ଧଉଳି: ୫ ବର୍ଷର ପ୍ରେମ ସମ୍ପର୍କ। ସେଥିରେ ପୁଣି ୩ ବର୍ଷରୁ ଅଧିକ ସମୟ ବିତିଥିଲା ଲିଭ୍-ଇନ୍ରେ। କିନ୍ତୁ ଶେଷରେ ସନ୍ଦେହର ବିଷ ବିଗାଡ଼ିଦେଲା ସବୁ ମଧୁର ସମ୍ପର୍କ। ପ୍ରେମିକାଙ୍କ ଘରେ ପ୍ରେମିକାଙ୍କ ଓଢ଼ଣିକୁ ବେକରେ ବାନ୍ଧି ଫ୍ୟାନ୍ରେ ଝୁଲିପଡ଼ିଲେ ପ୍ରେମିକ। ଗତକାଲି ରାତିରେ ଧଉଳି ଲିଙ୍ଗିପୁର ପଞ୍ଚାୟତସ୍ଥିତ ଇନ୍ଦିରା କଲୋନିରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ହେଲେ ପୁରୀ ନିମାପଡ଼ା ଥାନା ଲମ୍ବିଲୋ ଗାଁର ପପୁନି ସ୍ବାଇଁ(୩୦)। ଆଜି ସକାଳେ ଧଉଳି ଥାନା ପୁଲିସ ପପୁନିଙ୍କ ଝୁଲନ୍ତା ମୃତଦେହକୁ ଜବତ କରିବା ସହ କ୍ୟାପିଟାଲ୍ ହସ୍ପିଟାଲ୍ରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। କିନ୍ତୁ ପ୍ରେମିକାଙ୍କ ପରିବାର ଲୋକେ ପପୁନିଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଛନ୍ତି ବୋଲି ସାନ ଭାଇ ଦିପୁନି ଧଉଳି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଧିକ ତଦନ୍ତ ଚଳାଇଛି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବାକୁ ଅପେକ୍ଷା କରିଥିବା ସୂଚନା ଦେଇଛି।
ଇନ୍ଦିରା କଲୋନିରେ ରହୁଥିବା ଖୋର୍ଦ୍ଧା ହଳଦିଆ ଅଞ୍ଚଳର ମାମୁନି (ଛଦ୍ମନାମ)ଙ୍କ ସହ ପପୁନିଙ୍କର ପ୍ରେମ ସମ୍ପର୍କ ଥିଲା। ୨୦୧୭ ମସିହାରୁ ସେମାନେ ପରସ୍ପରକୁ ଭଲପାଉଥିଲେ ଏବଂ ସେମାନଙ୍କର ବାହାଘର ପାଇଁ ଦୁଇ ପରିବାରର ସହମତି ଥିଲା। କିନ୍ତୁ ପପୁନିଙ୍କ ବଡ଼ ଭଉଣୀର ବାହାଘର ପାଇଁ ଦିନ ଗଡ଼ାଇଦିଆଯାଇଥିଲା। ଭୁବନେଶ୍ବରରେ ପାଇପ୍ ମିସ୍ତ୍ରି କାମ କରୁଥିବା ପପୁନି ପ୍ରାୟ ୩ ବର୍ଷ ହେଲା ମାମୁନିଙ୍କ ଘରକୁ ଯା’ଆସ କରୁଥିଲେ ଏବଂ ମଝିରେ ମଝିରେ ରହିଯାଉଥିଲେ। ତେଣୁ ସେମାନେ ଏକପ୍ରକାର ଲିଭ୍-ଇନ୍ରେ ରହୁଥିଲେ। ସବୁ କିଛି ଭଲରେ ଚାଲିଥିଲା। କିନ୍ତୁ ଏହା ଭିତରେ ମାମୁନି ଏକ ସହଜ ସେବାକେନ୍ଦ୍ରରେ ଚାକିରି କରିଥିଲେ। ଏଇଠୁ ଆରମ୍ଭ ହେଲା ଝଡ଼। ମାମୁନିଙ୍କ ଫୋନ୍କୁ ବାରମ୍ବାର କଲ୍ ଆସୁଥିବାରୁ ପପୁନି ସନ୍ଦେହ କରିଥିଲେ। ଏହାକୁ ନେଇ ସେମାନଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଏହାପରଠୁ ପପୁନି ମଦ ପିଇ ମାମୁନିଙ୍କ ଘରକୁ ଆସୁଥିଲେ। ଫଳରେ ମନାନ୍ତର ବଢ଼ିବଢ଼ି ଚାଲିଥିଲା। ପୁଲିସକୁ ମାମୁନି ଦେଇଥିବା ବୟାନ ଅନୁସାରେ ପୂର୍ବରୁ ପପୁନି ଦୁଇ ଦୁଇ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ମାମୁନିଙ୍କ ପରିବାର ଲୋକେ ତାଙ୍କୁ ବଞ୍ଚାଇଦେଇଥିଲେ। ଗତକାଲି ଅପରାହ୍ଣ ପ୍ରାୟ ୧ଟା ବେଳେ ପପୁନି ମଦ ପିଇ ଘରକୁ ଆସିଥିଲେ।
ନିଶାସକ୍ତ ଅବସ୍ଥାରେ ସେ ମାମୁନିଙ୍କୁ ଗାଳିମନ୍ଦ କରିବାରୁ ପୁଣି ଝଗଡ଼ା ହୋଇଥିଲା। ଏହାପରେ ପପୁନି ଶୋଇବା ଘରକୁ ଚାଲିଯାଇଥିଲେ ଏବଂ ମାମୁନି ରୋଷେଇ ଘରକୁ ଯାଇଥିଲେ। କିଛି ସମୟ ପରେ ଅର୍ଥାତ୍ ପ୍ରାୟ ସାଢ଼େ ୨ଟା ପରେ ମାମୁନି, ପପୁନିଙ୍କୁ ଖାଇବା ଲାଗି ଡାକିବାକୁ ଯାଇଥିଲେ। କିନ୍ତୁ ସେ ଶୋଇବା ଘରକୁ ଯିବା ବେଳକୁ ପପୁନିଙ୍କ ମୃତଦେହ ଫ୍ୟାନ୍ରେ ଝୁଲୁଥିବା ଦେଖିଥିଲେ। ଏହା ଦେଖି ମାମୁନି ଓ ତାଙ୍କ ପରିବାର ଲୋକମାନେ ହଡ଼ବଡ଼େଇ ଯାଇଥିଲେ। ଏଭଳି ଏକ ଅପ୍ରତ୍ୟାଶିତ ଘଟଣାକୁ ନେଇ ସେମାନେ ଭୟଭୀତ ହୋଇପଡ଼ିଥିଲେ। ତେଣୁ କ’ଣ କରିବେ ବୋଲି ହଠାତ୍ ସ୍ଥିର କରିନପାରି ସନ୍ଧ୍ୟା ବେଳକୁ ସେମାନେ ପପୁନିଙ୍କ ସାନ ଭାଇ ଦିପୁନି ଏବଂ ଧଉଳି ଥାନାକୁ ଫୋନ୍ କରି ଜଣାଇଥିଲେ। ଦିପୁନିଙ୍କ କହିବା କଥା ସକାଳେ ବଡ଼ ଭାଇ ପପୁନି ତାଙ୍କ ସହ କଥା ହୋଇଥିଲେ ଏବଂ ମାମୁନିଙ୍କ ଘରେ ଇନ୍ଦିରା କଲୋନିରେ ଥିବା କହିଥିଲେ। କିନ୍ତୁ କୌଣସି ଝଗଡ଼ା କଥା କହିନଥିଲେ। ଅପରାହ୍ଣ ୨ଟାରୁ ଅଘଟଣ ଘଟିଥିଲେ ବି ମାମୁନିଙ୍କ ପରିବାର ଲୋକେ ରାତି ପର୍ଯ୍ୟନ୍ତ କ’ଣ କରୁଥିଲେ, ଏହାକୁ ନେଇ ସନ୍ଦେହ ରହିଛି। ସେମାନେ ମୃତଦେହକୁ ଲୁଚାଇବାରେ ବିଫଳ ହେବାରୁ ବାଧ୍ୟହୋଇ ଜଣାଇଛନ୍ତି।