ସନାତନ ହିନ୍ଦୁ ଧର୍ମରେ ଗୁରୁ-ଶିଷ୍ୟ ପରମ୍ପରା ଅତ୍ୟନ୍ତ ପ୍ରାଚୀନ ତଥା ଭାରତର ସର୍ବମାନ୍ୟ ଆଧ୍ୟାତ୍ମିକ ସମ୍ପଦ। ବେଦ, ଉପନିଷଦ ଏବଂ ଯେତେକ ନିଗମ ଓ ଆଗମ ଶାସ୍ତ୍ର ଶ୍ରୀଗୁରୁଙ୍କ ବାଣୀରେ ହିଁ ପ୍ରକାଶିତ। ସ୍ବୟଂ ନାରାୟଣଙ୍କଠାରୁ ଆରମ୍ଭ କରି ଅସ୍ମଦୀୟ ଆଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ପ୍ରଲମ୍ବିତ ଯେଉଁ ବିଶାଳ ଗୁରୁ ପରମ୍ପରା- ମୁଁ ତାଙ୍କୁ ବାରମ୍ବାର ପ୍ରମାଣ କରୁଛି। ଶାସ୍ତ୍ରରେ ଉକ୍ତ ଅଛି :
‘‘ନାରାୟଣଂ ସମାରମ୍ଭାଂ ଶଙ୍କରାଚାର୍ଯ୍ୟମଧ୍ୟଗାଂ
ଅସ୍ମଦାଚାର୍ଯ୍ୟପର୍ଯ୍ୟନ୍ତାଂ ବନ୍ଦେ ଗୁରୁପରମ୍ପରାମ୍।’’

Advertisment

ଭଗବାନ ବ୍ୟାସ, ବଶିଷ୍ଠ, ପରାଶର, ଶୁକଦେବଙ୍କଠାରୁ କେତେ ଋଷି, ମୁନି, ସିଦ୍ଧ ସାଧକ, ଆଚାର୍ଯ୍ୟ ଗୌଡ଼ପାଦ, ଗୋବିନ୍ଦପାଦ ଏବଂ ମହାନ ଆଚାର୍ଯ୍ୟ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ମଧ୍ୟଦେଇ ଶ୍ରୀଶ୍ରୀଠାକୁର ନିଗମାନନ୍ଦ ସରସ୍ବତୀଙ୍କ ପର୍ଯ୍ୟନ୍ତ ପରିବାହିତ ହୋଇ ଆସିଛି ଏ ଗୁରୁପରମ୍ପରା। କଠୋର ତ୍ୟାଗ, ତପସ୍ୟା ଓ ବୈରାଗ୍ୟରେ ପରିଶୀଳିତ ଉପଯୁକ୍ତ ଜ୍ଞାନୀ ଶିଷ୍ୟଗଣ ହିଁ ପରବର୍ତ୍ତୀ ସମୟରେ ସ୍ବୀୟ ଗୁରୁଙ୍କ ଦର୍ଶନ, ଆଦର୍ଶ ଓ କର୍ମଧାରାକୁ ତାଙ୍କ ପରବର୍ତ୍ତୀ ପୀଢ଼ି ପାଇଁ ଆଦର୍ଶ ଭାବେ ଗଢ଼ି ତୋଳିଛନ୍ତି। ଏହି କ୍ରମରେ ଶ୍ରୀଶ୍ରୀଠାକୁର ନିଗମାନନ୍ଦ ସରସ୍ବତୀ ପରମହଂସଦେବଙ୍କ କୃପାଧନ୍ୟ ଶିଷ୍ୟ ଶ୍ରୀମତ୍‌ ସ୍ବାମୀ ପ୍ରଜ୍ଞାନନ୍ଦ ସରସ୍ବତୀ ଓ ତଦୀୟ ଶିଷ୍ୟ ସଦ୍‌ଗୁରୁ ଶ୍ରୀମତ୍‌ ସ୍ବାମୀ ବିଶୁଜ୍ଞାନନ୍ଦ ସରସ୍ବତୀ ହେଉଛନ୍ତି ଆମର ପୂଜ୍ୟପାଦ ଗୁରୁଦେବ। ଦଶନାମା ସନ୍ନ୍ୟାସୀ ସମ୍ପ୍ରଦାୟ ମଧ୍ୟରୁ ‘ସରସ୍ବତୀ’ ସମ୍ପ୍ରଦାୟଭୁକ୍ତ ଜଣେ ଅନନ୍ୟ ସିଦ୍ଧ ସାଧକ, ଅସାମାନ୍ୟ ଜ୍ଞାନୀ, ଯୋଗଶାସ୍ତ୍ର-ବିଦ୍ୟାନିପୁଣ, ପୂର୍ବାଶ୍ରମରେ ଅର୍ନ୍ତଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ, ପ୍ରଫେସର, ଡିନ୍‌। ଶିଷ୍ୟ ଭାବରେ ସେ ଯେତିକି ଗୁରୁସମର୍ପିତପ୍ରାଣ, ଗୁରୁ ଭାବରେ ସେତିକି ଶିଷ୍ୟବତ୍ସଳ ଓ କରୁଣାର ଚିଦ୍‌ଘନବିଗ୍ରହ।

ଅାଶୈଶବ ଆଧ୍ୟାତ୍ମିକ ଅଭୀସ୍ପା ହିଁ ପରବର୍ତ୍ତୀ ଜୀବନରେ ସ୍ବାମୀ ଚେତନାନନ୍ଦଙ୍କୁ ତନ୍ତ୍ର, ଯୋଗ, ଜ୍ଞାନ ଓ ପ୍ରେମ ସାଧନା ନିମିତ୍ତ ନିରନ୍ତର ପ୍ରେରଣାରେ ଉଦ୍‌ବୁଦ୍ଧ କରିଥିଲା। ସଂସାର ଭିତରେ ରହି ପଦ୍ମପତ୍ରରେ ଜଳ ପରି ସେ ଥିଲେ ଜଣେ ସଂସାର-ନିର୍ଲିପ୍ତ, ପରମଜ୍ଞାନୀ ମହାପୁରୁଷ। ଗୁରୁଭାର ଗ୍ରହଣ କରିବା ପରେ ନିଗମ ପରମ୍ପରାର ଆଦର୍ଶ ଓ ଦର୍ଶନ ତଥା କର୍ମଧାରାକୁ ନିଜ ଜୀବନର କର୍ମଧାରା ଭାବରେ ଗ୍ରହଣ କରି ଶିଷ୍ୟମାନଙ୍କୁ ଚତୁର୍ବିଧ ସାଧନପଦ୍ଧତିର ଅନୁଭବ ଆଧାରରେ ଦୀକ୍ଷା-ଶିକ୍ଷା ପ୍ରଦାନ କରୁଥିଲେ। ଏପରିକି ଧର୍ମତତ୍ତ୍ବର ଗହନ କଥା ବୁଝି ପାରୁ ନ ଥିବା ଶିଷ୍ୟମାନଙ୍କ ପାଇଁ ମଧ୍ୟ ତାଙ୍କ ଅନ୍ତରରୁ କରୁଣାର ଧାରା ଝରିଆସୁଥିଲା। ମନୁଷ୍ୟ ଜୀବନ ଲାଭ କରିବା ଦୁର୍ଲଭ। କେତେ ଲକ୍ଷ ଯୋନି ଅତିକ୍ରମ କରି ମନୁଷ୍ୟ ଶରୀର ଲାଭ ହୋଇଛି ଯେତେବେଳେ, ଭୋଗସର୍ବସ୍ବ ନ ହେବା ପାଇଁ ସେ ଉପଦେଶ ପ୍ରଦାନ କରୁଥିଲେ। ମନୁଷ୍ୟ ପାଇଁ ଈଶ୍ବର ଏକ ମହତ୍ତର ଲକ୍ଷ୍ୟ ରଖିଛନ୍ତି। ରାଗ, ଦ୍ବେଷ, ଘୃଣା, ପରଶ୍ରୀକାତରତା, ଆତ୍ମବଡ଼ିମା-ଜନିତ ଅଜ୍ଞାନତାର ଅନ୍ଧକାରରେ ଛଟପଟ ନ ହୋଇ ଏସବୁଥିରୁ ମୁକ୍ତ ଏକ ସରଳ, ସ୍ବଚ୍ଛନ୍ଦ ଜୀବନର ଅନୁଭବ କରିବାକୁ ଏବଂ ପ୍ରକୃତ ମଣିଷ ପରି ମଣିଷ ହେବାକୁ ସେ ବହୁବିଧ ଉଦାହରଣ ମାଧ୍ୟମରେ ଶିଷ୍ୟମାନଙ୍କୁ ପ୍ରେରଣା ପ୍ରଦାନ କରିଛନ୍ତି।

ଗୁରୁଦେବ ଚେତନାନନ୍ଦ କହନ୍ତି- ଆତ୍ମଜିଜ୍ଞାସାରୁ ହିଁ ଆରମ୍ଭ ହୁଏ ଆଧ୍ୟାତ୍ମିକ ଉତ୍ତରଣ। କେବଳ ସଦ୍‌ଗୁରୁ ହିଁ ଏ ଜ୍ଞାନ ଶିଷ୍ୟପ୍ରାଣରେ ସଂଚାର କରିପାରିବା ପାଇଁ ସମର୍ଥ। କେବଳ ଶାସ୍ତ୍ରପାଠ କରି ଜଣେ ଆପ୍ତକାମ ହେବା ଅସମ୍ଭବ ନ ହେଲେ ମଧ୍ୟ ଅତୀବ କଷ୍ଟକର, ଯାହା ଗୁରୁଙ୍କ କୃପାଦ୍ବାରା ଅଚିରେ ସାଧିତ ହୁଏ। ଜ୍ଞାନର ଆଲୋକ-ସ୍ପର୍ଶ ଶିଷ୍ୟର ଅଜ୍ଞାନ-ଅନ୍ଧକାର ଦୂରୀଭୂତ କରେ। ଗୋଟିଏ ଜନ୍ମରେ ସମ୍ଭବ ନ ହେଲେ ମଧ୍ୟ ପରବର୍ତ୍ତୀ ଜନ୍ମରେ ଶିଷ୍ୟ ଜୀବନ୍ମୁକ୍ତ ହୋଇପାରେ (ଯଦି ପ୍ରକୃତରେ ଜଣେ ଶିଷ୍ୟ ଆନ୍ତରିକ ଭାବରେ ମୁକ୍ତି ଚାହେଁ)। ଏ ମୁକ୍ତି ମୋହରୁ, ବିଷୟବାସନାରୁ, ସମସ୍ତ ଅମଣିଷପଣିଆରୁ ମୁକ୍ତି। ତେବେ ତ ଜଣେ ଶିଷ୍ୟ ନିଜ ଦେହ ନୁହେଁ- ‘ଆତ୍ମା’ ବୋଲି କ୍ରମଶଃ ଅନୁଭବ କରିପାରିବ- ଏହା ସାଧାନାସାପେକ୍ଷ ଓ କଷ୍ଟକର ହେଲେ ମଧ୍ୟ ଅସମ୍ଭବ ନୁହେଁ।

ଗୁ‌ରୁଦେବଙ୍କ ବାଣୀ ହିଁ ସ୍ବୟଂ ବାଗ୍‌ଦେବୀ ସରସ୍ବତୀ। ସାଧାରଣ ଶିଷ୍ୟଟିଏ ତାଙ୍କ ପରିଚୟ କରାଇପାରିବାର ସାମର୍ଥ୍ୟ ବା ପାଇବ କେଉଁଠୁ? ତଥାପି ମନେହୁଏ, ଅଗଣିତ ଶିଷ୍ୟଭକ୍ତଙ୍କୁ କୃପା କରିବା ପାଇଁ ଲୀଳାମୟ ଗୁରୁ ମାନବ ଶରୀର ଧାରଣ କରି ଜଗଦ୍‌ଗୁରୁଙ୍କ ଇଚ୍ଛାର କ୍ରିୟାନ୍ବୟନ କରିଥାନ୍ତି।

ଗତ ୧୭ା୦୫ା୨୦୨୧ ତାରିଖ ମଧ୍ୟରାତ୍ରରେ ସ୍ବାମୀ ଚେତନାନନ୍ଦ ସରସ୍ବତୀ ତାଙ୍କ ପାର୍ଥିବ ଶରୀର ତ୍ୟାଗ କରି ବ୍ରହ୍ମଲୀନ ହୋଇଛନ୍ତି। ସୂକ୍ଷ୍ମ ରାଜ୍ୟରେ ତାଙ୍କ ଗୁରୁଶକ୍ତି ଆହୁରି ତେଜୋମୟ, କ୍ରିୟାଶୀଳ ଓ ଜାଗ୍ରତ। ସକଳ ଶିଷ୍ୟ-ଭକ୍ତଗଣଙ୍କ ପ୍ରାଣର ପ୍ରଣାମ ସ୍ବୀକାର ହେଉ ଗୁରୁଦେବ! ଚିରକାଳ ଆପଣଙ୍କ ଆଶୀର୍ବାଦରେ ଏ ଜଗତ ଓ ଜୀବନର ଦୁଃଖ ଦୂର ହେଉ। ଓଁ ଶାନ୍ତିଃ। ଶାନ୍ତିଃ। ଶାନ୍ତିଃ।

ଡ. କିରଣବାଳା ରଥ
(ସନ୍ନ୍ୟାସ ନାମ : ମା’ କଲ୍ୟାଣମୟୀ ସରସ୍ବତୀ)