ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଭିତ୍ତିକ କାର୍ଯ୍ୟକ୍ରମ ‘ସ୍ୱଚ୍ଛତା ପକ୍ଷ’ ଆଜି ଆରମ୍ଭ ହୋଇଛି। ୧୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ପୂର୍ବତଟ ରେଳପଥ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ଆଜି ଭୋର୍ରୁ ରେଳବାଇ କର୍ମଚାରୀ ଓ ଅଧିକାରୀମାନେ ରେଲ୍ବିହାର କଲୋନି ପରିକ୍ରମା କରି ‘ସ୍ୱଚ୍ଛ ରେଳ-ସ୍ୱଚ୍ଛ ଭାରତ’ ଇତ୍ୟାଦି ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ। ଏହା ପରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂହ ଆଜି ରେଲ୍ବିହାର କମ୍ୟୁନିଟି ହଲ୍ରେ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱଚ୍ଛତା ଉପରେ ଶପଥ ପାଠ କରାଇଥିଲେ। ପରିଷ୍କାର ପରିଚ୍ଛନ୍ନତା ମନରେ ପବିତ୍ରତା ଆଣିବା ସହ ଏହା ବିଭିନ୍ନ ରୋଗରୁ ବଞ୍ଚାଇଥାଏ ଏବଂ ଦେଶର ସୌନ୍ଦର୍ଯ୍ୟ ବର୍ଦ୍ଧନ କରିଥାଏ ବୋଲି ଶ୍ରୀ ସିଂହ ମତ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ରେଳ ଷ୍ଟେସନରେ ବୃକ୍ଷରୋପଣ କରାଯାଇଥିଲା। ଏହି ଅବସରରେ ରେଲ୍ବିହାରଠାରେ କାର୍ମିକ ବିଭାଗର କର୍ମଚାରୀଙ୍କ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା’ ଶୀର୍ଷକ ପଥପ୍ରାନ୍ତ ନାଟକ ଏବଂ ଭୁବନେଶ୍ୱର ରେଳ ଷ୍ଟେସନଠାରେ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ପରେ ଶ୍ରୀ ସିଂହ ପୂର୍ବତଟ ରେଳପଥ ମୁଖ୍ୟାଳୟର ସମସ୍ତ ବିଭାଗୀୟ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ନିରୀକ୍ଷଣ କରିଥିଲେ। ଏହି ଅବସରରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ବ୍ରଜମୋହନ ଅଗ୍ରୱାଲ୍ଙ୍କ ସହ ସମସ୍ତ ବରିଷ୍ଠ ମଣ୍ଡଳ ଅଧିକାରୀ, ବହୁ ବେସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଅଂଶଗ୍ରହଣ କରି ଷ୍ଟେସନରେ ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି କରିଥିଲେ।
ପରିଷ୍କାର ପରିଚ୍ଛନ୍ନତା ମନରେ ପବିତ୍ରତା ସୃଷ୍ଟି କରେ
ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