ଭୁବନେଶ୍ବର : ରାଜଧାନୀର ପବ୍ଲିକ ଟଏଲେଟ୍/ଇ-ଟଏଲେଟ୍ରେ ପରିସ୍ରା କଲେ କୌଣସି ଫି’ ଦେବାକୁ ପଡ଼ୁନଥିଲା। ମାତ୍ର ଆଗକୁ ଏଥିପାଇଁ ୨ଟଙ୍କା ଦେବାକୁ ପଡ଼ିବ। ଖୁବ୍ଶୀଘ୍ର ବିଏମ୍ସି ଏଭଳି ନୂଆ ନିୟମ ଆଣିବାକୁ ଯାଉଛି। କେବଳ ଏତିକି ନୁହେଁ, ବର୍ଷକୁ ବର୍ଷ ଏହି ଫି’ ଟଙ୍କାଏ ଲେଖାଏଁ ବଢ଼ିବ। ଅର୍ଥାତ୍ ଏବେ ଯେଉଁ ଶୌଚାଳୟରେ ଝାଡ଼ା ଯିବାକୁ, ଗାଧେଇବାକୁ ୫ଟଙ୍କା ଦେବାକୁ ପଡ଼ୁଛି, ଆସନ୍ତା ବର୍ଷକୁ ଏଥିପାଇଁ ୬ ଟଙ୍କା ଦେବେ। ସେହିପରି ଆସନ୍ତା ବର୍ଷ ପରିସ୍ରା ପାଇଁ ୩ ଟଙ୍କା ଦେବାକୁ ପଡ଼ିବ।
ରାଜଧାନୀରେ ଏବେ ତିନିଟି ଜୋନ୍ରେ ୮୧ଟି ପବ୍ଲିକ ଟଏଲେଟ୍ ଥିବା ବେଳେ ଏଥିରୁ ୨୨ଟି ହେଉଛି ଇ-ଟଏଲେଟ୍। ପବ୍ଲିକ ଟଏଲେଟ୍ଗୁଡ଼ିକରେ ଭଙ୍ଗା ଫ୍ୟାନ୍, ପୁତିଗନ୍ଧମୟ ପରିବେଶ ଯୋଗୁଁ ଲୋକ ବାହାରେ ପରିସ୍ରା କରୁଛନ୍ତି ପଛେ; ଏହା ଭିତରକୁ ଯିବାକୁ ମଙ୍ଗୁ ନାହାନ୍ତି। ଇ-ଟଏଲେଟ୍ କଥା ନ କହିବା ଭଲ। ହକି ବିଶ୍ବକପ୍ ପୂର୍ବରୁ ତରବରିଆ ଭାବେ ରାଜଧାନୀରେ ନିର୍ମାଣ ହୋଇଥିବା ଏହି ଟଏଲେଟ୍ଗୁଡ଼ିକ ଏବେ ବିଫଳ ଯୋଜନା ଭାବେ ଗଣାଯାଉଛି। ଅଧିକାଂଶ ଇ-ଟଏଲେଟ୍ ଅବ୍ୟବହୃତ ହୋଇପଡ଼ିଛି। କେତେକ ଇ-ଟଏଲେଟ୍ କାମ କରୁଥିଲେ ହେଁ ଏହା ଠିକ୍ ସମୟରେ ଖୋଲୁ ନଥିବାରୁ ଅତରଛିଆ ପରିସ୍ରା ଲାଗୁଥିବା ଲୋକ ରାସ୍ତା ଉପରେ କାମ ସାରି ଦେଉଛନ୍ତି। ହେଲେ ବିଏମ୍ସି ଭିତ୍ତିଭୂମି ନ ସଜାଡ଼ି ଏବେ ଲୋକଙ୍କଠାରୁ ପରିସ୍ରା ପାଇଁ ଫି’ ନେବାକୁ ଯୋଜନା କରିଛି।
ଏପରିକି ଭୁବନେଶ୍ବରକୁ ସ୍ବଚ୍ଛ ସହର ବୋଲି ବିଏମ୍ସି କହୁଥିବା ବେଳେ ନିକଟରେ ଓଡିଏଫ୍++ ମାନ୍ୟତା ପାଇଛି। କିନ୍ତୁ ବାସ୍ତବ ଚିତ୍ର ଅଲଗା। ଏବେ ବି ରାଜଧାନୀରେ ରାସ୍ତା କଡ଼ରେ ଲୋକ ‘ଏକ’ କରୁଛନ୍ତି, ‘ଦୁଇ’ ବସୁଛନ୍ତି। ସମସ୍ତେ ଯେପରି ପବ୍ଲିକ ଟଏଲେଟ୍/ଇ-ଟଏଲେଟ୍ ବ୍ୟବହାର କରିବେ, ସେନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ପରିବର୍ତ୍ତେ ବିଏମ୍ସି କର୍ତ୍ତୃପକ୍ଷ ପରିସ୍ରା ପାଇଁ ୨ଟଙ୍କା ଲେଖାଏଁ ଆଦାୟ କରିବା ଅନେକଙ୍କୁ ଚକିତ କରିଛି। ସ୍ବଚ୍ଛ ଭୁବନେଶ୍ବର ନେଇ ବିଏମ୍ସି ଯେଉଁ ସବୁ କାମ କରୁଛି, ତାହା ଏବେ ବାଟବଣା ହୋଇଯିବନି ତ? ଏହି ପ୍ରଶ୍ନ ଏବେ ଉଙ୍କି ମାରିଛି।
