ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ହତ୍ୟା ଅଭିଯୋଗ ଆଣିଲେ ପରିବାର, ସ୍ବାମୀ, ଦେଢ଼ଶୁର ଅଟକ

ମେଣ୍ଢାଶାଳ : ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଥାନା ମଳିପଡ଼ାରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ବିରାଟ ବଡ଼ଜେନାଙ୍କ ସ୍ତ୍ରୀ ମିତା(୨୪)। ସେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି ବୋଲି ବିରାଟଙ୍କ ପରିବାର ପକ୍ଷରୁ କୁହାଯାଉଥିବା ବେଳେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ମିତାଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ବିରାଟ ଓ ତାଙ୍କ ବଡ଼ଭାଇ ଲଲାଟଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ନୂଆପଲ୍ଲୀ ଥାନା ଅନ୍ତର୍ଗତ ନୀଳକଣ୍ଠନଗରବାସିନ୍ଦା ବିଜୟ କୁମାର ଜେନାଙ୍କ ଝିଅ ମିତା ୨୦୧୭ ମସିହାରେ ତ୍ରିଲୋଚନ ବଡ଼ଜେନାଙ୍କ ସାନ ପୁଅ ବିରାଟକୁ ବିବାହ କରିଥିଲେ। ୫ ବର୍ଷ ହେଲା ପ୍ରାୟ ସବୁବେଳେ ପାରିବାରିକ କଳହ ଲାଗିରହୁଥିଲା। ଏହା ଭିତରେ ମିତା ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ତଥାପି ସ୍ବାମୀ ବିରାଟ ସବୁବେଳେ ମଦ ପିଇ ମିତାକୁ ମାରଧର କରୁଥିଲା। ତେଣୁ ଏକଦା ମିତା ୩ ବର୍ଷର ଝିଅକୁ ସାଙ୍ଗରେ ଧରି ରାଗରେ ବାପଘରକୁ ଚାଲିଯାଇଥିଲେ। ଶଶୁର ତ୍ରିଲୋଚନ, ଦେଢ଼ଶୁର ଲଲାଟ ମିତାଙ୍କୁ ବହୁ ବୁଝାସୁଝା କରି ମଳିପଡ଼ା ଫେରାଇ ଆଣିଥିଲେ। କିନ୍ତୁ ବିରାଟର କୌଣସି ପରିବର୍ତ୍ତନ ହୋଇନଥିଲା। ସେପ ପୂର୍ବ ଭଳି ମଦ ପିଇ ମିତାଙ୍କୁ ମାରଧର କରିଥିଲା। ଗତକାଲି ରାତିରେ ମିତାଙ୍କ ମୃତଦେହ ଶୋଇବା ଘର ଫ୍ୟାନ୍‌ରେ ଝୁଲୁଥିବା ଦେଖି ପରିବାର ଲୋକେ ଚନ୍ଦକା ଥାନାକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର