ମେଣ୍ଢାଶାଳରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ମେଣ୍ଢାଶାଳ: ଭୁବନେଶ୍ବର ବ୍ଲକ୍‌ରେ ମେଣ୍ଢାଶାଳ ଏକ ଅଗ୍ରଣୀ ପଞ୍ଚାୟତ ଭାବେ ଜଣାଶୁଣା। ଏଣିକି ଏଠାରେ ସହର ଢାଞ୍ଚାରେ ପରିମଳ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପଞ୍ଚାୟତର ସବୁ ଗାଁକୁ ଯିବ ଅଳିଆବୁହା ଗାଡ଼ି। ଓଦା ଓ ଶୁଖିଲା ଅଲଗା ଅଲଗା ଭାବେ ଅଳିଆ ଆବର୍ଜନା ସଂଗ୍ରହ କରାଯିବ। ଏଥିପାଇଁ ଅଳିଆବୁହା ଟ୍ରଲି ଆସିଛି ଓ ଖୁବ୍‌ ଶୀଘ୍ର ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ମେଣ୍ଢାଶାଳ ପଞ୍ଚାୟତକୁ ସ୍ବଚ୍ଛତାରେ ଏକ ନମ୍ବର କରିବାକୁ ସବୁ ଉଦ୍ୟମ କରାଯିବ। ଆଜି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭୁବନେଶ୍ୱର(ଆଇଗଣିଆ)ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଆନୁକୂଲ୍ୟରେ ହୋଇଥିବା ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅବସରରେ ବକ୍ତାମାନେ ଏଭଳି କହିଛନ୍ତି।

ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମେଣ୍ଢାଶାଳ ସରପଞ୍ଚ କୌଶଲ୍ୟା ବଳିୟାରସିଂହ, ମୁଖ୍ୟବକ୍ତା ଭାବେ ମେଣ୍ଢାଶାଳ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର ପ୍ରଧାନ, ସମିତି ସଭ୍ୟ ସରୋଜ କୁମାର ବେହେରା, ନାଏବ ସରପଞ୍ଚ ରମେଶ ଚନ୍ଦ୍ର ବେହେରା ଏବଂ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା ଯୋଗ ଦେଇଥିଲେ। ସେହିଭଳି ଉଦ୍ୟାନ ବିଭାଗର ଅଧିକାରୀ ସୁଚିତ୍ରା ବେହେରା, ଭିଭି କୌଣ୍ଡନ୍ୟା, ବିଶ୍ୱନାଥ ପାଇକରାୟ ଓ ଗୋବିନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ରୀୟ ଉଦ୍ୟାନ ବିଭାଗର ପ୍ରତିନିଧିମଣ୍ଡଳୀ, କାର୍ଯ୍ୟକ୍ରମର ଅତିଥିବୃନ୍ଦ ଓ ମେଣ୍ଢାଶାଳ ପଞ୍ଚାୟତର ବହୁ ଯୁବକ ଏକତ୍ରିତ ହୋଇ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସ୍ବଚ୍ଛତାର ବାର୍ତ୍ତା ଦେଇଥିଲେ। ଶେଷରେ ଅତିଥିମାନେ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ।

ସମ୍ବନ୍ଧିତ ଖବର