ଭୁବନେଶ୍ବର: ରାସ୍ତା ଉପରେ ଗଦା ହୋଇଛି କୁଢ଼ କୁଢ଼ ଆବର୍ଜନା। ଦୁର୍ଗନ୍ଧରେ ନାକ ଫାଟୁଛି। ଦିନଦିନ ବିତି ଯାଇଥିଲେ ହେଁ ଆବର୍ଜନା ଉଠାଯାଉନାହିଁ। ଅସ୍ବାସ୍ଥ୍ୟକର ପରିବେଶରେ ଅଣନିସ୍ବାସୀ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ସଫେଇ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ପାଇଁ ଲକ୍ଷ୍ମୀସାଗର-ଝାରପଡ଼ା ଅଞ୍ଚଳରୁ ଏଭଳି କିଛି ଅଭିଯୋଗ ସାମ୍ନାକୁ ଆସୁଛି।
୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗରାଜ ପଏଣ୍ଟଠାରୁ ଝାରପଡ଼ା ଜେଲ୍ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଆବର୍ଜନା ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ବୌରାଗୀ ଭିଲ୍ଲା ସମ୍ମୁଖ, ମହାଦେବ ନଗର, ସାରଳା ନଗର, ଆଶୀର୍ବାଦ ବିହାର, ଡାଳଖାଇ ଛକ ଭଳି ଅନେକ ସ୍ଥାନରେ ଆବର୍ଜନା ଗଦା ହୋଇଛି। ନିକଟରେ ଥିବା ସ୍ଥାନୀୟ ବାସିନ୍ଦା ଦୁର୍ଗନ୍ଧରେ ତ୍ରାହି ତ୍ରାହି ଡାକୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ସପ୍ତାହରେ ପ୍ରତିଦିନ ଝାଡ଼ୁ ଦେବା ପାଇଁ ବିଏମ୍ସି କର୍ମଚାରୀ ଆସୁଛନ୍ତି।
ଅସ୍ବାସ୍ଥ୍ୟକର ପରିବେଶରେ ତ୍ରାହି ତ୍ରହି ଡାକୁଛନ୍ତି ଲୋକ
କାହା ସ୍ବାର୍ଥରେ ସପ୍ତାହକୁ ଥରେ ଉଠୁଛି ଆବର୍ଜନା?
କିନ୍ତୁ ଘରକୁ ଘର ଆବର୍ଜନା ସଂଗ୍ରହ କରିବା ପାଇଁ କେହି ଆସୁନାହାନ୍ତି। ଫଳରେ ଲୋକମାନେ ଖୋଲା ସ୍ଥାନରେ ଅଳିଆ ପକାଉଛନ୍ତି। ବିଏମ୍ସି ପକ୍ଷରୁ ପ୍ରତିଦିନ ଆବର୍ଜନା ନେବା କଥା। କିନ୍ତୁ ସପ୍ତାହକୁ ମାତ୍ର ଥରଟିଏ, କେବେ କେବେ ଦଶ ଦିନକୁ ଥରେ ଆବର୍ଜନା ଉଠାଯାଇଛି। ଫଳରେ ଆବର୍ଜନା ପଚି ଯାଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଅପରିଷ୍କାର ସ୍ଥାନରେ ବ୍ଲିଚିଂ ମୁଠାଏ ବି ପକାଯାଉନାହିଁ। ଏନେଇ ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉନଥିବା ନେଇ କିଛି ସ୍ଥାନୀୟ ବାସିନ୍ଦା କହିଛନ୍ତି। ପୂର୍ବରୁ ଜନପ୍ରତିନିଧି ନଥିବା ବେଳେ ଅଧିକାରୀମାନଙ୍କ ମନମୁଖୀ ଯେମିତି ଚାଲିଥିଲା ପୌରନିର୍ବାଚନ ପରେ ମଧ୍ୟ ସେମିତି ଚାଲିଥିବା ନେଇ କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏନେଇ ବିଏମ୍ସି ଜୋନାଲ୍ ଡେପୁଟି କମିସନର୍ ପୁରନ୍ଦର ନନ୍ଦ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏସମ୍ପର୍କରେ ପୂର୍ବରୁ ଆମ ପାଖରେ ଖବର ନଥିଲା। ଏଥିପ୍ରତି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/56.jpg)