‘ଦ୍ରୋହକାଳ’ ଏକ ପ୍ରତିଶ୍ରୁତି: ପ୍ରତିଭା‌ ରାୟ

ସ୍ୱାଗତିକା ସ୍ୱାଇଁଙ୍କୁ ପ୍ରଥମ ‘ଅକ୍ଷୟ ଉପନ୍ୟାସ’ ପୁରସ୍କାର

ଭୁବନେଶ୍ୱର: ପ୍ରତିଭା ରାୟ ଫାଉଣ୍ଡେସନ୍‌ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ‘ପ୍ରଥମ ଅକ୍ଷୟ ଉପନ୍ୟାସ’ ପୁରସ୍କାର ପ୍ରଦାନ ଉତ୍ସବ ଆଜି ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ୱତ ସଭାରେ ଔପନ୍ୟାସିକା ସ୍ୱାଗତିକା ସ୍ୱାଇଁଙ୍କୁ ତାଙ୍କ ଉପନ୍ୟାସ ‘ଦ୍ରୋହକାଳ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଯୋଗଦେଇ କହିଲେ, ପୃଥିବୀରେ ବିପ୍ଳବ ସୃଷ୍ଟି କରିଛି ଉପନ୍ୟାସ। ପ୍ରତିଭା ରାୟଙ୍କ ଉପନ୍ୟାସଗୁଡ଼ିକ ଓଡ଼ିଆ ସାହିତ୍ୟର ଏକ ମାଇଲ ଖୁଣ୍ଟ। ସଭାରେ ସଭାପତିତ୍ୱ କରି ବିଶିଷ୍ଟ ଲେଖିକା ତଥା ଔପନ୍ୟାସିକା ପ୍ରତିଭା ରାୟ କହିଲେ, ଓଡ଼ିଆ ସାହିତ୍ୟ ତଥା ଭାରତୀୟ ସାହିତ୍ୟରେ ଉପନ୍ୟାସର ସଂକଟ ବେଳ ଉପସ୍ଥିତ ହୋଇଛି ବୋଲି ପ୍ରବୀଣମାନଙ୍କ ଭିତରେ ନୈରାଶ୍ୟ ସୃଷ୍ଟି ହେଉଥିବା ବେଳେ ଆଜିର ପୁରସ୍କୃତ ଉପନ୍ୟାସ ‘ଦ୍ରୋହକାଳ’ ହେଉଛି ଏକ ପ୍ରତିଶ୍ରୁତି।

କୌଣସି ଯୁଗରେ ସାହିତ୍ୟ ପ୍ରତିଭା ଶେଷ ହୋଇଯାଏ ନାହିଁ। ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଉଚ୍ଚମାନର ଉପନ୍ୟାସ ରଚନା ଶେଷ ହୋଇଯିବ ନାହିଁ। ସମ୍ମାନିତ ଅତିଥି ଭାବେ ପୂର୍ବତନ ପୁଲିସ ଡିଜି ତଥା ଲେଖକ ବିପିନ ବିହାରୀ ମିଶ୍ର, ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଇଂ ପ୍ରଭାକର ସ୍ୱାଇଁ, ପ୍ରତିଭା ରାୟ ଫାଉଣ୍ଡେସନ୍‌ ଟ୍ରଷ୍ଟର ଉପଦେଷ୍ଟା ପ୍ରଫେସର ବସନ୍ତ ପଣ୍ଡା, ଟ୍ରଷ୍ଟର ଉପସଭାପତି ଡ. ଅଦ୍ୟାଶା ଦାସ ପ୍ରମୁଖ ଉପସ୍ଥିତ ରହି ଇଂ ଅକ୍ଷୟ ଚନ୍ଦ୍ର ରାୟଙ୍କ ଜୀବନୀ ଓ ପ୍ରତିଭା ରାୟଙ୍କ ବିଭିନ୍ନ କୃତିତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆମେରିକା ଓହାଇଓର ବ୍ଲାକ ଇଗଲ ବୁକ୍‌ସ ପ୍ରକାଶକ ସତ୍ୟ ପଟ୍ଟନାୟକଙ୍କୁ ପୁସ୍ତକ ପ୍ରକାଶନ ଓ ପ୍ରସାର ପ୍ରତିଭା ସମ୍ମାନ, ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରାଙ୍କୁ ପ୍ରତିଭା ରାୟ ଫାଉଣ୍ଡେସନ୍‌ ଟ୍ରଷ୍ଟ ପ୍ରତିଭା ସମ୍ବର୍ଦ୍ଧନା, ପକ୍ଷୀଘରର ପ୍ରକାଶକ ବନୋଜ ତ୍ରିପାଠୀଙ୍କୁ ପୁସ୍ତକ ପ୍ରକାଶନ ସମ୍ମାନ, ପାଠକ ତାପସ ରାଉତଙ୍କୁ ପ୍ରତିଭା ରାୟ ଫାଉଣ୍ଡେସନ୍‌ ଟ୍ରଷ୍ଟ ପ୍ରତିଭା ସାହିତ୍ୟ ମୁଗ୍ଧ ସମ୍ବର୍ଦ୍ଧନା-୨୦୨୧ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟର ସମ୍ପାଦିକା ଇଶାନୀ ଦାସ ଧନ୍ୟବାଦ ଦେଇଥିଲେ। ଦେବପ୍ରସାଦ ଦାସ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର