ସ୍ୱଚ୍ଛ ସହର ତାଲିକାରେ ପଛରେ ପଡ଼ିଲା ଭୁବନେଶ୍ୱର : ଅପାରଗତା ଲୁଚାଇବାକୁ କାରଣ ଖୋଜୁଛି ବିଏମ୍‌ସି

ଭୁବନେଶ୍ୱର : ସ୍ୱଚ୍ଛ ଭାରତ ମିସନ ଅଭିଯାନରେ ଗତ ତିନି ବର୍ଷ ହେଲା ହେଉଥିବା ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱର ଆଖିଦୃଶିଆ ର‍୍ୟାଙ୍କ ପାଇପାରିଲାନି। ଗତବର୍ଷ ୯୪ତମ ର‍୍ୟାଙ୍କ ପାଇ ଖୁସିରେ ଗଦ୍‌ଗଦ୍‌ ହୋଇପଡ଼ିଥିବା ବିଏମ୍‌ସି ବର୍ଷକରେ ପରିମଳ ବ୍ୟବସ୍ଥା ଏମିତି ବାଗେଇ ଦେଲା ଯେ, ସିଧା ୨୪୫ତମ ସ୍ଥାନକୁ ଖସିଗଲା। ଭଲ ର‍୍ୟାଙ୍କ ପାଇବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଆଖି ଦୃଶିଆ ପଦକ୍ଷେପ ନନେବାରୁ ଭୁବନେଶ୍ୱର ଏବେ ସାରା ଦେଶରେ ଅପଦସ୍ତ ହୋଇଛି। ଭୁବନେଶ୍ୱରକୁ ଭଲ ର‍୍ୟାଙ୍କ ଦେବାରେ ବିଫଳ ହୋଇଥିବା ବିଏମ୍‌ସି ଅଧିକାରୀ ଏବେ ନିଜ ଅପାରଗତା ଲୁଚାଇବାକୁ କାରଣ ଖୋଜୁଛନ୍ତି।

ସ୍ୱଚ୍ଛ ସର୍ବେକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଏବେ ବିଏମ୍‌ସି କର୍ତ୍ତୃପକ୍ଷ ଛାଟିପିଟି ହେଉଛନ୍ତି। ହାତପାହନ୍ତାରେ ସବୁ ସୁବିଧା ଯୋଗାଇବାର ସୁଯୋଗ ଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଆଜି ଭୁବନେଶ୍ୱର ଯେତିକି ସ୍ୱଚ୍ଛ ଅଛି ସେହି ଅନୁଯାୟୀ ର‍୍ୟାଙ୍କ ପାଇଲାନି ବୋଲି ଚର୍ଚ୍ଚା ହେଉଛି। କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନହେବା, କମ୍ପୋଷ୍ଟ ପ୍ଲାଣ୍ଟ ନହେବା, ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ନହେବା, ଆବର୍ଜନା ପୃଥକୀକରଣ ନହେବା, ପଲିଥିନ୍‌ ମୁକ୍ତ ସହର ନହେବା, ରାଜଧାନୀର କୌଣସି ଗୋଟିଏ ବି ଅଞ୍ଚଳ ପ୍ରକୃତରେ ମଳମୁକ୍ତ ଅଞ୍ଚଳ ନହେବା, ଆବଶ୍ୟକୀୟ ପବ୍ଲିକ ଟଏଲେଟ୍‌ ନ ରହିବା, ଆବଶ୍ୟକୀୟ ଡଷ୍ଟବିନ୍‌ ନ ରହିବା, ସବୁ ଅଳିଆ ବୋଝେଇ ଗାଡ଼ି ଜିପିଏସ୍‌ ଟ୍ରାକିଂ ହୋଇ ନପାରିବା ଇତ୍ୟାଦି। ଏହି ସବୁ ବ୍ୟବସ୍ଥା ବିଏମ୍‌ସି ଯୋଗାଇବା ପାଇଁ ଆବଶ୍ୟକ ସମୟ ଓ ସୁଯୋଗ ଥିଲେ ହେଁ କେତେକ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହାକୁ କାର୍ଯ୍ୟକାରୀ କରିବାରେ ବିଏମ୍‌ସି ବିଫଳ ହୋଇଛି। ଯାହା ବିଏମ୍‌ସି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ପଛରେ ଭୁବନେଶ୍ୱର ପଡ଼ିଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ମୁଣ୍ଡରୁ ଦୋଷ ଖସାଇବା ପାଇଁ କହିଛନ୍ତି ଗତ ଥର ୫୦୦ଟି ସହରକୁ ନେଇ ପ୍ରତିଯୋଗିତା ହୋଇଥିବାବେଳେ ଆମେ ୯୪ତମ ସ୍ଥାନରେ ଥିଲୁ। ଚଳିତ ବର୍ଷ ୪୨୦୩ଟି ସହରକୁ ନେଇ ପ୍ରତିଯୋଗିତା ହୋଇଛି। ଗତ ଥର ୧୦ଲକ୍ଷରୁ ଊର୍ଦ୍ଧ୍ୱ କ୍ୟାଟେଗୋରି ସହରରେ ଆମେ ୯୪ତମ ସ୍ଥାନ ପାଇଥିଲୁ। କିନ୍ତୁ ଚଳିତବର୍ଷ ୧ଲକ୍ଷରୁ ଅଧିକ ସହରକୁ ନେଇ ତାଲିକା ହେବାରୁ ଆମ ର‍୍ୟାଙ୍କ୍‌ ଖସିଗଲା। ଭୁଆସୁଣୀରେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନହେବା ଆମ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଗତ ଥର ଯେଉଁ ସହରଗୁଡ଼ିକ ଶ୍ରେଷ୍ଠ ୧୦ ସହର ତାଲିକାରେ ସ୍ଥାନ ପାଇଥିଲେ ସେମାନେ ଏଥର ବି ପାଖାପାଖି ର‍୍ୟାଙ୍କ ପାଇଛନ୍ତି। ଏପରିକି ଇନ୍ଦୋର ପୂର୍ବଥର ପରି ପ୍ରଥମ ସ୍ଥାନ ବଜାୟ ରଖିଛି। ଯଦି ଅନ୍ୟ ସହରଗୁଡ଼ିକ ପୂର୍ବଥର ଭଳି ଭଲ ର‍୍ୟାଙ୍କ ପାଇଲେ ଭୁବନେଶ୍ୱର କାହିଁକି ପାଇବନି ବୋଲି ପ୍ରଶ୍ନ ଉଠିଛି।

ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର ଯେତିକି ସ୍ୱଚ୍ଛ ହେବା କଥା ସେହିପରି ହୋଇନି। ଅନ୍ୟ ସହରଗୁଡ଼ିକ ପରିମଳ ବ୍ୟବସ୍ଥା ସଜାଡ଼ିବା ପାଇଁ ବହୁ ଅଭିନବ ପଦକ୍ଷେପ ନେଇଥିବାବେଳେ ନିଜ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ବହୁ ପଦକ୍ଷେପ ନେଇଛନ୍ତି। ଏପରିକି ଇନ୍ଦୋରରେ ଧର୍ମଗୁରୁଙ୍କ ଦ୍ୱାରା ସହରକୁ ସ୍ୱଚ୍ଛ ରଖିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ସଚେତନ କରାଯାଉଥିବାବେଳେ ଜରିଗୋଟାଳିମାନେ ଯେପରି ଅଜୈବ ବର୍ଜ୍ୟ ଉଠାଇ ଦେବେ ଏବଂ ଅଧିକ ରୋଜଗାର କରିପାରିବେ ସେଥିପାଇଁ ବସ୍‌ରେ ରିହାତି ଦିଆଯାଉଛି, ସହର ମଝିରେ କମ୍ପୋଷ୍ଟ ପ୍ଲାଣ୍ଟ ହୋଇଛି, ଲୋକଙ୍କୁ କମ୍‌ ଦାମ୍‌ରେ ଦୁଇଟି ଲେଖାଏ ଡଷ୍ଟବିନ୍‌ ଯୋଗାଇ ଦିଆଯାଉଛି। ଗ୍ରେଟର୍‌ ହାଇଦ୍ରାବାଦରେ ଲୋକ ଯେପରି ପଲିଥିନ୍‌ ବ୍ୟବହାର ନକରିବେ ସେଥିପାଇଁ ଆମିଷ ଦୋକାନରେ ଷ୍ଟିଲ୍‌ ଟିଫିନ୍‌ ବାଧ୍ୟମତାମୂଳକ କରାଯାଇଛି, ପ୍ରମୁଖ ଅଞ୍ଚଳ ଓ ବଜାରରେ ଦିନକୁ ତିନିଥର ସଫେଇ ହେଉଥିବାବେଳେ କଲୋନିରେ ଦୁଇଥର ସଫେଇ ହେଉଛି। ଭୁବନେଶ୍ୱରରେ ଡମ୍ପିଂୟାର୍ଡ ଓ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣରେ ସମସ୍ୟା ଅଛି ବୋଲି ବିଏମ୍‌ସି କର୍ତ୍ତୃପକ୍ଷ କହୁଥିଲେ ହେଁ ପଞ୍ଚଗାନି, ଭେଙ୍ଗରୁଲା, ଆଲ୍‌ଫୁଜା ଭଳି ସହରରେ ତ ଡମ୍ପିଂୟାର୍ଡ ନାହିଁ। ଏଠାରେ ଜୈବ ଆବର୍ଜନାକୁ ସିଧା କମ୍ପୋଷ୍ଟ ପ୍ଲାଣ୍ଟକୁ ନିଆଯାଉଛି। ବିଏମ୍‌ସି ଭୁବନେଶ୍ୱରକୁ ସ୍ୱଚ୍ଛ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇ ନପାରିବାରୁ ଏଥର ମାର୍କ କମିଛି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ଗତବର୍ଷ ଭୁବନେଶ୍ୱରକୁ ୨୦୦୦ ମାର୍କରୁ ୧୨୫୪.୪୭ମାର୍କ ପାଇଥିବାବେଳେ ଚଳିତବର୍ଷ ମୋଟ୍‌ ୪ହଜାର ମାର୍କ ୧୮୮୭.୮୨ମାର୍କ ପାଇଛି। କେନ୍ଦ୍ରୀୟ ଟିମ୍‌ ପରିଦର୍ଶନ ଦ୍ୱାରା ୩୦% ମାର୍କ, ସହରବାସୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ଉପରେ ୩୫% ଏବଂ ନାଗରିକ ମତାମତରୁ ୩୫% ମାର୍କ ପ୍ରଦାନ କରାଯାଇଥିବାବେଳେ ଭୁବନେଶ୍ୱର କୌଣସି ଗୋଟିକରେ ବି ଆଖିଦୃଶିଆ ମାର୍କ ପାଇଲାନି। କଠିନ କି ତରଳ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନଥିବା ଏବଂ କମ୍ପୋଷ୍ଟ ପ୍ଲାଣ୍ଟ ଅଭାବରୁ ବିଏମ୍‌ସି ଏକସଙ୍ଗେ ୪୦୦ ମାର୍କ ହରାଇଥିବାବେଳେ ଜୈବ ଓ ଅଜୈବ ଆବର୍ଜନା ପୃଥକୀକରଣ କରି ନପାରିବାରେ ୧୦%, ନୂଆ ଉପାୟ ଅବଲମ୍ବନ ନକରିପାରିବାରେ ୫% ମାର୍କ, କମ୍ୟୁନିଟି ଓ ପବ୍ଲିକ ଟଏଲେଟ୍‌ର ପ୍ରଚାର ପ୍ରସାର ନକରିପାରିବା ଏବଂ ଅଧିକ ଲୋକ ବ୍ୟବହାର ନକରିବା ମଧ୍ୟ ଅନ୍ୟତମ କାରଣ ସାଜିଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର