ଭୁବନେଶ୍ୱର: ସାରା ଦେଶର ୨୦୨୪-୨୫ ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟ ଆଜି ପ୍ରକାଶ ପାଇଛି। ସ୍ବଚ୍ଛତା କ୍ଷେତ୍ରରେ ଦେଶର ୧୦ ଶ୍ରେଷ୍ଠ ସହର ଭିତରେ ଭୁବନେଶ୍ବର ରହିଛି। ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟରେ ଜାତୀୟ ରୢାଙ୍କିଙ୍ଗ୍ରେ ୩ଲକ୍ଷରୁ ୧୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଭିତରେ ଭୁବନେଶ୍ବର ମହାନଗର ନିଗମ ନବମ ସ୍ଥାନରେ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ବର ମହାନଗର ନିଗମକୁ ଏହି ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି। ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ମେୟର ସୁଲୋଚନା ଦାସ, କମିସନର୍ ରାଜେଶ ପ୍ରଭାକର ପାଟିଲ୍ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ ଅତିରିକ୍ତ କମିସନର୍ ଶୁଭେନ୍ଦୁ କୁମାର ସାହୁ, ଅତିରିକ୍ତ କମିସନର୍ ଏନ୍. ଗଣେଶ ବାବୁ, କର୍ପୋରେଟର୍ ଭାରତୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ଜାତୀୟ ରୢାଙ୍କିଙ୍ଗ୍ରେ ନବମ, ରାଜ୍ୟରେ ଦ୍ବିତୀୟ
ଆବାସିକ ଓ ବଜାର ଅଞ୍ଚଳ ସଫେଇରେ ଶତ ପ୍ରତିଶତ ମାର୍କ
ସବୁ ଶ୍ରେୟ ଭୁବନେଶ୍ବରବାସୀ ଓ ସଫେଇ କର୍ମଚାରୀଙ୍କର: ମେୟର
୨୦୨୩-୨୪ ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟରେ ସ୍ବଚ୍ଛତା କ୍ଷେତ୍ରରେ ଭୁବନେଶ୍ବର ମହାନଗର ନିଗମ ଜାତୀୟ ରୢାଙ୍କିଙ୍ଗ୍ରେ ୩୪ତମ ସ୍ଥାନରେ ରହିଥିଲା। ରାଜ୍ୟ ରୢାଙ୍କିଙ୍ଗ୍ରେ ପ୍ରଥମ ସ୍ଥାନରେ ରହିଥିଲା। କିନ୍ତୁ ଜାତୀୟ ରୢାଙ୍କିଙ୍ଗ୍ରେ ୯ମ ସ୍ଥାନରେ ରହିଥିଲେ ବି ରାଜ୍ୟ ରୢାଙ୍କିଙ୍ଗ୍ରେ ଦ୍ବିତୀୟ ସ୍ଥାନରେ ରହିଛି। ସମୁଦାୟ ୧୨ହଜାର ୫୦୦ ମାର୍କରୁ ଭୁବନେଶ୍ବର ମହାନଗର ନିଗମକୁ ୧୦ହଜାର ୫୪୮ ମାର୍କ ମିଳିଛି।
ସ୍ବଚ୍ଛତାକୁ ନେଇ ହୋଇଥିବା ବିଭିନ୍ନ ମାନଦଣ୍ଡରୁ ଆବାସିକ ଓ ବଜାର ଅଞ୍ଚଳ ସଫେଇରେ ଭୁବନେଶ୍ବର ମହାନଗର ନିଗମକୁ ଶତପ୍ରତିଶତ ମାର୍କ ମିଳିଛି। ଗତବର୍ଷ ଏଥିରେ ଭୁବନେଶ୍ବର ମହାନଗର ନିଗମ ପଛରେ ପଡ଼ିଥିଲା। ଆବାସିକ ଅଞ୍ଚଳ ସଫେଇରେ ୭୩ ପ୍ରତିଶତ ଓ ବଜାର ଅଞ୍ଚଳ ସଫେଇରେ ୭୩ ପ୍ରତିଶତ ମାର୍କ ମିଳିଥିଲା। ସେହିଭଳି ଗତବର୍ଷ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହରେ ୯୭ ପ୍ରତିଶତ, ବର୍ଜ୍ୟ ବିଭକ୍ତୀକରଣରେ ୯୩ ପ୍ରତିଶତ, ଆବର୍ଜନା ସୃଷ୍ଟି ତୁଳନାରେ ପ୍ରକ୍ରିୟାକରଣରେ ୯୯ ପ୍ରତିଶତ, ପାଣି ଉତ୍ସ ସଫେଇରେ ଶତପ୍ରତିଶତ, ଶୌଚାଳୟ ସଫେଇରେ ୯୫ ପ୍ରତିଶତ ମାର୍କ ମିଳିଥିଲା। ଡମ୍ପିଂୟାର୍ଡରେ ପ୍ରତିକାର ବ୍ୟବସ୍ଥାରେ ଶୂନ ମାର୍କ ମିଳିଥିଲା। ଚଳିତବର୍ଷ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହରେ ୯୭ ପ୍ରତିଶତ, ବର୍ଜ୍ୟ ବିଭକ୍ତୀକରଣରେ ୭୮ ପ୍ରତିଶତ, ଆବର୍ଜନା ସୃଷ୍ଟି ତୁଳନାରେ ପ୍ରକ୍ରିୟାକରଣରେ ୯୮ ପ୍ରତିଶତ, ଡମ୍ପିଂୟାର୍ଡରେ ପ୍ରତିକାର ବ୍ୟବସ୍ଥାରେ ୪୦ ପ୍ରତିଶତ, ପାଣି ଉତ୍ସ ସଫେଇରେ ଶତପ୍ରତିଶତ, ଶୌଚାଳୟ ସଫେଇରେ ୯୫ ପ୍ରତିଶତ ମାର୍କ ମିଳିଛି।
ମେୟର ଶ୍ରୀମତୀ ଦାସ ଏହି ସଫଳତାର ଶ୍ରେୟ ଭୁବନେଶ୍ବର ସହରବାସୀଙ୍କୁ ଦେଇଛନ୍ତି। ଶ୍ରୀମତୀ ଦାସ କହିଛନ୍ତି, ସହରବାସୀଙ୍କ ସହଯୋଗ ନ ଥିଲେ, ଆମେ ଏହି ସଫଳତା ପାଇନଥାନ୍ତୁ। ଅନ୍ୟପଟେ ମୋର ସମସ୍ତ ସଫେଇ କର୍ମଚାରୀଙ୍କର ବି ଏଥିରେ ପୂର୍ଣ୍ଣ ଭାଗିଦାରୀ ରହିଛି। ତାଙ୍କ ସହଯୋଗ ବିନା ବି ଏହା ଅସମ୍ଭବ। ବର୍ଷା, ଶୀତ, କାକରରେ ସେମାନେ ଯେଉଁଭଳି ଖଟିଛନ୍ତି, ତାର ପ୍ରତିଫଳନ ହିଁ ଆଜିର ଏହି ସଫଳତା। ଏଥିପାଇଁ ଭୁବନେଶ୍ବରବାସୀ, ସଫେଇ କର୍ମଚାରୀଙ୍କ ସହ ଭୁବନେଶ୍ବର ମହାନଗର ଟିମ୍କୁ ଧନ୍ୟବାଦ ଜଣାଉଛି। ଆଶା, ଆଗକୁ ନିଶ୍ଚିତ ଆମେ ୧ ନମ୍ବର ହେବୁ।