ଭୁବନେଶ୍ବର: ଝାରପଡ଼ା ଜେଲ୍ରେ ସନ୍ଦେହଜନକ ଭାବେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଚନ୍ଦକା ଥାନା ଅନ୍ଧାରୁଆ ଅଞ୍ଚଳର ପ୍ରାଣକୃଷ୍ଣ ଦାସ(୫୩)। ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ହେଲେ ମୃତ କଏଦୀଙ୍କ ପରିବାର ଲୋକ ଆସିନଥିବାରୁ ବ୍ୟବଚ୍ଛେଦ ହୋଇପାରିନାହିଁ।
ସୂଚନା ମୁତାବକ, ୨୦୨୧ ମସିହା ଜୁଲାଇରେ ଗଞ୍ଜେଇ ଚୋରା ଚାଲଣ କରି ଏନ୍ଡିପିଏସ୍ ଆକ୍ଟରେ ନୂଆପଲ୍ଲୀ ଥାନା ପୁଲିସ ପ୍ରାଣକୃଷ୍ଣଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ସେବେଠାରୁ ସେ ଝାରପଡ଼ା ଜେଲ୍ରେ ବିଚାରାଧୀନ କଏଦୀ ଭାବେ ଥିଲେ। ତେବେ ଗତ ୨୧ ତାରିଖ ରାତିରେ ହଠାତ୍ ପ୍ରାଣକୃଷ୍ଣ ଅସୁସ୍ଥ ହୋଇପଡ଼ିଥିଲେ। ରାତି ପ୍ରାୟ ୧ଟା ସମୟରେ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ୨୨ତାରିଖ ସକାଳ ପ୍ରାୟ ୯ଟା ବେଳେ ଜେଲ୍ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାକୁ ଜଣାଇଥିଲେ। ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଥିଲା। ହେଲେ ପରିବାର ଲୋକ ନଆସିବାରୁ ବ୍ୟବଚ୍ଛେଦ ହୋଇପାରିନଥିଲା।
ଅନ୍ୟପଟେ ପ୍ରାଣକୃଷ୍ଣଙ୍କ ମୃତ୍ୟୁ ନେଇ ଜେଲ୍ କିମ୍ବା ପୁଲିସ ପକ୍ଷରୁ କୌଣସି ଖବର ଦିଆଯାଇନାହିଁ ବୋଲି ପରିବାର ଲୋକ କହିଛନ୍ତି। ବାହାରୁ ଖବର ପାଇବା ପରେ ସେମାନେ ପୁଲିସ କମିସନରଙ୍କୁ ଭେଟିଛନ୍ତି। ପରିବାର ଲୋକଙ୍କ କହିବା ମୁତାବକ ଦୁଇଦିନ ତଳେ ପ୍ରାଣକୃଷ୍ଣ ଫୋନ୍ରେ କଥା ହୋଇଥିଲେ। ଆଉ ସେ ସୁସ୍ଥ ବି ଥିଲେ। ହଠାତ୍ କିଭଳି ଅସୁସ୍ଥ ହୋଇଗଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃ୍ଷ୍ଟି ହୋଇଛି। ଏନେଇ ପୁଲିସ ଜେଲ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।