ଏ ନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜଧାନୀର ସମସ୍ତ ପବ୍ଲିକ ଟଏଲେଟ୍କୁ ବିମାନବନ୍ଦରର ଟଏଲେଟ୍ ଭଳି ନିର୍ମାଣ କରାଯିବ। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶୌଚାଳୟ ଖୋଲା ରହିବ। ଏଠାରେ ସିଫ୍ଟ ଅନୁଯାୟୀ ସଫେଇ କର୍ମଚାରୀ ନିୟୋଜିତ ହେବେ। ସେମାନେ ପ୍ରତି ଦୁଇ ଘଣ୍ଟାରେ ଶୌଚାଳୟ ସଫା କରିବେ। ଫିନାଇଲ୍, ରୁମ୍ ଫ୍ରେସନର୍ ପକାଇବେ। ଲୋକ ଶୌଚାଳୟ ଦେଖି ଯେପରି ନାକ ଟେକିବେନି, ସେହିଭଳି ଆମେ ଏହାକୁ ପରିଷ୍କାର ରଖିବୁ। ଲୋକ ଘରେ ଯେମିତି ଶୌଚାଳୟ ବ୍ୟବହାର କରୁଛନ୍ତି; ସେହିଭଳି ଶୌଚାଳୟ ହେବ।
ବାହାର ରାଜ୍ୟରେ ଲୋକ ଶୌଚାଳୟରେ ପରିସ୍ରା କଲେ ୫ଟଙ୍କା ଦେଉଛନ୍ତି। ଏଠାରେ ମାଗଣା ଥିଲା। କିନ୍ତୁ ଆମେ ଉନ୍ନତମାନର ସେବା ଯୋଗାଇବା ପାଇଁ ଅର୍ଥ ନେବୁ। ଶୌଚାଳୟର ବିଦ୍ୟୁତ ଓ ପାଣି ଖର୍ଚ୍ଚ ବି ଉଠିବା ଦରକାର। ଏହାବାଦ୍ ପବ୍ଲିକ ଟଏଲେଟ୍ ଓ ଇ-ଏଲେଟ୍ର ପରିଚାଳନା ଦାୟିତ୍ବ ସ୍ବେଚ୍ଛାସେବୀ ସଂସ୍ଥା, ଟ୍ରଷ୍ଟ, ସୋସାଇଟିକୁ ଦେବାକୁ ନିଷ୍ପତ୍ତି ହୋଇଛି। ଜନସ୍ବାସ୍ଥ୍ୟ ବିଭାଗ ୨୪ଘଣ୍ଟା ପାଣି ଯୋଗାଇବ। ଏପରିକି ଯଦି ଉନ୍ନତମାନର ସେବା ନ ଯୋଗାନ୍ତି, ତେବେ ପ୍ରତି ଅବହେଳା ପାଇଁ ୫୦୦ଟଙ୍କା ଲେଖାଏଁ ଜରିମାନା ଆଦାୟ ହେବ। ଯଦି ଶୌଚାଳୟ ପ୍ରତି ଦୁଇ ଘଣ୍ଟାରେ ସଫା ହେଉ ନଥିବ, ରୁମ୍ ସ୍ପ୍ରେ’ ହେଉନଥିବ, ପାଣି ନଥିଲେ, ଶୌଚାଳୟ ପରିସର ସଫା ନଥିଲେ ଜରିମାନା ଆଦାୟ ହେବ। କେଉଁ କେଉଁ କ୍ଷେତ୍ରରେ ଅବହେଳା କଲେ ଜରିମାନା ଆଦାୟ କରାଯିବ ତାହା ଜଣାଇ ଦିଆଯାଇଛି। ବିଏମ୍ସି ଡାକିଥିବା ଟେଣ୍ଡର୍ରେ ଭାଗ ନେବା ପାଇଁ ଗୋଟିଏ ସଂସ୍ଥାକୁ ଅତି କମ୍ରେ ତିନି ବର୍ଷରେ କୌଣସି ସହରରେ ୨୫ଟି ଶୌଚାଳୟ ପରିଚାଳନା ଦାୟିତ୍ବ ନେଇଥିବା ଦରକାର। ଏହା ସହ ବାର୍ଷିକ ଟର୍ଣ୍ଣଓଭର ୨୫ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ଦରକାର। ବିଏମ୍ସିର ଏହି ସର୍ତ୍ତକୁ ଦେଖିଲେ ରାଜଧାନୀରେ ପବ୍ଲିକ ଟଏଲେଟ୍ ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ସୁଲଭ ଇଣ୍ଟରନ୍ୟାସନାଲ ହିଁ ଏକମାତ୍ର ସଂସ୍ଥା ଭାବେ ଉପକୃତ ହେବାର ସମ୍ଭାବନା ଅଛି।