ପୁରୁଣା ଭୁବନେଶ୍ୱର: ‘ସ୍ୱଚ୍ଛତା ହିଁ ସେବା ୨୦୨୫ ଅଭିଯାନ’ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ‘ଏକ୍ ପେଡ୍ ମା’ କେ ନାମ୍’ କାର୍ଯ୍ୟକ୍ରମରେ ସେ ସ୍ଥାନୀୟ ଦେବୀପାଦହରା ପୁଷ୍କରିଣୀ ନିକଟରେ ବୃକ୍ଷରୋପଣ କରିଥିଲେ।
ବିଏମ୍ସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉଦ୍ବୋଧନ ଦେଇଥିଲେ। ସ୍ବର୍ଗତ ଉପାଧ୍ୟାୟଙ୍କ ଭଳି ଜଣେ ମହାନ ଚିନ୍ତକ, ରାଷ୍ଟ୍ରଭକ୍ତ ଓ ଆଦର୍ଶବାଦୀ ନେତାଙ୍କୁ ସ୍ମରଣ କରି ତାଙ୍କ ମୂଲ୍ୟବୋଧ ଓ ନୀତିକୁ ଆଗାମୀ ପିଢ଼ି ସମ୍ମୁଖରେ ଉପସ୍ଥାପିତ କରିବାର ଅବସର ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଭାରତୀୟ ସାଂସ୍କୃତିକ ବିଚାରଧାରା ସହିତ ସ୍ୱତନ୍ତ୍ର ଅର୍ଥନୈତିକ ଚିନ୍ତାଧାରାର ପ୍ରସାର କ୍ଷେତ୍ରରେ ସ୍ବର୍ଗତ ଉପାଧ୍ୟାୟଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ପାଥେୟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଦେଶରେ ସୁଶାସନ ପ୍ରତିଷ୍ଠା କରିଥିଲେ। ସାଂପ୍ରତିକ ପରିସ୍ଥିତିରେ ପଣ୍ଡିତ ଦୀନଦୟାଲଙ୍କ ସବୁଠାରୁ ବଡ ଉପାସକ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ ଓ ଯୋଜନା, ସମାଜର ଶେଷ ପାହଚରେ ଥିବା ଗରିବ ଓ ନିଃସହାୟଙ୍କ ପ୍ରତି ଉତ୍ସର୍ଗୀକୃତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସ୍ୱଚ୍ଛତା କ୍ଷେତ୍ରରେ ସମସ୍ତଙ୍କୁ ଅଧିକ ସଚେତନ କରାଇବାର ଆବଶ୍ୟକତା ରହିଛି। ସଫେଇ କ୍ଷେତ୍ରରେ ଦେଶର ପ୍ରଥମ ତିନି ସ୍ଥାନରେ ରହିବା ପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର ବିଧାୟକ ବାବୁ ସିଂ, ବିଏମ୍ସି ମେୟର ସୁଲୋଚନା ଦାସ, ବହୁ କର୍ପୋରେଟର, ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ବିଏମ୍ସି କମିସନର ଚଞ୍ଚଲ ରାଣା ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।
ଆବର୍ଜନାରୁ କୋଇଲା ଓ କୋଇଲାରୁ ଶକ୍ତି ଉତ୍ପାଦନ
ଆଜି ଗଣସଫେଇ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜଧାନୀରୁ ବିଏମ୍ସି ସଂଗ୍ରହ କରୁଥିବା ଆବର୍ଜନାରୁ ଶକ୍ତି ଉତ୍ପାଦନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି। ଆବର୍ଜନାକୁ କୋଇଲାରେ ପରିଣତ କରିବା ପରେ ସେଥିରୁ ଶକ୍ତି ଉତ୍ପାଦନ କରାଯିବ। ଭାରତର କିଛି ସହରରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଆବର୍ଜନାକୁ କୋଇଲାରେ ପରିଣତ କରାଯାଉଛି ଏବଂ ସେଥିରୁ ଶକ୍ତି ଉତ୍ପାଦନ ହେଉଛି। ସେହି ପଦ୍ଧତିରେ ଭୁବନେଶ୍ବରରେ ପ୍ରୟୋଗ କରାଯିବ ଏବଂ ରାଜଧାନୀ ଏକ ଶକ୍ତି ଉତ୍ପାଦନ କେନ୍ଦ୍ର ହୋଇପାରିବ ବୋଲି ସେ କହିଛନ୍ତି। ବିଏମ୍ସି ଦୈନିକ ୪୦୦ ଟନ୍ରୁ ଅଧିକ ଆବର୍ଜନା ସଂଗ୍ରହ କରୁଥିବାରୁ ସେଥିରୁ ଯଥେଷ୍ଟ ପରିମାଣର ଶକ୍ତି ଉତ୍ପାଦନ ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।