତାହାକୁ ରୋକିବା ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ବାନ। ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗଦେଇ ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ବ୍ୟାପକ ପ୍ରସାର ପରେ ବି ଛାପା ଗଣମାଧ୍ୟମ ନିଜର ସ୍ଥାନ ବଜାୟ ରଖିଛି ବୋଲି କହିଥିଲେ। ସ୍ତମ୍ଭକାର ରାଜେନ୍ଦ୍ର ନାରାୟଣ ଦାସ ଅନ୍ୟତମ ଅତିଥି ଭା‌ବେ ଯୋଗଦେଇ କହିଲେ ଖବରକାଗଜ ହେଉଛି ସମାଜର ଦର୍ପଣ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସାମ୍ବାଦିକ ସ˚ଘର ସଭାପତି ବିଭୂତି ଭୂଷଣ କର, ସ୍ତମ୍ଭକାର ଲଳିତ ଲେଙ୍କାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବକ୍ତବ୍ୟ ପ୍ରଦାନ କରିଥିଲେ। ‘ସୂର୍ଯ୍ୟପ୍ରଭା’ର ସମ୍ପାଦକ ରବି କାନୁନଗୋ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର