‘୩ଟି ସ୍ତମ୍ଭଠାରୁ ଗଣମାଧ୍ୟମ ନିରାପଦ ଦୂରତ୍ୱରେ ରହୁ’

‘ସୂର୍ଯ୍ୟପ୍ରଭା’ର ୧୫ଶ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ବ୍ୟକ୍ତିକେନ୍ଦ୍ରିକ ରାଜନୀତି ସ୍ୱଚ୍ଛ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ସେହିଭଳି ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ବିଚାର କରିବା ମଧ୍ୟ ଠିକ୍‌ ନୁହେଁ। ଏହି ଭ୍ରମ ଓଧ ସାଙ୍ଗେ ଭୁଆ ବାଇ ହେବା ଭଳି କଥା। ୩ଟି ସ୍ତମ୍ଭଠାରୁ ନିରାପଦ ଦୂରତ୍ୱରେ ରହିଲେ ହିଁ ଗଣମାଧ୍ୟମ କିଛି କରିବାକୁ ସକ୍ଷମ ହେବ। ଏକଥା କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। ଦୈନିକ ଖବରକାଗଜ ‘ସୂର୍ଯ୍ୟପ୍ରଭା’ର ୧୫ଶ ପ୍ରତିଷ୍ଠା ଦିବସରେ ‘ସୁସ୍ଥ ଗଣତନ୍ତ୍ର ପାଇଁ ସୁସ୍ଥ ସାମ୍ବାଦିକତା’ ଶୀର୍ଷକ ବିଷୟ ଉପରେ ମତ ରଖି ସେ କହିଲେ, ଗଣତନ୍ତ୍ର ପାଇଁ ସୁସ୍ଥ ସାମ୍ବାଦିକତା ସେତିକିବେଳେ ସମ୍ଭବ, ଯେବେ ଖବରକାଗଜ ବିଜ୍ଞାପନ ଉପରେ ନିର୍ଭରଶୀଳ ନ ହେବ। ଯେଉଁଦିନ ବିନା ବିଜ୍ଞାପନରେ ପାଠକମାନେ ୧୨ଟଙ୍କା ଦେଇ ଖବରକାଗଜ ପଢ଼ିପାରିବେ ସେହିଦିନ ସମସ୍ୟାର ବାଟ ଫିଟିପାରିବ। ସେହିଭଳି ସାମାଜିକ ଗଣମାଧ୍ୟମ ଆଗକୁ ବରଦାନ ହେବ ବୋଲି ସେ କହିଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଲେ, ସଂପ୍ରତି ଗୋଟିଏ ପତ୍ରିକାର ଦାମ ୧୨ଟଙ୍କାରୁ ଊର୍ଧ୍ୱ ହୋଇଥିବାରୁ ଖବରକାଗଜ କେହି ୧୨ଟଙ୍କା ଦେଇ ପଢ଼ିବାକୁ ଚାହିଁବେ ନାହିଁ। ଏକଥା ବି କହିଲେ, ପାରମ୍ପରିକ ଗଣମାଧ୍ୟମ ଅପେକ୍ଷା ସାମାଜିକ ଗଣମାଧ୍ୟମ ଏବେ ସୁଦୃଢ଼। ଟ୍ଵିଟରରେ ଅଭିଯୋଗ ପାଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇ ପାରୁଥିବାବେଳେ ସେ ନିଜେ ମଧ୍ୟ ସୋସିଆଲ୍‌ ମିଡିଆ ସହଯୋଗରେ କାର୍ଯ୍ୟାନୁଷ୍ଠାନ ନେଇପାରିଛନ୍ତି ବୋଲି କହିଥିଲେ। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଅଭିଭାଷଣରେ କହିଲେ, ଗଣତନ୍ତ୍ରର ସୁରକ୍ଷାରେ ଗଣମାଧ୍ୟମର ଭୂମିକା ରହିଛି। ସତ୍ୟ-ନିରପେକ୍ଷ ଓ ତର୍ଜମା ଭିତ୍ତିକ ସମ୍ବାଦ ସୁସ୍ଥ ଗଣତନ୍ତ୍ର ପାଇଁ ଆବଶ୍ୟକ। ‘କଳିଙ୍ଗ ଟିଭି’ର ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ଆଲୋଚ୍ୟ ବିଷୟ ଉପରେ ମତ ରଖି କହିଲେ, ଟ୍ଵିଟରରେ ମୋଦିଙ୍କର ସଂପ୍ରତି ସାଢ଼େ ୩ କୋଟି ଫଲୋଅର୍‌ ହୋଇଥିବା ବେଳେ କୌଣସି ଖବରକାଗଜର ପାଠକଙ୍କ ସଂଖ୍ୟା ମଧ୍ୟ ଏତିକି ଛୁଇଁ ନାହିଁ। ଓସାମାକୁ ଆକ୍ରମଣ ପୂର୍ବ ଘଟଣା ବି ଟ୍ଵିଟରରେ ବ୍ରେକ୍‌ ହେଉଛି। ତେଣୁ ଏଭଳି ସ୍ଥଳେ ସାମାଜିକ ଗଣମାଧ୍ୟମ ପାରମ୍ପରିକ ଗଣମାଧ୍ୟମ ପାଇଁ ଆହ୍ଵାନ ଆଣିଛି। ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡର ବ୍ୟୁରୋ ମୁଖ୍ୟ ଦିଲ୍ଲୀପ ଶତପଥୀ କହିଲେ, ଗଣତନ୍ତ୍ର ଓ ଗଣମାଧ୍ୟମ ଉଭୟ ଏବେ ଅସୁସ୍ଥ। ଗଣତନ୍ତ୍ରରେ ସୃଷ୍ଟି ହେଉଥିବା ତ୍ରୁଟି ବିଚ୍ୟୁତିରେ ପକ୍ଷଭୁକ୍ତ ହୋଇ ପ୍ରଶ୍ନ କରି ସୁଧାରିବା ଗଣମାଧ୍ୟମର କାମ। କିନ୍ତୁ ବାସ୍ତବରେ ଏହା କେତେ ହେଉଛି ତାହା ବିଚାରଯୋଗ୍ୟ।

ଏହି ଅବସରରେ ସୂର୍ଯ୍ୟପ୍ରଭା’ର ସମ୍ପାଦକ ରବି କାନୁନ୍‌ଗୋଙ୍କର ପୁସ୍ତକ ‘ଲୁଚେଇ ଲୁଚେଇ ଗଣତନ୍ତ୍ର’, ‘କୀଟୁଁ ବ୍ରହ୍ମ ପରିଯନ୍ତେ’ ଏବଂ ‘ଶବ୍ଦ ବିଂଶୋତ୍ତରୀ’ ଲୋକାର୍ପିତ ହୋଇଥିଲା। ଅଧ୍ୟାପକ ବିଶ୍ୱରଂଜନ, କବି ବୈଷ୍ଣବ ମହାନ୍ତି ବହିର ସମୀକ୍ଷା ସହ ମତ ରଖିଥିଲେ। ‘ସୂର୍ଯ୍ୟପ୍ରଭା’ର ପରିଚାଳନା ନିର୍ଦେଶକ ବିକାଶ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ସମ୍ପାଦକ ରବି କାନୁନ୍‌ଗୋ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର