ସୁଶାନ୍ତ ଧରିଲେ ଭୁବନେଶ୍ବର ବିଜେଡିର ମଙ୍ଗ, ୨ ବର୍ଷରେ ତିନି ଥର ସଭାପତି ବଦଳି

ଭୁବ‌େନଶ୍ବର: ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଭୁବନେଶ୍ବର ଜିଲ୍ଲା ବିଜେଡିର ସଭାପତି ଭାବେ ଆଜି ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ସଭାପତି ଅନନ୍ତ ନାରାୟଣ ଜେନା ଦଳର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲା ପରେ ଜିଲ୍ଲା ସଭାପତି ପଦବିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କିଛି ନେତା ବିଭିନ୍ନ ଉପାୟରେ ଲବି ବି ଆରମ୍ଭ କରି ଦେଇଥିଲେ। ଆଜିର ନିଯୁକ୍ତି ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି।

ଗତ ଦୁଇବର୍ଷ ଭିତରେ ଭୁବନେଶ୍ବର ସାଂଗଠନିକ ଜିଲ୍ଲାରେ ତିନିଥର ସଭାପତି ପରିବର୍ତ୍ତନ ହେଲେଣି। ଏହି କ୍ରମରେ ବିଧାୟକ ଶ୍ରୀ ରାଉତ ହେଲେ ଚତୁର୍ଥ ସଭାପତି। ୨୦୧୮ ମେ’ ମାସରେ ତତ୍‌କାଳୀନ ଜିଲ୍ଲା ସଭାପତି ବାବୁଲି ମିଶ୍ରଙ୍କ ପରଲୋକ ପରେ ଏହି ପଦବି କିଛି ମାସ ଖାଲି ପଡ଼ିଥିଲା। ୨୦୧୮ ସେପ୍ଟେମ୍ବର ମାସରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଗଲା। ତେବେ ୨୦୧୯ ନିର୍ବାଚନ ସମୟରେ ଏକ ନାଟକୀୟ ଘଟଣାକ୍ରମେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ହେଲେ। ଏହି ସମୟରେ ଯୁବନେତା ଅମରେଶ ଜେନାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଗଲା। ୨୦୧୯ ଏପ୍ରିଲ୍‌ ପ୍ରଥମ ସପ୍ତାହରେ ସେ ଏହି ଦାୟିତ୍ବ ନେଲେ। ତେବେ ତାଙ୍କ କାର୍ଯ୍ୟକାଳ ଏକ ବର୍ଷ ପୂରଣ ହେବା ଆଗରୁ ପୁଣି ସଭାପତି ବଦଳାଇ ଦିଆଗଲା। ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପାଇଲେ। ଗତ ମାସରେ ଶ୍ରୀ ଜେନା ଦଳର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲା ପରେ ନୂଆ ଜିଲ୍ଲା ସଭାପତି ନିଯୁକ୍ତ ହେବେ ବୋଲି ସ୍ପଷ୍ଟ ହୋଇଥିଲା। ନୂଆ ସଭାପତି ଶ୍ରୀ ରାଉତ ୨୦୧୯ ନିର୍ବାଚନରେ ପ୍ରଥମଥର ପାଇଁ ଲଢ଼ି ବିଜୟୀ ହୋଇଥି‌ଲେ। ପୂର୍ବରୁ ସେ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଥିଲେ। ଜଣେ ନିର୍ବିବାଦୀୟ ଯୁବ ନେତା ଭାବେ ଶ୍ରୀ ରାଉତଙ୍କର ଦଳୀୟ ମହଲରେ ଗ୍ରହଣୀୟତା ରହିଛି।

ଭୁବନେଶ୍ବରର ତିନିଟି ଯାକ ନିର୍ବାଚନମଣ୍ଡଳୀ ବିଜେଡି ଦଖଲରେ ଥିଲେ ମଧ୍ୟ ବିରୋଧୀ ବିଜେପି ତା’ର ସଂଗଠନକୁ ଦୃଢ଼ କରିବା ପାଇଁ ଜୋର୍‌ଦାର୍ ଉଦ୍ୟମ ଚଳାଇଛି। ବିଜେପିର ଜିଲ୍ଲା ନେତାମାନେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କରି କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବାର ଦେଖାଯାଉଛି। ଏହି ସମୟରେ ଶ୍ରୀ ରାଉତ ବିଜେଡିର ନେତୃତ୍ବ ନେଇ ଦଳର ସଂଗଠନକୁ କିପରି ମଜଭୁତ୍‌ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ପୂର୍ବତନ କର୍ପୋରେଟର୍‌ ବିରଞ୍ଚି ନାରାୟଣ ମହାସୂପକାର ନିଯୁକ୍ତି ପାଇଛନ୍ତି। ସେ ତିନି ଥର ବିଏମ୍‌ସିକୁ କର୍ପୋରେଟର୍‌ ଭାବେ ନିର୍ବାଚିତ ହୋଇସାରିଛନ୍ତି। ଶ୍ରୀ ରାଉତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଗୁରୁଦାୟିତ୍ବ ଦେଇଥିବାରୁ ମୁଁ କୃତଜ୍ଞ। ଏହି ଦ‌ାୟିତ୍ବକୁ ନିଷ୍ଠାର ସହ ତୁଲାଇବି। ସମସ୍ତଙ୍କୁ ନେଇ ଜିଲ୍ଲା ସଂଗଠନକୁ କିପରି ଅଧିକ ଶକ୍ତିଶାଳୀ କରାଯିବ, ସେ ଦିଗରେ ମୁଁ ଉଦ୍ୟମ କରିବି।

ସମ୍ବନ୍ଧିତ ଖବର