ଭୁବନେଶ୍ୱର: ପ୍ରତିବର୍ଷ ନିଆରା ତଥା ଆକର୍ଷଣୀୟ ତୋରଣ ପାଇଁ ଚର୍ଚ୍ଚାରେ ରହୁଥିବା ସତ୍ୟନଗର ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମଧ୍ୟ ପରଂପରା ବଜାୟ ରଖିବାଲାଗି ସବୁ ଆୟୋଜନ କରାଯାଇଛି। ପ୍ରତିବର୍ଷ ଏଠାରେ ମା’ ଶାନ୍ତି ସ୍ୱରୁପିଣୀ ଭାବରେ ପୂଜା ପାଇ ଆସୁଛନ୍ତି। ତେଣୁ ଏଥର ମଧ୍ୟ କମିଟି ପକ୍ଷରୁ ମା’ଙ୍କ ଆଗମନ ପାଇଁ ଆକର୍ଷଣୀୟ ସୂର୍ଯ୍ୟରଥ ତୋରଣ ପ୍ରସ୍ତୁତ କରାଯାଇଛି। ରଥକୁ ଟାଣୁଥିବା ୧୮ଟି ପାର୍ଶ୍ୱ ଘୋଡ଼ାରେ ମା’ ବିରାଜିବେ। ତୋରଣର ଉଚ୍ଚତା ୬୨ ଫୁଟ ରହିଥିବା ବେଳେ ଓସାର ୮୯ଫୁଟ ରହିଛି। ସେହିପରି ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୯ ଫୁଟ ରହିଛି। ତୋରଣର ନିର୍ମାଣ ଲାଗି କୋଲକାତାର ୫୦ଜଣ କାରିଗର ନିୟୋଜିତ ହୋଇଛନ୍ତି।
ମା’ଙ୍କ ସମେତ ପାର୍ଶ୍ୱ ଦେବଦେବୀ ମଧ୍ୟ ରୌପ୍ୟ ଆଭୂଷଣରେ ଭୂଷିତ ହେବେ। ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ପୂଜାର ଆକର୍ଷଣ ସାଜିବ ମା’ଙ୍କ ଆଳତି ଭୋଗ। ସନ୍ଧ୍ୟା ଆଳତି ପରେ ମା’ଙ୍କ ପାଖରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଭୋଗ, ଯେପରିକି ଖେଚୁଡ଼ି, ହାଲୁଆ, ରସଗୋଲା, ଦହି ପଖାଳ ଆଦି ଲାଗି କରାଯିବ। ଏହି ସନ୍ଧ୍ୟା ଭୋଗକୁ ୧୦୦୦ରୁ ଅଧିକ ଭକ୍ତ ପ୍ରତିଦିନ ସେବନ କରିବେ। ଏହା ବ୍ୟତୀତ ଅଷ୍ଟମୀଠାରୁ ଦଶମୀ ପର୍ଯ୍ୟନ୍ତ ୫୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି। ମେଢ଼ ପାଖରେ ମୀନାବଜାର ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭକ୍ତଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସିସିଟିଭି ସମେତ ୧୦୦ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ସତ୍ୟନଗର ଅଞ୍ଚଳର ବିଭିନ୍ନ ପାର୍ଶ୍ୱରେ ଲାଇଟ ଗେଟ୍ ସମେତ ସତ୍ୟନଗର ଓ ସହିଦନଗର ଅଞ୍ଚଳକୁ ସୁନ୍ଦର ଆଲୋକମାଳାରେ ସଜାଯିବ। ସେହିପରି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ସୁବିଧାରେ ଦର୍ଶନ କରିବାପାଇଁ ପୂଜା କମିଟି ପକ୍ଷରୁ ରାମ୍ପ୍ ସମେତ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା ହେବ। ସେହିପରି ଭଜନ ଓ ମେଲୋଡି ପରିବେଷଣର ମଧ୍ୟ ବ୍ୟବସ୍ଥା କରାଯାଇଛି। ଭସାଣିରେ କେନ୍ଦ୍ରାପଡ଼ାର ରଘୁନାଥଜିଉ ମ୍ୟୁଜିକ୍ ପକ୍ଷରୁ ସ୍ୱତନ୍ତ୍ର ପାରମ୍ପରିକ ବାଦ୍ୟରେ ମା’ଙ୍କୁ ମେଲାଣି ଦିଆଯିବ।
ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ଉପରେ କଟକଣା
ଚଳିତ ବର୍ଷ ଆମ ପୂଜା କମିଟି ୪୭ ବର୍ଷରେ ପଦାର୍ପଣ କରିଛି। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆମେ କିଛି ନିଆରା କରିବାକୁ ଚେଷ୍ଟା କରିଛୁ। ଚଳିତ ବର୍ଷ ମଧ୍ୟ ଆମେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାରକୁ ବାରଣ କରିଛୁ। ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରି ଫେରିବେ ଏହା ହିଁ ଆଶା।
ରବି ନାରାୟଣ ନାୟକ, ସଭାପତି
ଆକର୍ଷଣ କରେ ସ୍ୱତନ୍ତ୍ର ଆଳତି
ପ୍ରତିବର୍ଷ ଏଠାରେ ମା’ଙ୍କ ନିକଟରେ ସ୍ୱତନ୍ତ୍ର ଆଳତି ପ୍ରସାଦ ଲାଗି କରାଯାଏ। ଏଥିପାଇଁ ସ୍ୱତନ୍ତ୍ର ରୋଷେୟା ମଧ୍ୟ ଆସନ୍ତି। ଆମ ପୂଜାମଣ୍ଡପର ଏହି ସ୍ବତନ୍ତ୍ର ଆଳତି ପ୍ରସାଦ ଅନ୍ୟତମ ଆକର୍ଷଣ। ତେଣୁ ଭକ୍ତମାନେ ବିପୁଳ ସଂଖ୍ୟାରେ ଆସି ଏହି ପ୍ରସାଦ ସେବନ କରିବେ ବୋଲି ଆଶା କରୁଛୁ।
ମନେନ୍ଦ୍ର ଦାସ, ସମ୍ପାଦକ