ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ପ୍ରେମିକ ଗିରଫ

ଭୁବନେଶ୍ବର: ସନ୍ଦେହଜନକ ଅବସ୍ଥାରେ ତୃପ୍ତିମୟୀ ଚକ୍ରବର୍ତ୍ତୀ(୨୨) ନାମକ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ ଘଟଣାରେ ବଡ଼ଗଡ଼ ଥାନା ପୁଲିସ ପ୍ରେମିକକୁ ଗିରଫ କରିଛି। ସେ ହେଲା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ମନ୍ମଥ ସାହୁ(୨୫)। ମନ୍ମଥ ଏଠାରେ ଅଶୋକନଗରସ୍ଥିତ ଏକ ଘରୋଇ ସଂସ୍ଥାରେ ସେଲ୍ସ-ବୟ ଭାବେ କାମ କରନ୍ତି।

ସୂଚନା ମୁତାବକ, ୨ବର୍ଷ ହେବ ମନ୍ମଥ ଓ ତୃପ୍ତିମୟୀ ବଡ଼ଗଡ଼ ଅଞ୍ଚଳରେ ରହୁଥିଲେ। ‌କୌଣସି କାରଣକୁ ନେଇ ଗତ ଶୁକ୍ରବାର ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ମନ୍ମଥ ରାଗି ଅଖିଆ ଅଫିସ୍‌ ଚାଲି ଯାଇଥିଲେ। ଅପରାହ୍‌ଣରେ ତୃପ୍ତିମୟୀଙ୍କୁ ଫୋନ୍‌ କରିଥିଲେ। ବରମ୍ବାର ଫୋନ୍‌ କରିଥିଲେ ବି ସେ ଫୋନ୍‌ ଉଠାଇ ନଥିଲେ। ସନ୍ଦେହ ହେବାରୁ ଘରକୁ ଯାଇଥିଲେ। ଘରେ ତୃପ୍ତିମୟୀ ଫ୍ୟାନ୍‌ରେ ଝୁଲୁଥିବା ଦେଖି ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅକୁ ହତ୍ୟା କରାଯାଇଥିବା ନେଇ ବାପା ପ୍ରିୟବ୍ରତ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଆଜି ମନ୍ମଥକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର