ସ୍ବଚ୍ଛ ଭାରତ ଅଭିଯାନ ଏଠି ପ୍ରହସନ : ବିଡିଏ ଓ ବିଏମ୍‌ସିରେ ଦିଶୁଛି ଜଳଜଳ

ଭୁବନେଶ୍ବର: ସ୍ବଚ୍ଛ ଭାରତ ଅଭିଯାନ ସାରା ଦେଶରେ କେତେ ସଫଳ ହୋଇଛି, ତାହାକୁ ନେଇ ଆଲୋଚନା ଚାଲିଥିବା ବେଳେ ଏହା ଭୁବନେଶ୍ବରରେ କେତେ ସଫଳ ହୋଇଛିି, ତାହା ବିଡିଏ ଓ ବିଏମ୍‌ସି ବୁଲି ଆସିଲେ ଜଣାପଡ଼ୁଛି। ଯେଉଁ ବିଏମ୍‌ସି ପୂରା ରାଜଧାନୀର ପରିମଳ ବ୍ୟବସ୍ଥା ସମ୍ଭାଳୁଛି, ତା’ର ଅବସ୍ଥା ଯେ ସାଂଘାତିକ ତାହା ବିଏମ୍‌ସି ଅଫିସରେ ପଶିଗଲେ ଜଣାପଡ଼ୁଛି। ଯେଉଁଠି କର୍ମଚାରୀମାନେ ବ୍ୟବହାର କରୁଥିବା ଶୌଚାଳୟକୁ ଜଣେ ସାଧାରଣ ଲୋକ ବ୍ୟବହାର କରିବା ପୂର୍ବରୁ ୧୦୦ଥର ଭାବିବ ସେମାନେ ଯେ ଭୁବନେଶ୍ବରକୁ ସ୍ବଚ୍ଛ କରିଦେବେ ସେ ଗ୍ୟାରେଣ୍ଟି କେହି ଦେଇପାରିବେନି। ବିଏମ୍‌ସି ଓ ବିଡିଏର ମୁଖିଆ ଜଣେ। ତେଣୁ ବିଡିଏର ଆଗପଟ ବି ବିଏମ୍‌ସି ଭଳି ଚକାଚକ୍। କିନ୍ତୁ ଯେତେ ଶିଡ଼ି ଚଢ଼ିବ ସେତେ ଅଳିଆ ଦେଖିବ। କାନ୍ଥରେ ପାନଛେପ ଥୁକା ହେଉଥିବା ବେଳେ ଝରକା ଯଦି ଖୋଲି ଦେବ ତେବେ ତଳେ ଗଦା ହୋଇଥିବା ଆବର୍ଜନାରୁ ମାଛି ଭଣଭଣ ହୋଇ ମୁହଁକୁ ମାଡ଼ି ବସିବେ। ଏଠାରେ ବି ‌ଶୌଚାଳୟ ଅବସ୍ଥା ଦୟନୀୟ।

କେବଳ ବିଏମ୍‌ସି କି ବିଡିଏ ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିବାରୁ ଏବିଭିପି ବି ଏହାର ଧୁମ୍ ପ୍ରଚାର କରିଥିଲା। ନିୟମିତ ବ୍ୟବଧାନରେ ବିଭିନ୍ନ ସ୍ଥାନରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ କରିଥିଲା। କିନ୍ତୁ ଏବେ ନିଜ କାର୍ଯ୍ୟାଳୟ ସମ୍ମୁଖରେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଥିଲେ ବି ଏହା ସଫା ହୋଇପାରୁନି।

ସମ୍ବନ୍ଧିତ ଖବର