ଶ୍ରଦ୍ଧାଞ୍ଜଳି ଓ ଜସ୍ମିନ୍‌ ସାଜିଛନ୍ତି ସ୍ୱଚ୍ଛ ଦୂତ

ଭୁବନେଶ୍ୱର : ରାଜଧାନୀ କଲେଜରେ ଯୁକ୍ତ୨ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଶ୍ରଦ୍ଧାଞ୍ଜଳି ପଣ୍ଡା ପାଲଟିଛନ୍ତି ସ୍ୱଚ୍ଛ ଦୂତ। ନିଜ ଚାରିପାଖ ପରିବେଶକୁ ସଫା ସୁତୁରା ରଖିବା ସହ ଅନ୍ୟମାନେ କିଭଳି ସେମାନଙ୍କ ଚତୁଃପାର୍ଶ୍ୱକୁ ସ୍ୱଚ୍ଛ ରଖିବେ ସେନେଇ ବାର୍ତ୍ତା ବାଣ୍ଟୁଛନ୍ତି। ବସ୍ତିକୁ ବସ୍ତି ଯାଇ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି।

ଶ୍ରଦ୍ଧାଞ୍ଜଳିଙ୍କ ବାପା ବ୍ୟବସାୟ କରୁଥିବା ବେଳେ ମା’ ଗୃହିଣୀ। ଏହାରି ଭିତରେ ଆଖିରେ ଆଖିଏ ସ୍ୱପ୍ନ ନେଇ ଘରୁ ପଦାକୁ ଗୋଡ଼ କାଢ଼ିଛନ୍ତି ସେ। ପାଠପଢ଼ା ସାଙ୍ଗକୁ ରାଜଧାନୀକୁ ସ୍ୱଚ୍ଛ ରଖିବା ଲାଗି ‘ହମାରା ବଚପନ’ର ସ୍ୱଚ୍ଛ ଦୂତ ସାଜିଛନ୍ତି ଶ୍ରଦ୍ଧାଞ୍ଜଳି । ଆଗାମୀ ଦିନରେ ସେ ସମାଜ ସେବାରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବସ୍ତିବାସିନ୍ଦାଙ୍କ ସମସ୍ୟାକୁ କେହି ଶୁଣନ୍ତି ନାହିଁ। ଏହାକୁ ଲୋକଲୋଚନକୁ ଆଣିବା ସହ ତାହାର ସମାଧାନ କରିବା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ। କିନ୍ତୁ ସଚେତନତା ଅଭାବରୁ ତାହା ଫଳପ୍ରଦ ହୋଇପାରୁନି। ଗତ ଦୁଇ ମାସ ମଧ୍ୟରେ ସ୍ୱଚ୍ଛ ଦୂତ ଭାବେ ରାଜଧାନୀର ବିଭିନ୍ନ ବସ୍ତିକୁ ବୁଲି ଲୋକଙ୍କୁ ସଚେତନ କରୁଛି। ବସ୍ତିକୁ ବିଦ୍ୟୁତ ସଂଯୋଗ, ଶୌଚାଳୟ ନିର୍ମାଣ ଓ ତାହାର ବ୍ୟବହାର ସମ୍ପର୍କରେ ଲୋକଙ୍କୁ ବୁଝାଉଛି। ସକାଳେ କଲେଜ ଯାଇ କ୍ଲାସ କରୁଛି। ଅପରାହ୍ଣରେ ସ୍ୱଚ୍ଛ ଭୁବନେଶ୍ୱରର ବାର୍ତ୍ତା ନେଇ ବସ୍ତିବାସିନ୍ଦାଙ୍କ ନିକଟରେ ପହଞ୍ଚୁଛି। ଓୟୁଏଟି ଫାର୍ମ କଲୋନିରେ ରହୁଥିଲେ ମଧ୍ୟ କେବେ ବି ନିଜକୁ ଦୁର୍ବଳ ମନେ କରିନି। ଅନ୍ୟମାନଙ୍କ ପରି ଆଗକୁ ବଢ଼ି କିଛି କରିବାକୁ ଲକ୍ଷ୍ୟ ରଖିଛି।

ଅନ୍ୟ ଜଣେ ସ୍ୱଚ୍ଛ ଦୂତ ହେଉଛନ୍ତି ମଇଁଷାଖାଲ ବସ୍ତିର ଜସ୍ମିନ୍‌ ପ୍ରିୟଦର୍ଶିନୀ। ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୯ମ ଶ୍ରେଣୀରେ ପଢ଼ୁଥିବା ଜସ୍ମିନ୍‌ ଏବେଠାରୁ ବସ୍ତିବାସିନ୍ଦାଙ୍କ ଲାଗି କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ, ରାଜଧାନୀ ପରିବେଶ ଦିନକୁ ଦିନ ପ୍ରଦୂଷଣ ହେବାରେ ଲାଗିଛି। ସ୍ୱଚ୍ଛତା ଏଠାରେ ବାଟବଣା ହୋଇଛି। ବସ୍ତି ଅଞ୍ଚଳ ପ୍ର୍ରତି କେହି ବି ଗୁରୁତ୍ୱ ଦେଉନାହାନ୍ତି। ଅନେକ ସମସ୍ୟା ରହିଥିଲେ ମଧ୍ୟ ତାହାର ସମାଧାନ କରାଯାଉ ନାହିଁ। ଆମେ କିଭଳି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ୟାଗୁଡ଼ିକର ସମାଧାନ କରିବା ସେଥିପାଇଁ ସଚେତନ କରାଉଛୁ। ସ୍ୱଚ୍ଛ ବାର୍ତା ବାଣ୍ଟିବା ପାଠପଢ଼ାରେ କେବେ ବି ବାଧା ସୃଷ୍ଟି କରିନି ବୋଲି ସେ କହିଛନ୍ତି।

୨୦୧୨ରୁ ‘ହମାରା ବଚପନ୍‌’ ପକ୍ଷରୁ ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଓ ସୁରକ୍ଷିତ ପରିବେଶ’ ଏପର୍ଯ୍ୟନ୍ତ ୧୧ଟି ରାଜ୍ୟର ୧୫ଟି ସହରର ୫୪୮ଟି ବସ୍ତି ଅଞ୍ଚଳରେ କାର୍ଯ୍ୟ କରି ଏକ ଲକ୍ଷ ୩୫ ହଜାର ଶିଶୁ, ୬୭,୫୬୭ ମହିଳା ଏବଂ ୨୫,୮୨୯ ଯୁବକଙ୍କ ପାଖରେ ପହଞ୍ଚିପାରିଛି। ଓଡ଼ିଶାର ଭୁବନେଶ୍ୱର ସମେତ ପୁରୀ, କଟକ, ସମ୍ବଲପୁରରେ ଏହି କାର୍ଯ୍ୟ ଚାଲିଛି। ଏଥିରେ ଶ୍ରଦ୍ଧାଞ୍ଜଳି ଓ ଜସ୍ମିନ୍‌ ଭଳି ପିଲାମାନେ ସାମିଲ ହୋଇ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ବାର୍ତ ବାଣ୍ଟୁଛନ୍ତି।

ସମ୍ବନ୍ଧିତ ଖବର