ବଡି ବିଲ୍‌ଡରଙ୍କ ସନ୍ଦେହଜନକ ମୃତ୍ୟୁ: ଲୁଚାଛପାରେ ଶବଦାହ, ରୁଜୁ ହେଲା ହତ୍ୟା ମାମଲା

ବାଲିପାଟଣା: ଶୁକ୍ରବାର ବିଳମ୍ବିତ ରାତିରେ ଭାକରସାହି ପଞ୍ଚାୟତ ବିଶ୍ୱାଳସାହିର ବଡି ବିଲ୍‌ଡର ରଶ୍ମିରଞ୍ଜନ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ରଶ୍ମି ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ ଲୁଚାଛପାରେ ଶବଦାହ କରାଯାଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। ରଶ୍ମି ତାଙ୍କ ମୃତ୍ୟୁ କିଛି ଘଣ୍ଟା ପୂର୍ବରୁ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ କରିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଉକ୍ତ ଭିଡିଓରୁ ଜଣାପଡ଼ିଥିଲା। ତାଙ୍କ ବାପା, ଭାଇ ଏବଂ ଜନୈକ ଯୁବତୀ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼୍‌ଯନ୍ତ୍ର କରୁଛନ୍ତି ବୋଲି ସେ ଭିଡିଓରେ କହୁଥିଲେ।

ତେଣୁ ଏ ସବୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିବାରୁ ବାଲିପାଟଣା ଥାନା ପୁଲିସ ନିଜ ଆଡ଼ୁ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ପୁଲିସ ସକାଳୁ ମୃତ ରଶ୍ମିଙ୍କ ଘରକୁ ଯାଇ ପଚରାଉଚରା କରିଥିଲା। ଅପରାହ୍ନରେ ଜୋନ୍‌-୪ ଏସିପି ଶୁଭ ନାରାୟଣ ମୁଦୁଲି, ଆଇଆଇସି ଓମ୍‌ପ୍ରକାଶ ମହାନ୍ତି ସାଇଣ୍ଟିଫିକ୍‌ ଟିମ୍‌ ସହ ରଶ୍ମିଙ୍କ ଘର ଓ ମଶାଣିକୁ ଯାଇ ଛାନ୍‌ଭିନ୍‌ କରିଥିଲେ। ରିପୋର୍ଟ ମିଳିବା ପରେ ଯାହା କିଛି ସ୍ପଷ୍ଟ ହେବ ବୋଲି ଏସିପି ଶ୍ରୀ ମୁଦୁଲି କହିଛନ୍ତି। ସୂଚନାଯୋଗ୍ୟ ଯେ ରଶ୍ମି ବନମାଳୀପୁର ପୋଷ୍ଟାଲ୍‌ ଛକ ନିକଟରେ ବ୍ଲାକ ହର୍ସ ନାମରେ ଏକ ଜିମ୍‌ ସେଣ୍ଟର୍‌ କରିଥିଲେ। ସେ ବେଶ୍ ମେଳାପି ପିଲା ଥିଲେ। ତେଣୁ ସେ ଆତ୍ମହତ୍ୟା କରିବା ଭଳି ଘଟଣାକୁ ସାଙ୍ଗମାନେ ଗ୍ରହଣ କରିପାରିନାହାନ୍ତି। ପରିବାର ଲୋକେ ରଶ୍ମିଙ୍କ ଉପରେ ଅତ୍ୟାଚାର କରୁଥିଲେ ବୋଲି ଭାଇରାଲ୍‌ ହୋଇଥିବା ଭିଡିଓରୁ ଜଣାପଡ଼ୁଛି ବୋଲି ସାଙ୍ଗମାନେ କହିଛନ୍ତି। ଏଥିରେ ଜଣେ ବ୍ୟାଙ୍କ ଅଧିକାରୀଙ୍କ ଭୂମିକା ଥିବା ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର