ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣ-୨୦୧୮ ପାଇଁ ବିଏମ୍ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତବର୍ଷ ଏହି ସର୍ଭେରେ ଭୁବନେଶ୍ୱର ୯୪ତମ ସ୍ଥାନରେ ରହିବା ପରେ ଆସନ୍ତା ସର୍ଭେରେ ଯେପରି ଏହାଠାରୁ ଭଲ ର୍ୟାଙ୍କ୍ ପାଇବ ସେନେଇ ପ୍ରସ୍ତୁତି ଜୋରଦାର୍ ହୋଇଛି। କେଉଁ କେଉଁ ବିଭାଗରେ ଅଧିକ ମାର୍କ ମିଳିବ, ମିଳିବାର ସମ୍ଭାବନା ଅଛି ସେହି ଦିଗ ଉପରେ ସମୀକ୍ଷା କରିବା ସହ ସର୍ଭେକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ବିଏମ୍ସି କମିସନର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ଏପରିକି ଗତ ସପ୍ତାହକ ମଧ୍ୟରେ ଏନେଇ ୪ଟି ପ୍ରସ୍ତୁତ ବୈଠକ ହୋଇସାରିଲାଣି।
ଚଳିତ ବର୍ଷ ସର୍ବେକ୍ଷଣ ପାଇଁ ୪ହଜାର ମାର୍କ ରହିଛି। ଗତବର୍ଷ ଏହା ଦୁଇ ହଜାର ମାର୍କ ରହିଥିଲା। ସେହିପରି ଆସନ୍ତା ସର୍ଭେ ୪୦୪୧ଟି ସହର ମଧ୍ୟରେ ହେବାକୁ ଥିବାବେଳେ ଗତବର୍ଷ ୫୦୦ ସହର ମଧ୍ୟରେ ହୋଇଥିଲା। ବିଏମ୍ସି ଅତିରିକ୍ତ କମିସନର ଶୁଭମ୍ ସକ୍ସେନା ଆଜି ସଫେଇ ସଂସ୍ଥାଗୁଡ଼ିକର ବୈଠକ କରିଛନ୍ତି। ସ୍ୱଚ୍ଛ ଭୁବନେଶ୍ୱର ସେଲ୍ର କର୍ମକର୍ତା ତଥା ଏଜେନ୍ସିମାନଙ୍କୁ ନେଇ ଆୟୋଜିତ ଏହି ବୈଠକରେ ବର୍ଜ୍ୟବସ୍ତୁ ପରିଚାଳନା, ପରିବହନ, ଡଷ୍ଟବିନ୍ ମ୍ୟାନେଜ୍ମେଣ୍ଟ, ଟ୍ରାନ୍ଜିଟ୍ ପଏଣ୍ଟ୍ରୁ ଆବର୍ଜନା ସଫା କରିବା ଓ ଉଠାଇବା ସଂକ୍ରାନ୍ତ ଆଲୋଚନା ହୋଇଥିଲା। ଆବଶ୍ୟକ ଅନୁସାରେ ଅଧିକ ଡଷ୍ଟବିନ୍ ରଖିବା ପାଇଁ ବି ଏଥିରେ ନିଷ୍ପତ୍ତି ହୋଇଛି।
ସଫେଇ କର୍ମଚାରୀଙ୍କୁ ମିଳିବ ସୁରକ୍ଷା ସାମଗ୍ରୀ
ସଫେଇ କର୍ମଚାରୀଙ୍କୁ ଆବଶ୍ୟକ ଅନୁସାରେ ଗ୍ଲୋଭ୍ସ, ମାସ୍କ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ଯୋଗାଇ ଦେବାକୁ ସ୍ଥିର ହୋଇଛି। ସଫେଇ ଏଜେନ୍ସି ଦ୍ୱାରା ପରିଚାଳିତ ୫୭ଟି ୱାର୍ଡ ପାଇଁ ଏଜେନ୍ସି ପକ୍ଷରୁ ଏବଂ ବିଏମ୍ସି ପରିଚାଳିତ ୱାର୍ଡ ପକ୍ଷରୁ ନିଗମ ପକ୍ଷରୁ ସୁରକ୍ଷା ସାମଗ୍ରୀ କ୍ରୟ କରାଯାଇ ବିତରଣ କରାଯିବାକୁ ସ୍ଥିର ହୋଇଛି। ସେହିପରି ସଫେଇ କର୍ମଚାରୀଙ୍କୁ ସୁରକ୍ଷା ପୋଷାକ ପରିଧାନ କରିବାକୁ ପରାମର୍ଶ ଦେବାକୁ ଏଜେନ୍ସି ତଥା ସାନିଟାରି ଇନ୍ସପ୍ପେକ୍ର ଏବଂ ଅଧିକାରୀମାନଙ୍କୁ କୁହାଯାଇଛି।
ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମ୍ସି ପକ୍ଷରୁ ଆବାସିକ କଲୋନି କଲ୍ୟାଣ ସଂଘଗୁଡ଼ିକୁ ପଞ୍ଜୀକରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଅନ୍ସାଇଟ୍ କମ୍ପୋଷ୍ଟ୍ ପାଇଁ ସଂଘଗୁଡ଼ିକୁ ପ୍ରବର୍ତାଇବା ସହ ଏଥିପାଇଁ ବୈଷୟିକ ସହଯୋଗ ଦେବାକୁ ବିଏମ୍ସି ପକ୍ଷରୁ ସ୍ଥିର ହୋଇଛି।
ଚଳିତ ଥର ସ୍ୱଚ୍ଛ ସର୍ବେକ୍ଷଣରେ ୩୦ ପ୍ରତିଶତ ନାଗରିକ ମତାମତ ନେଇ ମାର୍କ ରହିଛି। ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଲୋକଙ୍କୁ ଜଡ଼ିତ କରିବା ପାଇଁ ନିର୍ଦ୍ଦେଶ ରହିଛି। ତେଣୁ ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ସ୍ଥିର ହୋଇଛି। ଏଥିପାଇଁ ବିଭିନ୍ନ ମାଧ୍ୟମରେ ପ୍ରଚାର ପ୍ରସାର କାର୍ଯ୍ୟ କରାଯିବ।