କରୋନା ସନ୍ଦେହରେ ବିଦେଶୀ ନାଗରିକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କଲା ପୁଲିସ

କତର୍‌ରୁ ଫେରିଥିବା ବ୍ୟକ୍ତିଙ୍କୁ ନେଇ ହଇଚଇ, ପୁଡୁଚେରୀ ଫେରନ୍ତା ଯୁବକଙ୍କୁ ପଠାଗଲା କ୍ୟାପିଟାଲ ହସ୍‌ପିଟାଲ

ଭୁବନେଶ୍ୱର : ଖାରବେଳନଗର ଥାନା ପୁଲିସ ଆଜି ଜଣେ ବିଦେଶୀ ନାଗରିକଙ୍କୁ କରୋନା ସନ୍ଦେହରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ହସ୍ପିଟାଲର ଆଇସୋଲେସନ୍‌ ୱାର୍ଡରେ ରଖାଯିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ତାଙ୍କ ସ୍ବାବ୍‌ ନମୁନାକୁ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଆର୍‌ଏମ୍‌ଆର୍‌ସିକୁ ପଠାଯାଇଛି।

ସୂଚନା ଅନୁଯାୟୀ, ୨ ମାସ ତଳେ ୫୦ ବର୍ଷୀୟ ଏହି ବ୍ୟକ୍ତିଜଣଙ୍କ ଚେକ୍‌ ରିପବ୍ଲିକ୍‌ରୁ ଭାରତ ଆସିଥିଲେ। ଗତକାଲି ସେ କୋଲକାତାରୁ ଟ୍ରେନ୍‌‌ରେ ଭୁବନେଶ୍ୱର ଆସିଥିଲେ। ରହିବା ପାଇଁ ସେ ବିଭିନ୍ନ ହୋଟେଲକୁ ଯାଇଥିଲେ ହେଁ ତାଙ୍କୁ କେହି ରଖିନଥିଲେ। ଆଜି ସେ ଷ୍ଟେସନ୍‌ ଅଞ୍ଚଳରେ ଘୂରି ବୁଲୁଥିବା ବେଳେ କିଛି ସ୍ଥାନୀୟ ଲୋକ ଏ ସଂପର୍କରେ ଖାରବେଳନଗର ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା।

କତାର୍‌ରୁ ଫେରିଥିବା ବ୍ୟକ୍ତିଙ୍କୁ ନେଇ ହଇଚଇ
ଭୁବନେଶ୍ୱର : କତାରରୁ ଫେରିଥିବା ଜଣେ ଓଡ଼ିଆ ଯୁବକଙ୍କୁ ନେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୋକଙ୍କ ଭିତରେ ହଇଚଇ ସୃଷ୍ଟି ହୋଇଛି। ଗତ ୧୩ ତାରିଖ ଦିନ ସମ୍ପୃକ୍ତ ବ୍ୟକ୍ତିଜଣଙ୍କ ଘରକୁ ଫେରିଥି‌ଲେ। ଇଟାଲିରୁ ଫେରିଥିବା ଯୁବକ ଘରକୁ ଫେରିବା ପରେ ଗତକାଲି କରୋନାରେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା। ତେଣୁ କତାର୍‌ ଫେରନ୍ତା ବ୍ୟକ୍ତିଙ୍କୁ ନେଇ ସ୍ଥାନୀୟ କଲୋନି ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି। ଏପରିକି କଲୋନିର ସମିତି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିଠି ଲେଖି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପରୀକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି। ଅପରପକ୍ଷେ ସମ୍ପୃକ୍ତ ବ୍ୟକ୍ତିଜଣକ କ୍ୟାପିଟାଲ ହସ୍ପିଟାଲ ପରୀକ୍ଷା ପାଇଁ ଯାଇଥିଲେ। ମାତ୍ର ସେଠାରେ ଥିବା ଡାକ୍ତର ତାଙ୍କ ଦେହରେ କୌଣସି ଲକ୍ଷଣ ନ ଥିବାରୁ ଏକ ଅଣ୍ଡର୍‌ଟେକିଂ ରଖି ଛାଡ଼ି ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ମାତ୍ର ସମ୍ପୃକ୍ତ ବ୍ୟକ୍ତିଜଣକ ହସ୍ପିଟାଲରେ ନ ରହି ଘରକୁ ଫେରି ଆସିବାକୁ ନେଇ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ପୁଡୁଚେରୀ ଫେରନ୍ତା ଯୁବକଙ୍କୁ ପଠାଗଲା କ୍ୟାପିଟାଲ ହସ୍‌ପିଟାଲ
ବାଲିପାଟଣା : ବାଲିପାଟଣା ଅଞ୍ଚ­ଳରେ ରାଜ୍ୟ ବାହାରୁ ଫେରିଥିବା ଜଣେ ଯୁବକଙ୍କୁ କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ଆଜି କ୍ୟାପିଟାଲ ହସ୍‌ପିଟାଲକୁ ପଠାଯାଇଛି। ବାଲିପାଟଣାର ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ, ଥାନା ଅଧିକାରୀ ରାଧାକାନ୍ତ ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ମନୋରଂଜନ ହାତୀ ତାଙ୍କ ନିକଟରେ ପହ­ଞ୍ଚି ଅଧିକ ସ୍ୱାସ୍ଥ୍ୟ ପରୀକ୍ଷା କରିବା ନିମନ୍ତେ ଭୁବେନେଶ୍ୱର କ୍ୟାପିଟାଲ ହସ୍‌ପିଟାଲକୁ ପଠାଇଛନ୍ତି।

ସୂଚନା ଅନୁଯାୟୀ ସନ୍ଦିଗ୍ଧ ଯୁବକ ପୁଡୁଚେରୀରେ ଶ୍ରମିକ ଭାବରେ କାମ କରୁଥିଲେ। କରୋନା ଆତଙ୍କ ଯୋଗୁଁ ସେ ୫ ଦିନ ତଳେ ଘରକୁ ଫେରି ଆସିଥିଲେ। ଗତକାଲି ଠାରୁ ଭୀଷଣ ଜ୍ୱର ହେବାରୁ ପରିବାର ଲୋକ ଆଜି ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନୀୟ ଅଞ୍ଚ­ଳର ଜନସାଧାରଣଙ୍କୁ ଭୟଭୀତ ନ ହେବା ପାଇଁ ଡ. ହାତୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର