ଚନ୍ଦ୍ରଶେଖରପୁର: ଦିନ ଥିଲା ବର୍ଷା ହେବା ମାତ୍ରେ ଭରପୂର ହୋଇଯାଉଥିଲା ଜଳାଶୟ। ପାଣିକୁ ଲୋକେ ବ୍ୟବହାର କରୁଥିଲେ। ବାସନ ମାଜିବାଠାରୁ ଗାଧୋଇବା ପର୍ଯ୍ୟନ୍ତ, ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ମାତ୍ର ଏବେ ଆଉ ଜଳାଶୟରେ ପାଣି ନାହିଁ। କଂକ୍ରିଟ୍ ଜଙ୍ଗଲ ସୃଷ୍ଟି ସାଙ୍ଗକୁ ନିଅଣ୍ଟିଆ ବର୍ଷା ଯୋଗୁଁ ଜଳାଶୟ ଶୁଖିଲା ପଡ଼ିଛି। ଆଉ ତାହାର ସୁଯୋଗ ନେଇ ମାତିଛନ୍ତି ଜମି ମାଫିଆ। ଆବର୍ଜନା ପକାଇବା ନାଁରେ ଜଳାଶୟକୁ ପୋତିବା ସହ ଧୀରେ ଧୀରେ ସରକାରୀ ଜମିକୁ ନିଜ କବ୍ଜାକୁ ନେବା ଉଦ୍ୟମ ଆରମ୍ଭ କରିଛନ୍ତି। ଚନ୍ଦକା ଶିଳ୍ପାଞ୍ଚଳ ପଛପାର୍ଶ୍ବ ତଥା ଚିରଗୋଲଟୋଲା ବସ୍ତି ନିକଟରେ ଥିବା ଜଳାଶୟକୁ ଏଭଳି ଭାବେ ପୋତା ଚାଲିଛି। କିଏ ଅଳିଆ ଜମା କରୁଛି ସେନେଇ କାହା ପାଖରେ ଖବର ନାହିଁ। ବିଏମ୍ସି ଅଧିକାରୀମାନେ ଏନେଇ ଚୁପ୍ ରହିଥିବା ବେଳେ ସହର କିଭଳି ସ୍ବଚ୍ଛ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଚିନ୍ତାର ବିଷୟ ହେଉଛି ସହରରୁ ପ୍ରତିଦିନ ବାହାରୁଥିବା କୁଢ଼କୁଢ଼ ଆବର୍ଜନା ଏଠାରେ ହିଁ ଜମା ହେଉଛି। ଟ୍ରକ୍, ଟ୍ରାକର, ଅଟୋ ଦ୍ବାରା ସହରର ଆବର୍ଜନା ଏଠାକୁ ଅଣାଯାଇ ଫୋପଡ଼ା ଯାଉଛି। ପରିଣାମ ସ୍ବରୂପ ସେଠାରେ ଆବର୍ଜନା ଏବେ ପାହାଡ଼ ଭଳି ଗଦା ହେଲାଣି। ପଲିଥିନ୍ ସମେତ ନଷ୍ଟ ହୋଇଥିବା ଘରର ବିଭିନ୍ନ ଆସବାବପତ୍ର, ସବୁଜ ଆବର୍ଜନା, ଚେୟାର, ଟେବୁଲ୍ ଆଜି ଜମା ହୋଇଛି। ଯାହାକି ଏବେ ଚନ୍ଦକା ଶିଳ୍ପାଞ୍ଚଳ ପାଇଁ ବିପଦର କାରଣ ପାଲଟିଛି। ଯେଉଁଠାରେ ଅଳିଆ ଜମା ହେଉଛି ତା’ ନିକଟରେ ଏକାଧିକ କେନ୍ଦ୍ରୀୟ ପ୍ରତିଷ୍ଠାନ ସହ ଅନେକ ତାଲିମ କେନ୍ଦ୍ର ରହିଛି। ଆବର୍ଜନାଠାରୁ ମାତ୍ର ୫୦ ମିଟର ଦୂରରେ ଚିରଗୋଲଟୋଲା ବସ୍ତି ରହିଛି। ଏହି ସ୍ଥାନଠାରୁ ମାତ୍ର କିଛି ଦୂରରେ କିସ୍ ବିଦ୍ୟାଳୟ ରହିଥିବାରୁ ଅବର୍ଜନାର ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି।
ଗୋଟିଏ ପଟେ ଭୁବନେଶ୍ବରକୁ ସ୍ବଚ୍ଛ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ମେୟର ସୁଲୋଚନା ଦାସଙ୍କ ପର୍ଯ୍ୟନ୍ତ, ସମସ୍ତେ ସହରବାସୀଙ୍କୁ ନିବେଦନ କରୁଛନ୍ତି। ସ୍ବଚ୍ଛତା ସର୍ଭେରେ ଭୁବନେଶ୍ବରକୁ ପ୍ରବଳ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି। କାହା ଘର ଆଗରେ ଅଳିଆ ପଡ଼ିଲେ ବିଏମ୍ସି ଜରିମାନା ଆଦାୟ କରୁଛି। ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଅଳିଆ ଟ୍ରକ୍ ଲଗାଇ ଅଜାଡ଼ି ଦେଉଛି। ଏସ୍ଆଇଙ୍କ ଠାରୁ ଆରମ୍ଭ କରି ଡେପୁଟି କମିସନରଙ୍କ ପର୍ଯ୍ୟନ୍ତ ପରିମଳ ବ୍ୟବସ୍ଥାର ସମୀକ୍ଷା ଓ ଯାଞ୍ଚ ବ୍ୟବସ୍ଥା ହୋଇଛି। ହେଲେ ସହରରେ ସ୍ବଚ୍ଛତା ଆଖିଦୃଶିଆ ହେଉ ନାହିଁ। ଭୁବନେଶ୍ବରରୁ ଅଳିଆ ଉଠୁଥିବା ବେଳେ ଉପକଣ୍ଠରେ ଏବେ ଅଳିଆ ଅଡ଼ୁଆ ଲୋକଙ୍କ ନିଦ ହଜାଇ ଦେଲାଣି। ଉପକଣ୍ଠରେ ସହରର କୁଢ଼ କୁଢ଼ ଅଳିଆ ଜମା ହୋଇଥିବାରୁ ବିଏମ୍ସିରେ କିଭଳି ସ୍ବଚ୍ଛତା ପାଳନ କରାଯାଉଛି ତାହାର ଚିତ୍ର ସାମ୍ନାକୁ ଆସିଛି।
ସ୍ଥାନୀୟ ଅଞ୍ଚଳର କିଛି ଶିଳ୍ପ ସଂସ୍ଥା ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି। ଲୋକଙ୍କ ଅଭିଯୋଗ ହେଉଛି ଯେ ବିଏମ୍ସି ଏହି ଅଞ୍ଚଳକୁ ଅଳିଆ ଉଠାଉ ନାହିଁ। ରାସ୍ତା ଅପରପାର୍ଶ୍ବରେ ଥିବା ଚିରଗୋଲଟୋଲା ବସ୍ତିରୁ ବିଏମ୍ସି ଗାଡ଼ି ଅଳିଆ ନେଉଥିବା ବେଳେ ଅପରପାର୍ଶ୍ବରୁ ଅଳିଆ ନେଉ ନାହିଁ। ଯେଉଁଥିପାଇଁ ଅଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ଏଠାରେ ସେମାନଙ୍କ ଆବର୍ଜନା ପକାଇ ଜଳାଶୟ ପୋତୁଛନ୍ତି। କେବଳ ସେତିକି ନୁହେଁ, ବିଏମ୍ସି ୧, ୨, ୬ ଓ ୭ ନମ୍ବର ୱାର୍ଡର ଲୋକେ ମଧ୍ୟ ସେମାନଙ୍କ ଅଳିଆକୁ ଆଣି ଏଠାରେ ପକାଇ ଦେଇ ଯାଉଛନ୍ତି। ଏନେଇ ବିଏମ୍ସିରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବରଂ ଆମ ଅଞ୍ଚଳରେ ଏହା ଆସୁନି କହି ଅଧିକାରୀମାନେ ଫାଙ୍କି ଚାଲିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/sf4h564sf65fshfshfshsfhsfhfsh.jpg)