ପିଲା ଚୋର ସନ୍ଦେହରେ ଯୁବକ ହଟହଟା, ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଉତ୍ତେଜନା

ଭୁବନେଶ୍ବର: ଶନିବାର ସକାଳୁ ସକାଳୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପିଲା ଚୋର ସନ୍ଦେହରେ ଜଣେ ଯୁବକ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ଏହି ଯୁବକଙ୍କୁ ଅଟକ ରଖି ଅଶାଳୀନ ବ୍ୟବହାର କରିବା ସହ ପଚରାଉଚରା କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଖବର ପାଇ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଫାଣ୍ଡି ପୁଲିସ ସେଠାରେ ପହଞ୍ଚି ଯୁବକକୁ ନେଇ ଯାଇଥିଲା।

ଗଂଜାମ ଖଲ୍ଲିକୋଟସ୍ଥିତ ବିକ୍ରମପୁରର ହରି ପରିଡ଼ାଙ୍କ ପୁଅ ରାକେଶ ପରିଡ଼ା(୩୨) ଏଠାରୁ ଲୋକଙ୍କୁ ନେଇ ବାହାର ରାଜ୍ୟରେ ଠିକାଦାରୀ କାମ କରନ୍ତି। ଆଜି ସକାଳ ପ୍ରାୟ ୮ଟା ୫୦ରେ ରାକେଶ ବସ୍‌ଷ୍ଟାଣ୍ଡର କିଛି ଯୁବକଙ୍କୁ ବାହାରକୁ ନେଇ କାମ କରାଇବା ପାଇଁ ଡାକୁଥିଲେ। ମାତ୍ର ସେମାନେ ରାଜି ନ ହେବାରୁ ବିଭିନ୍ନ ଲାଳସା ଦେଖାଇ ନେବାକୁ ଉଦ୍ୟମ କରୁଥିଲେ। ଯାହାକୁ ନେଇ ଲୋକେ ତାଙ୍କୁ ପିଲାଚୋର ବୋଲି ସନ୍ଦେହ କରିଥିଲେ। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଘେରିଯାଇ ଦୁର୍ବ୍ୟବହାର କରିବା ସହ ପଚରାଉଚରା କରିଥିଲେ। ଖବର ପାଇ ବସ୍‌ଷ୍ଟାଣ୍ଡରେ ଥିବା ଫାଣ୍ଡି ଯୁବକଙ୍କୁ ଅଟକ ରଖିଥିଲା ଏବଂ ପରେ ଭରତପୁର ଥାନା ପୁଲିସ୍ ଯୁବକଙ୍କୁ ନେଇ ଯାଇଥିଲା। ଥାନାରେ କିଛି ସମୟ ରଖି ଜେରା କରିବା ପରେ ପୁଲିସ ରାକେଶଙ୍କୁ ଛାଡ଼ିଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର