ନଭେମ୍ବର ୧୧ରେ ରାଜଧାନୀରେ ପହଞ୍ଚିବ ‘ସୁସ୍ଥ ଭାରତ ଯାତ୍ରା’

ବଜାରକୁ ଆସିବ ଲୌହ ମିଶା ଲୁଣ

ଭୁବନେଶ୍ବର : ଆସନ୍ତା ମାସ ୧୧ତାରିଖରେ ରାଜଧାନୀରେ ପହଞ୍ଚିବ ‘ସୁସ୍ଥ ଭାରତ ଯାତ୍ରା’। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅ‌ାୟୋଜିତ ଏହି ଯାତ୍ରାରେ ଲୋକମାନେ ସୁଷମ ଖାଦ୍ୟ ଖାଇବାଠାରୁ ଆରମ୍ଭ କରି ଲୁଣରେ ଲୌହ ବା ଆଇରନ୍ ମିଶାଯିବାକୁ ନେଇ ଲୋକମାନଙ୍କୁ ସଚେତନ କରାଯିବ। ଏହି ଯାତ୍ରା ରାଜଧାନୀ ସମେତ କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବୌଦ୍ଧ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, ବଲାଙ୍ଗୀର ଓ ବରଗଡ଼କୁ ଯାତ୍ରା କରିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଲୋକଙ୍କ ଦେହରେ ଆୟୋଡିନ୍ କମିବାକୁ ନେଇ ଆୟୋଡିନଯୁକ୍ତ ଲୁଣ ବଜାରକୁ ଆସିଥିଲା। ଯାହାଫଳରେ ଆୟୋଡିନର ଅଭାବ ଯୋଗୁଁ ଦେଖା ଯାଉଥିବା ରୋଗ ନିୟନ୍ତ୍ରଣକୁ ଆସିପାରିଛି। ତେବେ ଏବେ ବି ରାଜ୍ୟ ତଥା ଦେଶର ଅନେକ ଲୋକ ଲୌହର ଅଭାବର ଶିକାର ହେଉଥିବା ଦେଖାଯାଉଛି। ୬୦ଭାଗ ମହିଳା ରକ୍ତହୀନତାର ଶିକାର ହେଉଥିବା ବେଳେ ୩୦/୫୦ଭାଗ ପୁରୁଷ ଓ ୬୦ଭାଗ ଛାତ୍ରଛାତ୍ରୀ ଏହାର ଶିକାର ହେଉଥିବା ଜଣାପଡ଼ିଛି। ଲୌହ ଅଭାବ ଯୋଗୁଁ ଲୋକମାନେ ରକ୍ତହୀନତାର ଶିକାର ହୋଇଥାନ୍ତି। ଯାହାଫଳରେ କମ୍ ପରିଶ୍ରମରେ ହାଲିଆ ହୋଇଯିବା, ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖା ଦେଇଥାଏ। ତେଣୁ ରକ୍ତହୀନତାକୁ କିଭଳି ଦୂର କରାଯାଇପାରିବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଲୁଣରେ ଲୌହକୁ ମିଶାଇ ବିକ୍ରି କରିବା ପାଇଁ ଯୋଜନା ହୋଇଛି। ତେବେ ଲୁଣରେ ଲୌହ ମିଶିବା ଫଳରେ ଏହା କଳା ରଂଗର ହୋଇଯାଉଥିବାରୁ ଲୋକମାନେ ଏହାକୁ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ତେଣୁ ଲୋକମାନଙ୍କୁ ଏ ଦିଗରେ ସଚେତନ କରିବା ପାଇଁ କେନ୍ଦ୍ର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଆଇ ପକ୍ଷରୁ ଏହି ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ଦେଶବ୍ୟାପୀ ଲୋକଙ୍କୁ ସଚେତନ କରାଇବା ପାଇଁ ‘ସୁସ୍ଥ ଭାରତ ଅଭିଯାନ’ କାର୍ଯକ୍ରମ ଆରମ୍ଭ ହୋଇଛି।

ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚଳିତମାସ ୩୦ତାରିଖରେ ଏହି ଅଭିଯାନ ବାରିପଦାରେ ପହଞ୍ଚିବ। ପରେ ବିଭିନ୍ନ ଜିଲ୍ଲା ପରିଦର୍ଶନ କରି ରାଜଧାନୀରେ ୧୧ତାରିଖରେ ପହଞ୍ଚିବ। ରାଜଧାନୀରେ ଏକ ସଚେତନତା କାର୍ଯ୍ୟକ୍ରମର ଆ‌େୟାଜନ କରାଯାଇଛି। କେଉଁଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ‘ସୁସ୍ଥ ଭାରତ ଯାତ୍ରା’ରେ ୨୫ଜଣ କର୍ମକର୍ତାଙ୍କ ସହିତ ୨୫ଜଣ ସାଇକେଲ ଆରୋହୀ ରହିଛନ୍ତି। କର୍ମକର୍ତାଙ୍କୁ ଏଠାରେ ସାଇକେଲ ଯୋଗାଇ ଦିଆଯିବ। ସାଇକେଲରେ ସେମାନେ ରାଜଧାନୀରେ ପରିଭ୍ରମଣ କରିବେ। ଲୁଣରେ ଲୌହ ମିଶାଇବା ସଚେତନତା ସହିତ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟକୁ ନେଇ ମଧ୍ୟ ଲୋକମାନଙ୍କୁ ସଚେତନ କରାଯିବ। ରାଜଧାନୀରେ ଥିବା ତାରକା ହୋଟେଲଗୁଡ଼ିକରେ କେଉଁ ପରିସ୍ଥିତିରେ ଖାଦ୍ୟ ବିକ୍ରି ହେଉଛି ତାହାର ମଧ୍ୟ ଯାଞ୍ଚ କରାଯିବ। ଖାଦ୍ୟରେ କେଉଁ ପ୍ରକାର ରଂଗ ମିଶାଯାଉଛି ଏହି ଅଭିଯାନ ସମୟରେ ତାହାର ମଧ୍ୟ ଯାଞ୍ଚ କରାଯିବ। ୨୭ତାରିଖରେ ଏହି ଅଭିଯାନ ଓଡ଼ିଶା ଛାଡ଼ିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର