ଚନ୍ଦ୍ରଶେଖରପୁର: ୯ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟକାନ୍ତି ଜେନା ଘରକୁ ଘର ବୁଲି ପ୍ରଚାର ଅଭିଯାନକୁ ତ୍ବରାନ୍ବିତ କରିଛନ୍ତି। ସୂର୍ଯ୍ୟକାନ୍ତି ତାଙ୍କ ସମଥର୍କଙ୍କ ସହ ରଙ୍ଗମାଟିଆ, ଗାଡ଼କଣ ତଳସାହି ଓ ଉପରସାହି ସହିତ ଅରବିନ୍ଦ ନଗରରେ ପ୍ରଚାର କରିଥିଲେ। ରାଜ୍ୟର ବିଜେଡି ସରକାର ବସ୍ତିବାସିନ୍ଦାଙ୍କ ବିକାଶ ପାଇଁ କ’ଣ କରିଛନ୍ତି, ତାହା ଲୋକଙ୍କୁ ଜଣାଇଥିଲେ। ଏହି ଅବସରରେ ସୂର୍ଯ୍ୟକାନ୍ତିଙ୍କୁ ଭୋଟ୍ ଦେବା ପାଇଁ ମହିଳାମାନେ ଏକ ଶୋଭାଯାତ୍ରାରେ ୱାର୍ଡ ପରିକ୍ରମା କରିଥିଲେ। ମହିଳାମାନଙ୍କ ହୁଳହୁଳି ଓ ଶଙ୍ଖନାଦରେ ସ୍ଥାନୀୟ ଅଞ୍ଚଳ କମ୍ପିଥିଲା। ସୂର୍ଯ୍ୟକାନ୍ତି କର୍ପୋରେଟର୍ ଥିବା ସମୟରେ ୱାର୍ଡରେ କି କି ବିକାଶ କାର୍ଯ୍ୟ ହୋଇଛି, ସେ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ। ଆଉ ଥରେ ସୁଯୋଗ ମିଳିଲେ ବକେୟା କାର୍ଯ୍ୟଗୁଡ଼ିକୁ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଭୁବନେଶ୍ବର ୱାର୍ଡ ନଂ. ୫୪: ଶିବଙ୍କ ପାଇଁ ପ୍ରଚାର କଲେ ମନ୍ତ୍ରୀ
୫୪ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ଶିବ ପ୍ରସାଦ ବେହେରା ତାଙ୍କ ପ୍ରଚାର ଅଭିଯାନକୁ ଜୋର୍ଦାର କରିଛନ୍ତି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ୱାର୍ଡର ବିଭିନ୍ନ ସାହି ଗଳିରେ ପଦଯାତ୍ରା କରି ଶିବଙ୍କୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ପଦଯାତ୍ରାରେ ଦଳର ୱାର୍ଡ ସଭାପତି ଦାଶରଥୀ ଗରାବଡ଼ୁଙ୍କ ସମେତ ବହୁ ସମର୍ଥକ ପଦଯାତ୍ରାର ନେତୃତ୍ବ ନେଇଥିଲେ। ପୁନାମା ଗେଟ୍ ନିକଟରୁ ପଦଯାତ୍ରା ବାହାରି ଗୋସାଗରେଶ୍ବର, ଗୋଡ଼ି ପୋଖରୀ ସାହି, ନାରଦ ସାହି, ବେହେରା ସାହି, ମଙ୍ଗଳା ସାହି, ପାଟଣା ସାହି, ବଣିଆ ସାହି, ଦର୍ଜୀ ସାହି, ବଡ଼ୁସାହି ପରିକ୍ରମା କରି ବଡ଼ଦାଣ୍ଡ ସାହିରେ ତିନି ମୁଣ୍ଡିଆସ୍ଥିତ ପାର୍ଟି କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ୱାର୍ଡର ମୁରବି, ମହିଳା ଓ ଯୁବକମାନେ ସାମିଲ ହୋଇଥିଲେ।
ଭୁବନେଶ୍ବର ୱାର୍ଡ ନଂ. ୧୫: ପ୍ରଚାରକୁ ଓହ୍ଲାଇଲେ ପିଙ୍କି
୧୫ ନମ୍ବର ୱାର୍ଡରେ ସ୍ବାଧୀନ ଭାବେ କର୍ପୋରେଟର ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପିଙ୍କି ସ୍ବାଇଁ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଆଜି ସେ ସହିଦ ଲକ୍ଷ୍ମଣ ନାୟକ ବେହେରା ବସ୍ତି, ଏକାମ୍ର ଭିଲ୍ଲା ବେହେରା ବସ୍ତି, ସିଆରପିଏଫ୍ କଲୋନି, ରେଣ୍ଟାଲ କଲୋନି ପ୍ରଭୃତି ଅଞ୍ଚଳରେ ବୁଲି ମଶାଲ ଚିହ୍ନରେ ଭୋଟ୍ ଦେବା ପାଇଁ ଲୋକମାନଙ୍କୁ ବୁଝାଇଛନ୍ତି। ସ୍ବାମୀ ଅଶୋକ କୁମାର ରାଜ ତାଙ୍କ ପ୍ରଚାରର ମଙ୍ଗ ଧରିବା ସହ ଏହି ଅଞ୍ଚଳରେ ରହିଥିବା ମୌଳିକ ସମସ୍ୟା ସମ୍ବନ୍ଧରେ ଲୋକମାନଙ୍କୁ ବୁଝାଇଛନ୍ତି। ଏହି ୱାର୍ଡରେ ଖେଳପଡ଼ିଆ ନାହିଁ କି କଲ୍ୟାଣମଣ୍ଡପ ନାହିଁ। ଏଣୁ ପିଙ୍କି ଜିତିବା ପରେ ଏହି ଦୁଇଟି ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବେ ବୋଲି ସେ କହିଛନ୍ତି। ଏହି ୱାର୍ଡରେ ବିଜେଡିରୁ ରାଜଲକ୍ଷ୍ମୀ ବେହେରା, ବିଜେପିରୁ ସୁଭଦ୍ରା ଦୀପ୍ ଓ କଂଗ୍ରେସରୁ ଲିପ୍ସା ମହାନ୍ତି ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।