ଭୁବନେଶ୍ବର: ବିଏମ୍ସି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ପ୍ରାୟ ୨୦ଟି ୱାର୍ଡରେ ବିଦ୍ରୋହୀ ଏବେ ବିଜେଡି ପ୍ରାର୍ଥୀଙ୍କ ଲାଗି କଣ୍ଟା ସାବ୍ୟସ୍ତ ହେବାକୁ ଯାଉଛନ୍ତି। ପଞ୍ଚାୟତ ନିର୍ବାଚନରେ ଦଳ ବିପୁଳ ସଫଳତା ପାଇଥିଲେ ବି ୱାର୍ଡ ସ୍ତରରେ ବିଦ୍ରୋହୀ ରାଜନୈତିକ ଗଣିତକୁ ଓଲଟପାଲଟ କରିଦେବାରେ ସକ୍ଷମ ଅଟନ୍ତି। ତେଣୁ ଦଳର ଶୀର୍ଷ ନେତୃତ୍ବ ଅସନ୍ତୁଷ୍ଟଙ୍କୁ ବୁଝାଇବାରେ ଲାଗିପଡ଼ିଛନ୍ତି। ଯେକୌଣସି ପ୍ରକାରେ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଇବାକୁ ଦୁଇ ଦିନ ହେଲା ଉଦ୍ୟମ ଜାରି ରହିଛି। କାହାକୁ ବୁଝାଯାଉଛି ତ ଆଉ କାହା ଉପରେ ଚାପ ପକାଯାଉଛି।
ପ୍ରାର୍ଥିପତ୍ର ପ୍ରତ୍ୟାହାର ଲାଗି ହାତରେ ୫ ଦିନ ସମୟ ଥିବାରୁ ଏହି ସମୟ ମଧ୍ୟରେ ନେତାମାନେ ଅସନ୍ତୁଷ୍ଟଙ୍କୁ ବୁଝାଇବାକୁ ଦିନରାତି ଏକ୍ କରିଦେଇଛନ୍ତି। ବିଜେଡିର ମୁଖ୍ୟ ଫୋକସ୍ ରହିଛି ମଧ୍ୟ ଭୁବନେଶ୍ବର ଉପରେ। ଏଠାରେ ସର୍ବାଧିକ ଅସନ୍ତୁଷ୍ଟ ନେତା ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବହୁ ପୁରୁଣା କର୍ପୋରେଟରଙ୍କ ଟିକେଟ୍ କଟିଥିବାରୁ ସେମାନେ ମଧ୍ୟ ସ୍ବାଧୀନ ଭାବେ ଲଢ଼ିବାକୁ ମଇଦାନକୁ ଓହ୍ଲାଇଛନ୍ତି। ତେଣୁ ସେମାନଙ୍କୁ ବୁଝାଇବାକୁ ବରିଷ୍ଠ ନେତାଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଛି। ଆଜି ରାତି ସୁଦ୍ଧା ପ୍ରାୟ ୫୦ ଜଣ ବିଦ୍ରୋହୀ ପ୍ରାର୍ଥୀ ଓହରିଯିବାକୁ ସମ୍ମତି ଜଣାଇଛନ୍ତି।
ଅସନ୍ତୁଷ୍ଟଙ୍କୁ ବିଜେଡିର ଚେତାବନୀ
ପ୍ରତ୍ୟାହାର ପାଇଁ ରାଜି ହେଲେଣି ୫୦
ସମସ୍ତେ ଦଳର ନିଷ୍ପତ୍ତି ମାନିବେ: ଜିଲ୍ଲା ସଭାପତି
ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ୪ଟି ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କ ଲାଗି କୌଣସି କଣ୍ଟା ନାହାନ୍ତି। ୩୨, ୩୩, ୪୩ ଓ ୪୫ ନମ୍ବର ୱାର୍ଡରେ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ଲଢ଼େଇ ହେବାକୁ ଥିବା ବେଳେ ୩୪ ନମ୍ବରରେ ତ୍ରିମୁଖୀ ଲଢ଼େଇ ହେବ। ୨୯ରେ ପୂର୍ବତନ କର୍ପୋରେଟର ଶେଖ୍ ନିଜାମୁଦ୍ଦିନ୍ ପ୍ରାର୍ଥିପତ୍ର ଦାଖଲ କରି ବିଜେଡି ପାଇଁ କଣ୍ଟା ସାଜିଥିଲେ। ମାତ୍ର ତାଙ୍କୁ ବୁଝଇବାରେ ଦଳର ନେତୃବୃନ୍ଦ ସକ୍ଷମ ହୋଇଛନ୍ତି। ୩୫, ୩୬ ଓ ୩୯ ନମ୍ବର ୱାର୍ଡରେ ବିଜେଡି ଅସନ୍ତୁଷ୍ଟ ସ୍ବାଧୀନ ଭାବେ ଛିଡ଼ା ହୋଇଥିବାରୁ ସେମାନଙ୍କ ବୁଝାଇ ସନ୍ତୁଷ୍ଟ କରିବା ଦଳ ପାଇଁ ଆହ୍ବାନ ସୃଷ୍ଟି ହୋଇଛି। ୩୮ ନମ୍ବର ୱାର୍ଡରେ ପୂର୍ବତନ କର୍ପୋରେଟର ନିଖିଳ ବଳବନ୍ତରାୟଙ୍କ ପତ୍ନୀ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇବା ଚିନ୍ତା ବଢ଼ାଇଛି। ସେମାନଙ୍କୁ ବୁଝାଇବା ଲାଗି ମଧ୍ୟ ଭୁବନେଶ୍ବରର ବରିଷ୍ଠ ନେତାମାନେ ଲାଗିପଡ଼ିଛନ୍ତି।
ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ଅଧୀନ ୨୪ ୱାର୍ଡ ପାଇଁ ଦଳ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଯେଉଁ ୱାର୍ଡରେ ବିଜେଡି ଅସନ୍ତୁଷ୍ଟ ସ୍ବାଧୀନ ଭାବେ ଛିଡ଼ା ହୋଇଛନ୍ତି ସେମାନଙ୍କୁ ବୁଝାଯାଉଛି। ୩, ୫, ୭, ୧୦, ୧୧, ୧୪ ନମ୍ବର ୱାର୍ଡର ଅସନ୍ତୁଷ୍ଟଙ୍କୁ ବୁଝାଯାଇଛି। ୧୬ ଓ ୧୮ ନମ୍ବର ୱାର୍ଡରେ କିଛିଟା ସମସ୍ୟା ରହିଛି। ସ୍ବାଧୀନ ଭାବେ ଲଢ଼ିବାକୁ ପ୍ରାର୍ଥିପତ୍ର ଭରିଥିବା ଅନେକ ଅସନ୍ତୁଷ୍ଟ ଏବେ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର ଆରମ୍ଭ କରିଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୋଷ୍ଟ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଅନୁରୋଧ କରୁଛନ୍ତି।
ଏକାମ୍ର ଭୁବନେଶ୍ବରରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ସେଭଳି ନାହିଁ। କେତେକ ୱାର୍ଡରେ ବିଜେଡିର ତୃଣମୂଳସ୍ତରର କିଛି ନେତା ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ୪୪ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ପରିବର୍ତନ କରିଥିବାରୁ ସ୍ବାଧୀନ ଭାବେ ବହୁ ଆଶାୟୀ ନାମାଙ୍କନ ଭରିଛନ୍ତି। ୬୦, ୬୫ ଓ ୬୭ ନମ୍ବର ୱାର୍ଡରେ ବିଦ୍ରୋହୀ ପ୍ରାର୍ଥୀ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିବାର ଆଶଙ୍କା ରହିଛି। ସେମାନଙ୍କୁ ବୁଝାସୁଝା କରିବା ପାଇଁ ଦଳୀୟ ନେତୃବୃନ୍ଦ ଲାଗିପଡ଼ିଛନ୍ତି।
ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, କେତେକ ୱାର୍ଡରେ ବିଜେଡିର ଏମିତି କିଛି ନେତା ରହିଛନ୍ତି ଯେଉଁମାନଙ୍କ ପାଖରେ ପକେଟ୍ ଭୋଟ ହିଁ ନାହିଁ। ମାତ୍ର ସ୍ବାଧୀନ ଭାବେ ଛିଡ଼ା ହୋଇ ଦଳକୁ ଧମକାଇବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କ ଲାଗି ଦଳ କୌଣସି ରଣନୀତି ପରିବର୍ତନ କରିନି। ବରଂ ୧୪ ତାରିଖକୁ ଅପେକ୍ଷା କରାଯାଇଛି। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ସ୍ବାଧୀନ ଭାବେ ଲଢ଼ୁଥିବା ସବୁ ପ୍ରାର୍ଥୀ ଯେ ଅସନ୍ତୁଷ୍ଟ ତାହା କହିବା ଭୁଲ୍। ଆଦୌ କାଟ୍ତି ନ ଥିବା କିଛି ନେତା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନେ ଯଦି ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର ନ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦଳରୁ ନିଳମ୍ବନ ମଧ୍ୟ କରାଯାଇପାରେ। ଯେହେତୁ ସେମାନେ ଏତେ ବର୍ଷ ଧରି ଦଳ ସହ ଜଡ଼ିତ ଅଛନ୍ତି ତେଣୁ ବୁଝାଇବାକୁ ଚେଷ୍ଟା କରାଯାଉଛି।
ବିଜେଡିର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, ବିଜେଡିରେ କୌଣସି ଅସନ୍ତୁଷ୍ଟ ନାହାନ୍ତି। ଟିକେଟ୍ ପାଇବାକୁ ସମସ୍ତେ ଆଶା ବାନ୍ଧିଥିଲେ। ଯିଏ ପାଇନାହାନ୍ତି ସେ ଅଭିମାନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୧୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର ଲାଗି ସମୟ ରହିଛି। ତେଣୁ ସେମାନେ ଦଳ ନିଷ୍ପତ୍ତିକୁ ମାନିବେ ଏବଂ ଏକାଠି ହୋଇ ବିଜେଡି ପ୍ରାର୍ଥୀଙ୍କୁ ବିଜୟ କରାଇବେ ବୋଲି ମୋର ବିଶ୍ବାସ ରହିଛି।