ଖଣ୍ଡଗିରି: ଆଜି ସକାଳେ ଭରତପୁର ଥାନା ଅନ୍ତର୍ଗତ ପଣ୍ଡାକୁଦିଆ ଅଞ୍ଚଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଛି। ଯୁବକ ଜଣକ ହେଉଛନ୍ତି ଯାଜପୁରଜିଲ୍ଲା ସୁଜନପୁର ଅଞ୍ଚଳର ଶିବପ୍ରସାଦ ବାରିକ(୨୮)। ଏକ ଘରୋଇ ସଂସ୍ଥାରେ ସେଲ୍‌ସମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବାରିକ ପଣ୍ଡାକୁଦିଆ ବସ୍ତି ଅଞ୍ଚଳରେ ଏକ ଘରଭଡ଼ା ନେଇ ସପରିବାର ରହୁଥିଲେ।  ଶିବଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ମଲ୍ଲିକଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ପୁଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିବାକୁ ପରିବାର ଲୋକଙ୍କ ଉପରେ ଚାପ ପକାଉଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି। ଭରତପୁର ଥାନା ପରିସରରେ ଏ ନେଇ କିଛି ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା। ପରେ ଗଣମାଧ୍ୟମ ପ୍ରତିନିଧି ଏ ସମ୍ପର୍କରେ ପଚାରିବାରୁ ପୁଲିସ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା କହିଛି। ତେବେ ବାରମ୍ବାର ଭରତପୁର ଥାନା ବିବାଦ ଘେରକୁ ଆସୁଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ଶିବ ଗତକାଲି ବିଳମ୍ବିତ ରାତିରେ ଘରୁ କେଉଁଆଡ଼ୁ ଚାଲି ଯାଇଥିଲେ। ଆଜି ସକାଳେ ନିକଟସ୍ଥ ଏକ ବୁଦା ନିକଟରେ ତାଙ୍କର ଝୁଲନ୍ତା ମୃତଦେହ ଦେଖି ଲୋକେ ତାଙ୍କ ଘରକୁ ଖବର ଦେଇଥିଲେ। ପତ୍ନୀ ସନ୍ଧ୍ୟାରାଣୀ ସେଠାରେ ପହଞ୍ଚି ସ୍ବାମୀଙ୍କୁ ଚିହ୍ନଟ କରିବା ସହିତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ସନ୍ଧ୍ୟାରାଣୀ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଏହାକୁ ଅପମୃତ୍ୟୁ ମାମଲାର ରୂପ ଦେବାକୁ ଚେଷ୍ଟା କରୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଘର ଲୋକ ନଥିବାରୁ ପୁଲିସ ଜଲ୍‌ଦି ଏଫ୍‌ଆଇଆର୍‌ ଲେଖିବାକୁ ସନ୍ଧ୍ୟାରାଣୀଙ୍କ ଉପରେ ଚାପ ପ୍ରୟୋଗ କରିଥିଲା। ଅପମୃତ୍ୟୁ ମାମଲା ରୁଜୁ ପାଇଁ ପୁଲିସ ସନ୍ଧ୍ୟାରାଣୀଙ୍କ ଦସ୍ତଖତ ନେବାକୁ କହିବାରୁ ସନ୍ଧ୍ୟାରାଣୀ ସିଧାସଳଖ ମନା କରିଦେଇଥିଲେ। ଘରଲୋକ ଆସିଲେ ଏଫ୍‌ଆଇଆର୍‌ କରିବେ ବୋଲି ସେ କହିଥିଲେ। ତେବେ ଏତେ ସମୟ ଅପେକ୍ଷା କରିହେବନି ବୋଲି ପୁଲିସ ତାଙ୍କୁ କହିଥିଲେ। ସ୍ବାମୀଙ୍କର ମାନସିକ ରୋଗ ଥିବା ଓ ସେ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଲେଖିବାକୁ ପୁଲିସ ତାଙ୍କ ଉପରେ ଚାପ ପକାଇଥିବା ସନ୍ଧ୍ୟ‌ାରାଣୀ ଅଭିଯୋଗ କରିଛନ୍ତି।
ସନ୍ଧ୍ୟାରାଣୀଙ୍କ ଅଭିଯୋଗ ଅନୁଯାୟୀ  ତାଙ୍କ ସ୍ବାମୀଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଶିବ ବିଭିନ୍ନ ସ୍ଥାନରୁ ଧାରକରଜ କରି ଋଣ ଭାରରେ ବୁଡ଼ି ରହିଥିଲେ। ସେ କିଛି ଦିନ ହେବ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ। ଟଙ୍କା ଧାର ଦେଇଥିବା ବ୍ୟକ୍ତିମାନେ ଶିବଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶିବଙ୍କର ଦୁଇଟି ପୁଅ ଥିବା ଜଣାପଡ଼ିଛି।