ସର୍ବେଶ୍ବର ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଆତ୍ମାହୁତି ପାଇଁ ମା’ଙ୍କ ଚେତାବନୀ

ପୁରୁଣା ଭୁବନେଶ୍ୱର: ସର୍ବେଶ୍ବର ପରିଡ଼ା(୧୮) ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ୍‌। ଜଣେ ଯୁବତୀ ତାଙ୍କ ରୁମକୁ ଯାଉଥିବା ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି। ପରିବାରଲୋକ ଏହି ସିସିଟିଭି ଫୁଟେଜ୍‌ ପୁଲିସକୁ ଦେଇଛନ୍ତି। ଉକ୍ତ ଯୁବତୀଜଣକ ହତ୍ୟା କରିଥିବା ନେଇ ସର୍ବେଶ୍ବରଙ୍କ ମ‌ା’ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ହତ୍ୟା ଘଟଣାକୁ ୬ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଏନେଇ ଆଜି ପୁଲିସ ବିରୋଧରେ ସର୍ବେଶ୍ବରଙ୍କ ପରିବାରଲୋକ ଥାନା ଆଗରେ ପ୍ରତିବାଦ କରିଛନ୍ତି। ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ସର୍ବେଶ୍ବରଙ୍କ ମା’। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରା ନଗଲେ ଥାନା ଆଗରେ ଆତ୍ମାହୁତି ଦେବାକୁ ସେ ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗୋଛାୟିରି ଅଞ୍ଚଳର ନଳିନୀ ପରିଡ଼ା ଚନ୍ଦ୍ରଶେଖରପୁର ବିଡିଏ କଲୋନି ନୀଳମାଧବ ବସ୍ତିରେ ରହୁନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ସେ ବାସନ ମାଜି ଘର ଚଳାନ୍ତି। ପୁଅ ସର୍ବେଶ୍ବର ଶ୍ରୀଲିଙ୍ଗରାଜ ଥାନା ଅଧୀନ କେଦାର ଲେନ୍‌ରେ ଭଡ଼ାରେ ରହି ଗ୍ୟାରେଜ୍‌ ଛକ ନିକଟ ଏକ ସର୍ଭିସ ସେଣ୍ଟରରେ କାମ ଶିଖୁଥିଲେ। ସେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ହେଲେ ଗତ ୧୭ ତାରିଖ ସନ୍ଧ୍ୟାରେ ସେ ସମ୍ପୃକ୍ତ ଯୁବତୀଙ୍କୁ ଭିଡିଓ କଲ୍‌ କରି ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ। ପ୍ରେମରେ ବିଫଳ ହେବାରୁ ଯୁବକଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ କହିଥିଲା। ତେବେ ସିସିଟିଭି ଫୁଟେଜ୍‌ ସାମନାକୁ ଆସିବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର